ନନ୍ଦନକାନନ: ମାର୍ମୋସେଟ ମାଙ୍କଡ଼ର ମୃତ୍ୟୁ, ଜଳହସ୍ତୀ ଛୁଆ ଜନ୍ମ

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁଙ୍କ ମୃତ୍ୟୁ ଥମିବାର ନାଁ ଧରୁନି। ଆଜି ପୁଣି ୫୪ ନମ୍ବର ଖୁଆଡ଼ରେ ଥିବା ଏକ ୮ ବର୍ଷ ବୟସର ମାଈ ମାର୍ମୋସେଟ ମାଙ୍କଡ଼ର ମୃତ୍ୟୁ ହୋଇଛି। ମୃତ୍ୟୁର କାରଣ ଜଣା ପଡ଼ିନାହିଁ। ଗତ ଜୁନ୍‌ ୧୫ ତାରିଖରେ ଆଉ ଗୋଟିଏ ମାଈ ମାର୍ମୋସେଟ ମାଙ୍କଡ଼ର ମୃତ୍ୟୁ ହୋଇଥିଲା। ଗତ ୨ ତାରିଖରେ ଗୋଟିଏ ଛୁଆ ଜନ୍ମ ନେବାରୁ ମୋଟ ସଂଖ୍ୟା ୪ ହୋଇଥିଲା। ସେ ମଧ୍ୟରୁ ମାଈଟିର ଆଜି ମୃତ୍ୟୁ ପରେ ସଂଖ୍ୟା ପୁଣି ୩ କୁ ଖସିଆସିଛି।

ଅପରପକ୍ଷରେ ପ୍ରାଣୀ ଉଦ୍ୟାନର ୬୨ ନମ୍ବର ଖୁଆଡ଼ରେ ଏକ ଜଳହସ୍ତୀ ଛୁଆ ଜନ୍ମଲାଭ କରିଛି। ନବାଜାତ ଛୁଆ ଓ ତା’ର ମା’ ସୁସ୍ଥ ଅଛନ୍ତି। ଛୁଅଟିର ଲିଙ୍ଗ ଚିହ୍ନଟ ହୋଇନାହିଁ। ଛୁଆଟି ଜନ୍ମ ଲାଭ ଫଳରେ ନନ୍ଦନକାନନର ମୋଟ ଜଳହସ୍ତୀ ସଂଖ୍ୟା ୧୪କୁ ବୃଦ୍ଧି ହୋଇଛି। ତନ୍ମଧ୍ୟରେ ୮ଟି ମାଈ, ୩ ପୁରୁଷ ଓ ଲିଙ୍ଗ ଚିହ୍ନଟ ହୋଇ ନଥିବା ୩ଟି ଛୁଆ ଅଛନ୍ତି।

ସମ୍ବନ୍ଧିତ ଖବର