ନନ୍ଦନକାନନର ସୌନ୍ଦର୍ଯ୍ୟ ଫେରିବ ତ?

୧୩ ତାରିଖ ପର୍ଯ୍ୟନ୍ତ ବନ୍ଦ, ଜୀବଜନ୍ତୁ ସୁରକ୍ଷିତ, ସୌନ୍ଦର୍ଯ୍ୟ ଫେରିବାକୁ ଲାଗିବ ଢେର ସମୟ

ଭୁବନେଶ୍ବର, (ହିତେଶ ନାୟକ): ଦାରୁଣ ଆଘାତ ଦେଇ ‘ଫନି’ ଚାଲିଗଲା ତା ବାଟରେ। ‌ଏବେ ଯୁଆଡ଼େ ଚାହିଁବ ସେଠାରେ କେବଳ ‘ଫନି’ର କ୍ଷତଚିହ୍ନ। ଏଥିରୁ ବାଦ୍‌ ପଡ଼ିନି ଏସିଆ ମହାଦେଶର ସବୁଠାରୁ ବଡ଼ ଚିଡ଼ିଆଖାନା ‘ନନ୍ଦନକାନନ’। ଯାହାର ସବୁଜିମା ଓ ସୌନ୍ଦର୍ଯ୍ୟ ଦେଶ ବିଦେଶରୁ ପର୍ଯ୍ୟଟକଙ୍କୁ ଟାଣି ଆଣୁଥିଲା ତାହା ଏବେ ବିପର୍ଯ୍ୟସ୍ତ। ବାହାରୁ ଘଞ୍ଚ ଜଙ୍ଗଲ ପରି ଦେଖାଯାଉଥିବା ନନ୍ଦନକାନନ ଏବେ ଶ୍ରୀହୀନ। କେଉଁଠି ବିଶାଳ ଗଛ ମୂଳରୁ ଉପୁଡ଼ି ପଡ଼ିଛି ତ କେଉଁଠି ଅଧାରୁ ଭାଙ୍ଗି ଯାଇଥିବା ଗଛର ଥୁଣ୍ଟା ଅଂଶ ଉପରକୁ ମୁଣ୍ଡ ଟେକି ନିଜର ଦୁର୍ଦଶାକୁ ଦର୍ଶାଉଛି। ନନ୍ଦନକାନନର ଏପରି ରୂପ ଦେଖି କେବଳ ପରିବେଶ ପ୍ରେମୀ ନୁହନ୍ତି ସବୁଜିମାକୁ ଭଲ ପାଉଥିବା ଲୋକ ନିଜର କୋହକୁ ଅଟକାଇ ପାରୁନାହାନ୍ତି। ଆଉ ଯେଉଁ ଜୀବଜନ୍ତୁ ପ୍ରାକୃତିକ ଜଙ୍ଗଲର ଦୁଃଖକୁ ଭୁଲି ଏହାର ପରିବେଶକୁ ଆଦରି ନେଇଥିଲେ ସେମାନଙ୍କ ବିକଳ ଅବସ୍ଥା ଆଖିରୁ ଲୁହ ଝରାଇ ଦେଉଛି। ଏବେ ପ୍ରଶ୍ନ ଉଠିଛି କେବେ ଶୁଖିବ ଏ କ୍ଷତ…? କେବେ ଫେରିବ ସବୁଜିମା…?

ବଡ଼ ଗଛ ଆଉ ନାହିଁ

ନନ୍ଦନକାନନର ସୌନ୍ଦର୍ଯ୍ୟ ବଢ଼ାଉଥିବା ହଜାର ହଜାର ବଡ଼ ଗଛ ମୂଳରୁ ଉପୁଡ଼ି ପଡ଼ିଛି। କିଛି ଗଛ ଅଧାରୁ ଭାଙ୍ଗି ଯାଇଛି। ଗଛପଡ଼ି ପଶୁପକ୍ଷୀଙ୍କ ଖୁଆଡ଼ ଛାରଖାର ହୋଇଯାଇଛି। ରାସ୍ତା ଉପରେ ପଡ଼ି ରହିଛି ଇଲେକ୍ଟ୍ରି ଖୁଣ୍ଟ ଓ ତାର। ୯୦୦ ଏକର ପରିମିତ ଜମିରେ ଥିବା ୪୦ ବର୍ଷର ଏହି ଉଦ୍ୟାନ ମାତ୍ର କେଇ ଘଣ୍ଟାର ଛାରଖାର ହୋଇଯାଇଛି। ପର୍ଯ୍ୟଟକ କି ପଶୁପକ୍ଷୀଙ୍କ ପାଇଁ ଛାଇ ଟିକିଏ ନାହିଁ। ତେବେ ନନ୍ଦନକାନନର ପୂର୍ବ ଅବସ୍ଥାକୁ ଫେରାଇ ଆଣିବା ପାଇଁ କର୍ତୃପକ୍ଷ ଅଣ୍ଟା ଭିଡ଼ିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ କାମ କରାଯାଉଛି। ପ୍ରାୟ ୪୦ ପ୍ରତିଶତ ରାସ୍ତା ଅବରୋଧ ହଟାଯାଇଛି। ବାକି କାମ ଖୁବ୍‌ଶୀଘ୍ର ଶେଷ ହୋଇଯିବ ବୋଲି କର୍ତୃପକ୍ଷ ଆଶା ବାନ୍ଧିଛନ୍ତି। ତେବେ ୧୩ ତାରିଖ ପର୍ଯ୍ୟନ୍ତ ଉଭୟ ନନ୍ଦନକାନନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ବନ୍ଦ ରଖାଯାଇଛି ବୋଲି କର୍ତୃପକ୍ଷ ଘୋଷଣା କରିଛନ୍ତି।

