ଶିକ୍ଷାର ପ୍ରସାର ପାଇଁ ନନ୍ଦ ସାରଙ୍କ ଉଦ୍ୟମ ସ୍ମରଣୀୟ: ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଶତାୟୁ ଶିକ୍ଷକ ନନ୍ଦ କିଶୋର ପୃଷ୍ଟିଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ର ଗୃହ ମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି। ଟ୍ବିଟ୍‌ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଓଡ଼ିଶାରେ ଶିକ୍ଷାର ପ୍ରସାର ପାଇଁ ସମ୍ମାନନୀୟ ନନ୍ଦ ସାରଙ୍କ ଉଦ୍ୟମ ଅନେକ ପିଢ଼ି ପର୍ଯ୍ୟନ୍ତ ସ୍ମରଣୀୟ ହୋଇ ରହିବ। ଗତ କିଛି ସପ୍ତାହ ପୂର୍ବରୁ ଆୟୋଜିତ ପଦ୍ମ ପୁରସ୍କାର ସମାରୋହରେ ସେ ଦେଶର ଦୃଷ୍ଟି ଆକର୍ଷଣ କରିବା ସହ ଦେଶବାସୀଙ୍କ ଶ୍ରଦ୍ଧାର ପାତ୍ର ହୋଇଥିଲେ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ନନ୍ଦ ସାରଙ୍କ ବିୟୋଗରେ ଗଭୀର ଭାବେ ଦୁଃଖିତ ବୋଲି ଟ୍ବିଟ୍ କରି କହିଛନ୍ତି ଯେ ଏହି ମହାନ ବ୍ୟକ୍ତିଙ୍କ ନିଃସ୍ବାର୍ଥପର ସେବା ପାଇଁ ସାରା ଦେଶରେ ସେ ଚିର ସ୍ମରଣୀୟ ହୋଇ ରହିବେ।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶୋକ ପ୍ରକାଶ କରିବା ସହିତ ନନ୍ଦ ସାରଙ୍କର ପରିବାର ଓ ଛାତ୍ରମାନଙ୍କୁ ସମବେଦନା ଜଣାଇଛନ୍ତି। ରାଜ୍ୟପାଳ କହିଛନ୍ତି ଯେ ନନ୍ଦ କିଶୋର ପୃଷ୍ଟି ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ରହିଥିଲେ। ହସ୍ପିଟାଲରେ ଆଡମିସନ ହେବା ପୂର୍ବରୁ ‘ନନ୍ଦ ସାର୍’ଙ୍କ ସହିତ ଭେଟିବାର ସୁଯୋଗ ମିଳିଥିଲା ବୋଲି ରାଜ୍ୟପାଳ ଟ୍ବିଟ୍ କରିଛନ୍ତି। ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ତାଙ୍କ ଶୋକବାର୍ତାରେ କହିଛନ୍ତି ଯେ ସମାଜରେ ଶିକ୍ଷାର ପ୍ରଚାର ପ୍ରସାର ପାଇଁ ତାଙ୍କର ନିଃସ୍ବାର୍ଥପର ସେବା ଯୋଗୁ ସେ ପଦ୍ମଶ୍ରୀ ଉପାଧିପ୍ରାପ୍ତ ହୋଇ ଓଡ଼ିଶାକୁ ଗୌରବାନ୍ବିତ କରିଥିଲେ।

ସେହିପରି ଶୋକବାର୍ତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଶିକ୍ଷା କ୍ଷେତ୍ରରେ ବହୁମୂଲ୍ୟ ଅବଦାନ ଓ ତାଙ୍କ ଜୀବନବ୍ୟାପୀ ତ୍ୟାଗ ଚିର ଆଦର୍ଶ ହୋଇ ରହିବ। ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକବାର୍ତାରେ କହିଛନ୍ତି ‌ଯେ ବିନା ପାରିଶ୍ରମିକରେ ୩ପିଢ଼ି ଧରି ନିରବଚ୍ଛିନ୍ନ ଭାବେ ଛୋଟ ଛୋଟ ପିଲାଙ୍କୁ ଶିକ୍ଷାଦାନ କରି ଆସୁଥିବା ନନ୍ଦ ସାରଙ୍କ ବିୟୋଗ କେବଳ ଓଡ଼ିଶା ନୁହେଁ, ସମଗ୍ର ଭାରତର ଶିକ୍ଷା ସମାଜ ପାଇଁ ଅପୂରଣୀୟ କ୍ଷତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ନନ୍ଦ ସାର ତାଙ୍କ ଜୀବନକୁ ଶିକ୍ଷାଦାନ ପ୍ରତି ସମର୍ପଣ କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥ ଦିବଙ୍ଗତ ଆତ୍ମାକୁ ମୋକ୍ଷ ପ୍ରଦାନ କରନ୍ତୁ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ନିର୍ଦେଶକ ରଂଜନ କୁମାର ଦାସ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ସମୀର ମହାନ୍ତି, ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର