ପ୍ରାଣୀ ଉଦ୍ୟାନ ଖୋଲିବା ନେଇ ଆସିଲା ଗାଇଡଲାଇନ୍ : ଦିନକୁ ସର୍ବାଧିକ ୧୫୦୦ ଦର୍ଶକ; ଜର, ଥଣ୍ଡା ଓ କାଶ ଥିଲେ ପ୍ରବେଶ ମନା

ଭୁବନେଶ୍ବର: ପ୍ରାଣୀ ଉଦ୍ୟାନ ନନ୍ଦନ କାନନ ଖୋଲିବା ନେଇ ଜାରି ହେଲା ଗାଇଡଲାଇନ । ରାଜ୍ୟ  ବନ୍ୟ ପ୍ରାଣୀ ମୁଖ୍ୟାଳୟ ପକ୍ଷରୁ ଏହି ଗାଇଡଲାଇନ ଜାରି କରାଯାଇଛି । ଏହି ସମୟରେ କୋଭିଡ କଟକଣା ପାଳନ କରାଯିବ ।

ଗାଇଡଲାଇନ୍ ଅନୁଯାୟୀ, ନନ୍ଦନ କାନନକୁ ଦିନକ ଭିତରେ ସର୍ବାଧିକ ୧୫୦୦ ଦର୍ଶକ ଯାଇପାରିବେ ।  ବଡ ପ୍ରାଣୀ ଉଦ୍ୟାନକୁ ସର୍ବାଧିକ ୧୫୦୦  ପର୍ଯ୍ୟଟକ,  ଛୋଟ ପ୍ରାଣୀ ଉଦ୍ୟାନକୁ ୭୫୦ ଓ ସବୁଠାରୁ ଛୋଟ ବା ହରିଣ ପାର୍କକୁ ସର୍ବାଧିକ ୩୦୦ ପର୍ଯ୍ୟଟକ ଯାଇପାରିବେ । ଏହାସହ ପର୍ଯ୍ୟଟକମାନଙ୍କୁ ଅନଲାଇନରେ ଟିକେଟ ମିଳିବ ।

ବିନା ମାସ୍କରେ ପର୍ଯ୍ୟଟକମାନଙ୍କୁ ଚିଡିଆଖାନା ଭିତରକୁ ଛଡାଯିବ ନାହିଁ । ଜର, ଥଣ୍ଡା ଓ କାଶ ଥିଲେ ପ୍ରବେଶ ପାଇଁ ଅନୁମତି ମଧ୍ୟ ମିଳିବ ନାହିଁ । ଏହାସହ ପ୍ରବେଶ ଦ୍ୱାରରେ ଦେହର ତାପମାତ୍ରା ମଧ୍ୟ ମପାଯିବ । ବରିଷ୍ଠ ନାଗରିକ ଓ ଶିଶୁମାନଙ୍କୁ ଚିଡିଆଖାନା ନ ବୁଲିବା ପାଇଁ ପରାମର୍ଶ ଦିଆଯାଇଛି ।
ପୂର୍ବରୁ ଅକ୍ଟୋବର ୪ ତାରିଖରେ ନନ୍ଦନକାନନ ଖୋଲିବ ବୋଲି ଘୋଷଣା କରାଯାଇଥିଲା । ଏହାସହ ୪ ତାରଖରେ ଚନ୍ଦକା ଅଭୟାରଣ୍ୟ ମଧ୍ୟ ଖୋଲିବ ବୋଲି ସୂଚନା ରହିଛି । ଏହି ସମୟରେ କୋଭିଡ ଗାଇଡଲାଇନ ପାଳନ କରାଯିବ ବୋଲି କୁହାଯାଇଥିଲା । ହେଲେ ପର୍ଯ୍ୟଟକ କେତେ ଆସିବେ ସେ ନେଇ ନିଷ୍ପତ୍ତି ହୋଇନଥିଲା । ଆଜି ପର୍ଯ୍ୟଟକ ଆସିବା ନେଇ ବନ୍ୟ ପ୍ରାଣୀ ମୁଖ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ସମ୍ବନ୍ଧିତ ଖବର