ଅଘଟଣ ଏଡ଼ାଇଲା ଆଗୁଆ ବ୍ୟବସ୍ଥା

‌ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ନନ୍ଦନକାନନ କର୍ତୃପକ୍ଷ ଆଗୁଆ ପ‌ଦକ୍ଷେପ ନେଇଥିବାରୁ ଏକ ବଡ଼ ଅଘଟଣକୁ ଏଡ଼ାଇ ଦିଆଯାଇପାରିଛି। ବାତ୍ୟା ସୂଚନା ପାଇବାର ୨ଦିନ ପୂର୍ବରୁ ସମସ୍ତ ଜୀବଜନ୍ତୁଙ୍କ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। ଗଛପଡ଼ି ଯେପରି କୌଣସି ଜୀବଜନ୍ତୁଙ୍କ ମୃତ୍ୟୁ ନହୁଏ ସେଥିପାଇଁ ୨୧୨ଟି ଖୁଆଡ଼ରେ ଥିବା ୧୫୬ ପ୍ରଜାତିର ୩ ହଜାର ୩୦୩ ଜୀବଜନ୍ତୁଙ୍କ ସୁରକ୍ଷା ଲାଗି କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଥିଲା। ସେମାନେ ଖୁଆଡ଼ ଭିତରେ ଥିବା ଜୀବଜନ୍ତୁଙ୍କ ଉପରେ ତୀକ୍ଷ୍ଣ ନଜର ରଖିଥିଲେ। ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ, ପାନୀୟ ଓ ଔଷଧ ମହଜୁଦ୍‌ ରଖାଯାଇଥିଲା। ନନ୍ଦନକାନନ ପ୍ରାଣୀ ଚିକିତ୍ସକମାନେ ମଧ୍ୟ ପ୍ରସ୍ତୁତ ଥିଲେ। ବିଶେଷ କରି ଛୋଟ ଜୀବଜନ୍ତୁଙ୍କ ପ୍ରତି ଅଧିକ ଗୁରୁତ୍ବ ଦିଆଯାଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସେହିପରି ବାଘ, ସିଂହ, ଭାଲୁ, ହାତୀଙ୍କ ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖାଯାଇଥିଲା। ଜରୁରୀ କାଳୀନ ପରିସ୍ଥିରେ ଜୀବଜନ୍ତୁଙ୍କ ସ୍ଥାନାନ୍ତର ପାଇଁ ଉଦ୍ଧାର ଗାଡ଼ିକୁ ମଧ୍ୟ ସଜାଗ ରଖାଯାଇଛି।

ଉଜୁଡ଼ିଯାଇଛି ଶିଶୁ ଉଦ୍ୟାନ

ଏହା ପରିସରରେ ଥିବା ଶିଶୁ ଉଦ୍ୟାନ ଛାରଖାର ହୋଇଯାଇଛି। ଏକାଧିକ ଦୋଳି ଉପରେ ଗଛ ପଡ଼ି ରହିଛି। ସେହିପରି ପିଲାଙ୍କ ଖେଳିବା ପାଇଁ ଥିବା ଝୁଲା ଓ ଚକ୍ରି ଉପରେ ମଧ୍ୟ ଗଛ ପଡ଼ିଛି।

