ସେଫଟିସେମିଆ ସଂକ୍ରମଣରେ ଆକ୍ରାନ୍ତ ଥିଲା ‘ନନ୍ଦ’

ବାରଙ୍ଗ: ଅଚାନକ ଟଳିପଡି ଚିକିତ୍ସାଧିନ ଥିବା ଚନ୍ଦକା ଅଭୟାରଣ୍ୟର କୁମକି ପ୍ରଶିକ୍ଷିତ ଦନ୍ତା ହାତୀ ‘ନନ୍ଦ’ ଶେଷରେ ଚିରନିଦ୍ରାରେ ଶୋଇଗଲା। ସୋମବାର ପାହାନ୍ତିଆ ପ୍ରହର ୪ଟା ବାଜିବାକୁ କେଇଟା ମିନିଟ ବାକି ଥିଲା ଚନ୍ଦକା ହସ୍ତୀ ଅଭୟାରଣ୍ୟର କୁମାରଖୁଣ୍ଟିଠାରେ ସବୁଦିନ ପାଇଁ ଆଖି ବୁଜିଲା। ସକାଳୁ ସକାଳୁ ମୃତ୍ୟୁର ଖବର ପ୍ରଚାରିତ ହେଲା। ହୃଷ୍ଟପୃଷ୍ଟ ନନ୍ଦ ମୃତ୍ୟୁର ଖବର ଜଙ୍ଗଲ ବିଭାଗ ମନ୍ତ୍ରୀ ଓ ସଚିବଙ୍କ ବ୍ୟଥିତ କରିଦେଲା। ମୃତ୍ୟୁର କାରଣ ଜାଣିବା ପାଇଁ ‘ନନ୍ଦ’ର ଶବ ବ୍ୟବଚ୍ଛେଦ କରାଗଲା।

ଶବ ବ୍ୟବଛେଦ କରିବା ଲାଗି ଚନ୍ଦକାର କୁମାରଖୁଣ୍ଟିରେ ପୂର୍ବାହ୍ନ ୧୦ଟାରେ ଓୟୁଏଟି ପ୍ରାଣୀଚିକିତ୍ସା ନିଦାନ ବିଭାଗର ମୁଖ୍ୟ ପ୍ରଫେସର ଡକ୍ଟର ସୁଶେନ ପଣ୍ଡା, ସହକାରୀ ପ୍ରଫେସର ଡ ଆଦିତ୍ୟ ପ୍ରସାଦ ଆଚାର୍ଯ୍ୟ ପହଁଚିଥିଲେ। ସେଠାରେ ଚନ୍ଦକା ପ୍ରାଣୀଧନ ଅଧିକାରୀ ଡ କିଶୋର ଚନ୍ଦ୍ର ଦାସଙ୍କ ସହାୟତାରେ ଶବ ବ୍ୟବଛେଦ କରିଥିଲେ। ପ୍ରାୟ ୬ଘଣ୍ଟା କାଳ ଶବ ବ୍ୟବଚ୍ଛେଦ କରାଯାଇଥିଲା। ସନ୍ଧ୍ୟାରେ ଶବ ବ୍ୟବଛେଦ ସରିଥିଲା। ‘ନନ୍ଦ’ର ସେଫଟିସେମିଆ ଜୀବାଣୁଜନିତ ସଂକ୍ରମଣ କାରଣରୁ ମୃତ୍ୟୁ ହୋଇଥିବା ପ୍ରଫେସର ପଣ୍ଡା ରିପୋର୍ଟରେ ଦର୍ଶାଇଛନ୍ତି।

ତେବେ ସଂକ୍ରମିତ କରିଥିବା ଜୀବାଣୁଟି କେଉଁ ପ୍ରଜାତୀର ତାହା ଜଣାପଡିନାହିଁ। ନନ୍ଦଠାରୁ ନମୂନା ସଂଗ୍ରହ କରି ଲାବ୍ରୋଟରିକୁ ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟ ଆସିବା ପରେ ଜୀବାଣୁର ଚିହ୍ନଟ ହୋଇପାରିବ। ସାଧାରଣତଃ ପ୍ରାରମ୍ଭିକ ବର୍ଷାରେ ବହୁ ପ୍ରକାରର ସଂକ୍ରାମକ ଭୂତାଣୁ ଓ ଜୀବାଣୁ ଆସି ପ୍ରାଣୀମାନଙ୍କୁ ସଂକ୍ରମିତ କରିଥାଆନ୍ତି ବୋଲି ବିଶେଷଜ୍ଞଙ୍କ ମତ ରହିଛି। ବର୍ତ୍ତମାନ ବର୍ଷା ଆଗମନ ସଂକ୍ରମଣର କାରଣ ହୋଇଥାଇ ପାରେ ବୋଲି ଶବ ବ୍ୟବଛଦ କରିଥିବା ଚିକିତ୍ସକମାନେ ଅନୁମାନ କରିଛନ୍ତି।

ସମ୍ବନ୍ଧିତ ଖବର