କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଫୁଟବଲ କୋଚ୍ ନନ୍ଦକିଶୋର ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ବର: ଫୁଟବଲ କୋଚ୍ ନନ୍ଦକିଶୋର ପଟ୍ଟନାୟକଙ୍କ ଦେହାନ୍ତ ହୋଇଯାଇଛି। ଆଜି ଭୋର ପ୍ରାୟ ୩ଟାରେ କରୋନାରେ ଆଖି ବୁଜିଛନ୍ତି ଏହି ଫୁଟବଲ କିମ୍ବଦନ୍ତୀ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୬୫ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । କିଛିଦିନ ଧରି ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ।

୧୯୫୬ ମାର୍ଚ୍ଚ ୧୬ରେ ଜନ୍ମିତ ନନ୍ଦକିଶୋର ଦୁଇ ଦୁଇଥର ଜୁନିଅର୍ ଫୁଟବଲ ଚାମ୍ପିଅନସିପରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଥିଲେ । ୧୯୯୨-୯୩ରେ ଫୁଟବଲ କୋଚିଂ ଆରମ୍ଭ କରିବା ସହ ୧୯୯୫ରେ ମହିଳା ଫୁଟବଲ ଦଳର କୋଚ୍ ଭାବେ ନିଯୁକ୍ତ ହେଲେ । ଅନେକଥର ସେ ଓଡ଼ିଶା ମହିଳା ଫୁଟବଲ ଦଳର କୋଚ୍ ଭାବେ ଦାୟିତ୍ୱ ତୁଲାଇଛନ୍ତି । ତାଙ୍କରି ପ୍ରଶିକ୍ଷଣରେ ଅନ୍ତର୍ଜାତୀୟ ତାରକା ଫୁଟବଲର ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ରଞ୍ଜିତା ମହାନ୍ତି, ପ୍ରଶାନ୍ତି ପ୍ରଧାନ, ସୁଦୀପ୍ତା ଦାଶ, ସରିତା ଜୟନ୍ତୀ ବେହେରା, ମାମାଲି ଦାସ ଏବଂ ପ୍ରଥମା ପ୍ରିୟଦର୍ଶିନୀ ପ୍ରମୁଖ ବିଶ୍ୱସ୍ତରରେ ଓଡିଶା ପାଇଁ ବେଶ ସୁନାମ ଆଣିଛନ୍ତି ।

image source-sambad english

ଓଡ଼ିଶା ଫୁଟବଲ ଜଗତକୁ ତାଙ୍କ ଅବଦାନ ପାଇଁ ବିଜୁ ପଟ୍ଟନାୟକ ଖେଳରତ୍ନ ପୁରସ୍କାରରରେ ସମ୍ମାନିତ କରିଥିଲେ ରାଜ୍ୟ ସରକାର । ତାଙ୍କ ଦେହାନ୍ତରେ ଓଡ଼ିଶା ଫୁଟବଲ ଜଗତକୁ ଏକ ବଡ କ୍ଷତି ହୋଇଥିବା ମତ ଦେଇଛନ୍ତି ରାଜ୍ୟର ସୁନାମଧନ୍ୟ ଫୁଟବଲ ତାରକା ।

ସମ୍ବନ୍ଧିତ ଖବର