ସରୀସୃପ ଉଦ୍ୟାନ ଉପରେ ଉପୁଡ଼ି ପଡ଼ିଛି ବିରାଟ ଅଶ୍ବତଥ୍ ବୃକ୍ଷ। ଏଠାରେ ପାଣି ଗୋଧି ଘରଠାରୁ ଆରମ୍ଭ କରି ଅଜଗର, ବିଭିନ୍ନ ପ୍ରଜାତିର କୁମ୍ଭୀର, କଇଁଛ, ସାପ ଆଦି ରୁହନ୍ତି। ତେବେ ଏହି ବୃକ୍ଷକୁ କଟାଯିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିବା ଜଣାପଡ଼ିଛି।

ବାଘ ଖୁଆଡ଼ଠାରୁ ଆରମ୍ଭ କରି ସିଂହ, ଭାଲୁ, ହାତୀ, ତୃଣଭୋଜି ଖୁଆଡ଼ ଜାଲି ଭାଙ୍ଗିଯାଇଛି। ଖୁଆଡ଼ର ବାହାର ଓ ଭିତର ଗଛଗୁଡ଼ିକ ଭାଙ୍ଗି ଜାଲି ଉପରେ ଲଦି ହୋଇଛି। ସେହିପରି ସଫାରିଗୁଡ଼ିକର ଭିତରେ ବାହାରେ ବି ଗଛ ଓ ଡାଳ ଗଦା ହୋଇଛି। କେତେକ ସ୍ଥାନରେ ଗଛ ପଡ଼ିବା ଯୋଗୁଁ ଜାଲି ମଧ୍ୟ ଭାଙ୍ଗିଯାଇଛି।

ପବନମାଡ଼ ଯୋଗୁଁ ବିହଙ୍ଗ ସରଣୀରେ ରହିଥିବା ହଳଦୀପିଠିଆ ଶୁଆ, ଫିଜାଣ୍ଟ, ପାଉଁଶିଆ ଆମେରିକୀୟ ଶୁଆ, ପ୍ରେମ ପକ୍ଷୀ, କକଟିଲ୍‌, କକାଟୋ, କଳା ହିମ ଶାଗୁଣା, ମାକାୱା, ମୟୂର, ଟୁ‌ରାକୋ ପ୍ରଭୃତି ଘର ଉପରୁ ବାଉଁଶ ଛପର ଉଡ଼ିଯାଇଛି। ଖରାକୁ ଭରସା ପାଲଟିଥିବା ଛପର ଉଡ଼ିଯିବା ଫଳରେ ପକ୍ଷୀଗୁଡ଼ିକ ଡହଳ ବିକଳ ହେଉଛନ୍ତି।

ଓଟପକ୍ଷୀ ଓ ଏମୁ ଖୁଆଡ଼ ଘରେ ଭଙ୍ଗା ଗଛ ଗଦା ହୋଇ ରହିଛି। ଫଳରେ ସେମାନଙ୍କୁ ଖୁଆଡ଼ ମଧ୍ୟରେ ଥିବା ଛୋଟ ଘର ମଧ୍ୟରେ ରଖାଯାଇଛି।

ସେହିଭଳି ହରିଣ ଓ ନୀଳଗାଈ ଖୁଆଡ଼ରେ ପଡ଼ି ରହିଛି ବଡ଼ ବରଗଛ। ଗଛ ଉପୁଡ଼ି ପଡ଼ିଥିଲେ ମଧ୍ୟ ଜୀବମାନଙ୍କର କୌଣସି କ୍ଷତି ହୋଇନାହିଁ। ଅପରପକ୍ଷେ ବରଗଛଗୁଡ଼ିକ ଉପୁଡ଼ିବା ସେମାନଙ୍କ ପାଇଁ ବରଦାନ ପାଲଟିଛି। ବରପତ୍ର ଖାଇ କ୍ଷୁଧା ମେଣ୍ଟାଉଛନ୍ତି ହରିଣ ଓ ନୀଳଗାଈ।

ବାତ୍ୟା ପରବର୍ତୀ ପରିସ୍ଥିତି ଜଟିଳ ହେବାରେ ଲାଗିଛି। ବର୍ଷା ପାଣି ଜମି ରହିବାରୁ କିଛି ସ୍ଥାନରେ ପତ୍ର ପଚି ଦୁର୍ଗନ୍ଧ ହେଉଛି। କ‌ାଞ୍ଜିଆ ହ୍ରଦ ଓ ବିହଙ୍ଗ ବିହାର‌ରେ ଥିବା ଜଳଚର ପକ୍ଷୀ ଘରେ ମଧ୍ୟ ପାଣି ପଚି ଦୁର୍ଗନ୍ଧ ହେଉଛି। ଏଥିଯୋଗୁ ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ପ୍ରକାଶ ପାଇଛି।
(ସହଯୋଗ: ରୁଦ୍ର, ମଧୁ)

ସମ୍ବନ୍ଧିତ ଖବର