ବୌଦ୍ଧ : ନନ୍ଦନବନକୁ ରାଜ୍ୟ ପରିବେଶ ପାର୍କ ଭାବରେ ଗଢ଼ିବା ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ବୈଠକରେ ଅଧ୍ୟକ୍ଷତା କରି ବୀରନରସିଂହପୁର ନିକଟରେ ୧୩୦୭ ଏକର ପରିମିତ ଜାଗାରେ ଫରେଷ୍ଟ ନର୍ସରି କରିବା ବିଷୟରେ ଆଲୋଚନା କରିଥିଲେ। ପ୍ରସ୍ତାବିତ ପ୍ରକଳ୍ପ ଅଞ୍ଚଳ ମଧ୍ୟରେ ହରିଣ, ବାଘ, ସାପ ଓ ପକ୍ଷୀଙ୍କ ପାଇଁ ପ୍ରଯୁଜ୍ୟ ସ୍ଥାନ ନିରୂପଣ, ଜଳ ଉତ୍ସ ଚିହ୍ନଟ, ଔଷଧୀୟ ଚାରା ରୋପଣ ପାଇଁ ଜାଗା ଚିହ୍ନଟ, ପ୍ରକଳ୍ପର ସୁରକ୍ଷା ପାଇଁ ପାଚେରି ନିର୍ମାଣ, ବନ୍ୟଜନ୍ତୁ ଉଦ୍ଧାର ଓ ସଂରକ୍ଷଣ କେନ୍ଦ୍ର ପାଇଁ ଉପଯୁକ୍ତ ସ୍ଥାନ ଚିହ୍ନଟ, ପର୍ବତ ଜୋନ, ଉଦ୍ୟାନ ତଥା ପାର୍କ ପାଇଁ ଉପଯୁକ୍ତ ସ୍ଥାନ ଚିହ୍ନଟ ବିଷୟରେ ଜିଲ୍ଲାପାଳ ସମୀକ୍ଷା କରିଥିଲେ। ନନ୍ଦନବନକୁ ରାଜ୍ୟ ପ୍ରୋଜେକ୍ଟରେ ସାମିଲ କରିବା ପାଇଁ ଚିହ୍ନଟ ହୋଇଥିବା ଜିଲ୍ଲାପାଳ ପ୍ରକାଶ କରିଥିଲେ।
ସୂଚନାଯୋଗ୍ୟ, ଗତ ୧୪ ତାରିଖରେ ଜିଲ୍ଲା ପ୍ରଶାସନର ଅଧିକାରୀ ଓ ପାଞ୍ଚଟି ବିଭାଗର ଅଧିକାରୀମାନଙ୍କ ଦ୍ବାରା ନନ୍ଦନବନ ସଫାରି କାମର ସମୀକ୍ଷା କରାଯାଇଥିଲା। ସେପଟେ ରାଜସ୍ବ ବିଭାଗ ପକ୍ଷରୁ ପିଲର କାମ ଶେଷ ହୋଇଛି। ଆର୍କିଟେକ୍ଟଙ୍କ ଠାରୁ ପ୍ଲାନ ଓ ଡିଜାଇନ ପ୍ରସ୍ତୁତ କରାଯାଇ ପଲିଟେକ୍ନିକ ଅଧ୍ୟକ୍ଷଙ୍କୁ ସମ୍ପୂର୍ଣ୍ଣ ସର୍ଭେ କାମ ଦେଖିବା ପାଇଁ ଜିଲ୍ଲାପାଳ ଦାୟିତ୍ବ ନ୍ୟସ୍ତ କରିଛନ୍ତି। ୱାଟର୍ସେଡ୍ ପିଡିଙ୍କୁ ୫ଟି ନାଳାରେ ଚେକ୍ଡ୍ୟାମ କରିବା ସହ ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ, ମାଇନର ଇରିଗେସନ ପକ୍ଷରୁ କେନାଲ ନିର୍ମାଣ, ଉଦ୍ୟାନ ବିଭାଗ ପକ୍ଷରୁ ବୃକ୍ଷରୋପଣ ସହ ଉଦ୍ୟାନ ଗଠନ ଏବଂ ସମସ୍ତ ଅଧିକାରୀମାନେ ଉକ୍ତ ସ୍ଥାନକୁ ଯାଇ ନିଜ ବିଭାଗ ପକ୍ଷରୁ କ’ଣ ସବୁ ଯୋଜନା କରାଯାଇ ପାରିବ ସେ ବିଷୟରେ ମତାମତ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ସମସ୍ତ ଅଧିକାରୀ ନନ୍ଦନବନ ପ୍ରକଳ୍ପରେ ସାମିଲ ହୋଇ ଭିତ୍ତିଭୂମିର ବିକାଶ କରିବାକୁ ଆହ୍ବାନ ଦେଇଥିଲେ।
ନନ୍ଦନବନ ପାଖାପାଖି ଅଞ୍ଚଳରେ ହୋଟେଲ, ପାର୍କ ପାଇଁ ସ୍ଥାନ ନିରୂପଣ, ଟିକଟ କାଉଣ୍ଟର, ସଫାରୀ, ୱାଟର ଜୋନ ଓ ଉଦ୍ୟାନ କରିବା ବିଷୟରେ ବୈଠକରେ ଆଲୋଚନା ହୋଇଥିଲା। ଡ୍ରୋନ କ୍ୟାମେରାରେ ଏହି ସମସ୍ତ ସ୍ଥାନର ଭିଡିଓ ଉତ୍ତୋଳନ ସହିତ ଚେକ୍ଡ୍ୟାମ କାମ ଆରମ୍ଭ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ବୈଠକରେ ଏସ୍ପି ଭି. ରଘୁନାଥ ରାଓ, ଡିଏଫ୍ଓ ଯଶୋବନ୍ତ ସେଠୀ, ଉପଜିଲ୍ଲାପାଳ ଅଶ୍ବିନୀ ମେହେର, ଡେପୁଟି କଲେକ୍ଟର ଅବିନାଶ ପାଣ୍ଡିଆ, ପିଡି ଡିଆର୍ଡିଏ ବବିତା ରାଣୀ ଦଳବେହେରା, ଏନ୍ଏସି ଇଓ ଇଂ. ମନୋରଞ୍ଜନ ପଣ୍ଡା, ଡିଆଇପିଆର୍ଓ ରୀତାକାନ୍ତି ବଳିୟାରସିଂହ, କୃଷି, ଉଦ୍ୟାନ ବିଭାଗ ସହ ଅନ୍ୟାନ୍ୟ ବିଭାଗର ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ।