ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଖି ବୁଜିଲା ‘ସୂରଜ’; ପେଣ୍ଡାରି ଚିଡ଼ିଆଖାନାରୁ ଆସି ପହଞ୍ଚିଲେ ୪ ସିଂହ ଓ ୨ କୋକିଶିଆଳ ନୂଆ ଅତିଥି 

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ବୁଧବାର ସକାଳ ସୁଖ ଓ ଦୁଃଖ ମିଶ୍ରିତ ଖବର ନେଇ ଆସିଥିଲା। ଗୋଟିଏ ପଟେ କଲରା ପତରିଆ ବାଘ ‘ସୂରଜ’ ସବୁ ଦିନ ପାଇଁ ଅଖି ବୁଜିଥିବା ବେଳେ ନୂଆ ଅତିଥି ଭାବେ ଛତିଶଗଡ଼ ବିଳାଶପୁର ସ୍ଥିତ କାନନ ପେଣ୍ଡାରି ଚିଡ଼ିଆଖାନାରୁ ୪ଟି ଏସୀୟ ସିଂହ ଓ ୨ଟି କୋକିଶିଆଳ ଆସି ନନ୍ଦନକାନନରେ ପହଞ୍ଚିଛନ୍ତି।

ମଙ୍ଗଳବାର ରାତି ୧୧ଟା ବେଳେ ପ୍ରାଣୀ ଚିକିତ୍ସା କେନ୍ଦ୍ରର କ୍ବାରାଣ୍ଟିନରେ ଚିକିତ୍ସାଧୀନ ଅବସ୍ଥାରେ ୧୬ ବର୍ଷୀୟ କଲରାପତରିଆ ବାଘ ‘ସୂରଜ’ର ବାର୍ଦ୍ଧକ୍ୟ ଓ ବ୍ଲଡ୍ ପ୍ରୋଟୋଜୋନ୍ ସଂକ୍ରମଣ ବାବେସିଓସିସ ବା ସୂକ୍ଷ୍ମ କୃମି ଜନିତ ରକ୍ତ ସଂକ୍ରମିତ କାରଣରୁ ମୃତ୍ୟୁ ହୋଇଥିବା ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ ଦାସ ସୂଚନା ଦେଇଛନ୍ତି। ଏହି ପ୍ରଜାତିର ବାଘଙ୍କ ପରମାୟୁ ୧୨ରୁ ୧୭ ବର୍ଷ ମଧ୍ୟରେ ବୋଲି ସେ କହିଛନ୍ତି। ସୂରଜ ଗତ ମାସରେ ଝାଡ଼ାରେ ଆକ୍ରାନ୍ତ ହୋଇଥିଲା। ତାକୁ ଗତ ୧ତାରିଖରେ ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସରର କ୍ବାରାଣ୍ଟିନକୁ ଆଣି ଚିକିତ୍ସା କରାଯାଉଥିଲା। ଓୟୁଏଟିର ଚିକିତ୍ସକଙ୍କ ଦ୍ବାରା ତା’ର ଶବ ବ୍ୟବଚ୍ଛେଦ କରାଯାଇଛି। ସୂରଜକୁ ୨୦୦୪ ମସିହା ଜୁଲାଇ ମାସ ୧୦ ତାରିଖରେ ଚାରି ମାସର ହୋଇଥିବା ଅବସ୍ଥାରେ ଭଞ୍ଜନଗରର ଉତ୍ତର ଘୁମୁସର ଅଞ୍ଚଳରୁ ଉଦ୍ଧାର କରି ନନ୍ଦନକାନନକୁ ଅଣାଯାଇଥିଲା। ଏହାର ମୃତ୍ୟୁ ପରେ ନନ୍ଦନକାନନରେ ୨ ମାଈ ଓ ୩ ଅଣ୍ଡିରାଙ୍କୁ ମିଶାଇ ମୋଟ ୫ଟି କଲରାପତରିଆ ବାଘ ଅଛନ୍ତି।

ଅପରପକ୍ଷରେ ଆସିଥିବା ୪ଏସୀୟ ସିଂହ ଓ ଦୁଇ କୋକିଶିଆଳଙ୍କୁ ପ୍ରଣୀ ଚିକିତ୍ସକଙ୍କ ତତ୍ତ୍ବାବଧାନରେ କ୍ବାରାଣ୍ଟିନରେ ରଖାଯାଇଛି। ଏମାନଙ୍କ ମଧ୍ୟରେ ୫ରୁ ୬ ବର୍ଷ ବୟସ ମଧ୍ୟରେ ୨ଟି ସିଂହ ଓ ୨ଟି ସିଂହୀ ଅଛନ୍ତି। ନନ୍ଦନକାନନର ମୋଟ ସିଂହ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରେ ୮ ଅଣ୍ଡିରା ଓ ୭ ମାଈ ଅଛନ୍ତି। ତନ୍ମଧ୍ୟରେ ଏସୀୟ ସିଂହ ସଂଖ୍ୟା ୫ଟି ଥିବା ବେଳେ ବର୍ଣ୍ଣଶଙ୍କର ଜାତୀୟ ୬ଟି ଓ ଅଫ୍ରିକୀୟ ୪ଟି ଅଛନ୍ତି। ସେହିଭଳି ଆସିଥିବା କୋକିଶିଆଳ ମଧ୍ୟରେ ସମବୟସ୍କ ଅଣ୍ଡିରା ଓ ମାଈ ଦୁଇଟି ଅଛନ୍ତି। ନନ୍ଦନକାନନରେ ପହଞ୍ଚିବା ପରେ ମୋଟ ସଂଖ୍ୟା ୫ କୁ ବୃଦ୍ଧି ହୋଇଛି।

ସମ୍ବନ୍ଧିତ ଖବର