ନମିତାଙ୍କ ସ୍ବପ୍ନ ପୂରଣ ହେଲା, ସଙ୍ଗୀତ ନିର୍ଦେଶକ ପ୍ରେମ ଆନନ୍ଦଙ୍କ ତତ୍ତ୍ୱାବଧାନରେ ରେକର୍ଡ ହେଲା ପ୍ରଥମ ଗୀତ

କଟକ:କୋରାପୁଟର ଆଦିବାସୀ ଝିଅ ନମିତା ମେଲେକାଙ୍କ ଗୀତକୁ ନେଇ ଏବେ ଗାଁରୁ ସହର ସବୁଠି ଚର୍ଚ୍ଚା | ନିଜ କୁଇ ଭାଷା ସହ ଓଡ଼ିଆ ଏବଂ ହିନ୍ଦୀ ଭାଷାରେ ଗୀତ ଗାଇ ସୋସିଆଲ ମିଡ଼ିଆରେ ସେ ଚର୍ଚ୍ଚାରେ ରହିଛନ୍ତି | ନମିତାଙ୍କ ସ୍ବପ୍ନ ଆଜି ପୂରଣ ହୋଇଛି। କଟକର ନିଉ ରେକର୍ଡ଼ିଂ ଷ୍ଟଡ଼ିଓରେ ତାଙ୍କ କଣ୍ଠରେ ଆଜି ଏକ ଗୀତ ରେକର୍ଡ କରାଯାଇଛି। ଓଡ଼ିଶାର ଲୋକପ୍ରିୟ ସଙ୍ଗୀତ ନିର୍ଦେଶକ ପ୍ରେମ ଆନନ୍ଦଙ୍କ ତତ୍ତ୍ୱାବଧାନରେ ନମିତା ଆଜି ନିଜର ପ୍ରଥମ ଗୀତ ରେକର୍ଡ କରିଛନ୍ତି | ଏହି ଗୀତର ଗୀତିକାର ହେଲେ ସ୍ବନାମଧନ୍ୟ ଗୀତିକାର ବିଜୟ ମଲ୍ଲ।

ନମିତା ଯେଉଁ ଗୀତରେ କଣ୍ଠଦାନ କରିଛନ୍ତି, ତାହା ଏକ ଜଗନ୍ନାଥ ଭଜନ। ଏହାର ଟ୍ୟାଗଲାଇନ୍ ହେଲା –ନିନୁନା, ଜିଉତି ଜୀବନ… (ଯାହାର ଓଡ଼ିଆରେ ଭାବାର୍ଥ ହେଲା- ତୁ ମୋର ଜୀବର ଜୀବନ)। ଏହା ଉଭୟ ଓଡ଼ିଆ ଏବଂ କୁଇ ଭାଷାରେ ରଚିତ ହୋଇଛି। ଏହି ଗୀତର ଅବଧି ପ୍ରାୟ ସାଢେ ୪ ମିନିଟ୍ ବୋଲି ସଙ୍ଗୀତ ନିର୍ଦେଶକ ପ୍ରେମ ଆନନ୍ଦ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଦିବାସୀ ଝିଅ ନମିତା ମେଲେକା ଖୁବ୍ ଭାବପୂର୍ଣ୍ଣ ଢଙ୍ଗରେ ଗୀତରେ କଣ୍ଠଦାନ କରିଛନ୍ତି। ଏହି ଗୀତଟି ଶ୍ରୋତାଙ୍କ ଦ୍ବାରା ଆଦୃତ ହେବ ବୋଲି ସେ ଆଶାବାଦୀ। ଏହି ଗୀତଟି ବର୍ଷା ପ୍ରିୟଦର୍ଶିନୀଙ୍କ ୟୁଟ୍ୟୁବ୍ ଚାନେଲରେ ରିଲିଜ୍ ହେବ ବୋଲି ସଙ୍ଗୀତକାର କହିଛନ୍ତି। ଏହି ଗୀତ ରେକର୍ଡିଂ ସମୟରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ଗୀତିକାର ବିଜୟ ମଲ୍ଲ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ନମିତାଙ୍କ ଯାଦୁକରୀ କଣ୍ଠ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବିଶେଷ ପ୍ରଭାବିତ କରିଥିଲା ଏବଂ ସେ ନମିତାଙ୍କୁ ଗୀତ ଗାଇବାର ସୁଯୋଗ ଦେବେ ବୋଲି ଘୋଷଣା କରିଥିଲେ | ବର୍ଷା ନିଜର କଥା ରଖିଛନ୍ତି | ଆଉ ନମିତାଙ୍କ ସ୍ବପ୍ନ ପୂରଣ କରିଛନ୍ତି | ଏହି ଗୀତର ପ୍ରଚାର ପ୍ରସାର ଠିକ୍ ଭାବେ କରାଗଲେ ନମିତାଙ୍କ ସ୍ବପ୍ନ ପୂରଣ ଦିଗରେ ତାହା ସହାୟକ ହେବା ସହ ଗାଁ ଗହଳିର ଲୁକ୍କାୟିତ ପ୍ରତିଭାଙ୍କୁ ଉତ୍ସାହିତ କରାଯାଇପାରିବ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର