ନନ୍ଦନକାନନ: ସାଥୀ ବିନା ଜୀବନ

ବାରଙ୍ଗ : ସାଥୀକୁ ଅପେକ୍ଷା କରି ଜୀବନ ଚାଲିଗଲା। ନିଃସଙ୍ଗତା ସାଙ୍ଗକୁ ବିରହ ଜୀବନକୁ ଦୁର୍ବିସହ କରିପକାଇଲା। ଅନେକ ଜୀବଜନ୍ତୁ ସାଥୀ ଅପେକ୍ଷାରେ ରହି ମୃତ୍ୟୁବରଣ କରିଥିଲେ ମଧ୍ୟ ନନ୍ଦନକାନନ କର୍ତ୍ତୃପକ୍ଷ ସାଥୀଟିଏ ଯୋଗାଡ଼ କରି ପାରି ନଥିଲେ। ଫଳରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଏକାକୀ ଥିବା ଅନେକ ଜୀବଜନ୍ତୁଙ୍କ ମୃତ୍ୟୁ ଯୋଗୁଁ ଅନେକ ପ୍ରଜାତିର ବଂଶ ଲୋପ ପାଇଯାଇଛି। ବଂଶ ଲୋପ ପାଇଥିବା ଜୀବଜନ୍ତୁଙ୍କ ମଧ୍ୟରେ ଅଛନ୍ତି ଓରାଙ୍ଗଓଟାନ, ସିଂହଲାଞ୍ଜି ମାଙ୍କଡ଼, କାସ୍ବାରୀ ପକ୍ଷୀ, ଜାଗୁଅର, କଳା ଚିତାବାଘ, ଭାରତୀୟ ଗଣ୍ତା, ଗୁଣ୍ତୁଚି ମାଙ୍କଡ଼, ହୁଲୁକ୍ ଗିବନ, ଜେବ୍ରା ଭଳି ଅନେକ ପ୍ରାଣୀ। ଏମାନେ ସମସ୍ତେ ସାଥୀଟିଏ ଅପେକ୍ଷାରେ ରହି ମୃତ୍ୟୁବରଣ କରିଛନ୍ତି। ସେହିଭଳି ସାଥୀ ମାନଙ୍କର ମୃତ୍ୟୁ ଯୋଗୁଁ ନନ୍ଦନକାନନର ଅନେକ ଜୀବ ଏବେ ନିଃସଙ୍ଗ ଜୀବନ ବିତାଉଛନ୍ତି। ଏକାକୀ ରହିଥିବା ଜୀବମାନଙ୍କ ପାଇଁ କର୍ତ୍ତୃପକ୍ଷ ତୁରନ୍ତ ସାଥୀ ଯୋଗାଡ଼ ନ କଲେ ନନ୍ଦନକାନନରୁ ଏମାନଙ୍କ ବଂଶ ମଧ୍ୟ ଲୋପ ପାଇବ ବୋଲି ପରିବେଶବିତ୍‌ ଓ ବୁଲି ଆସୁଥିବା ପର୍ଯ୍ୟଟକ ଚିନ୍ତାପ୍ରକଟ କରୁଛନ୍ତି।

ନୀଳଗିରି ହନୁ: ନନ୍ଦନକାନନର ୫୫ ‘କ’ ଖୁଆଡ଼ରେ ଥିବା ନୀଳଗିରି ହନୁ ବଂଶ ରକ୍ଷା ଲାଗି ସଂଘର୍ଷ ଚାଲିଛି। ୨୦୧୬ ନଭେମ୍ବର ୧୭ ତାରିଖରେ ଚେନ୍ନାଇ ସ୍ଥିତ ଅରିଗ୍‌ନାର ଆନ୍ନା ପ୍ରାଣୀ ଉଦ୍ୟାନରୁ ଦୁଇଟି ନୀଳଗିରି ହନୁ ମାଙ୍କଡ଼ ଅଣାଯାଇଥିଲା। ସେମାନଙ୍କ ମଧ୍ୟରୁ ଗତ ମାସ ୩୧ ତାରିଖରେ ୧୭ ବର୍ଷୀୟ ପୁରୁଷଟି ରୋଗାଗ୍ରସ୍ତ ହୋଇ ମୃତ୍ୟୁବରଣ କରିଛି। ଅବଶ୍ୟ ପର ଦିନ ଅର୍ଥାତ୍‌ ଗତ ୧ ତାରିଖରେ ମାଈ ହନୁଟି ଏକ ସନ୍ତାନ ଜନ୍ମ ଦେଇଛି। ମାତ୍ର ମା’ ଓ ଛୁଆଙ୍କୁ ନେଇ ବଂଶ ବୃଦ୍ଧି ସମ୍ଭବପର ନୁହେଁ।

ଚିତା ବିରାଡି: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରହିଛି ଏକ ମାତ୍ର ମାଈ ଚିତା ବିରାଡ଼ି। ଯାହର ବୟସ ମାତ୍ର ୧୦ ମାସ। ତାକୁ ୨୦୧୮ ନଭେମ୍ବର ୨୪ରେ କେନ୍ଦୁଝର ଜିଲ୍ଲା ବ୍ରାହ୍ମଣୀପାଳ ବନଖଣ୍ତରୁ ଉଦ୍ଧାର କରି ଅଣାଯାଇଥିଲା। ଅଣାଯିବା ବେଳେ ନନ୍ଦନକାନନର ୨୨ ନମ୍ବର ଖୁଆଡ଼ ମଧ୍ୟରେ ରହିଥିବା ଏକମାତ୍ର ପୁରୁଷ ଚିତା ବିରାଡ଼ିର ସାଥୀ ହେବ ବୋଲି ଆଶା କରାଯାଉଥିଲା। ହେଲେ ଗତ ୪ ତାରିଖରେ ପୁରୁଷଟିର ମୃତ୍ୟୁ ହୋଇଯାଇଛି। ନିଃସଙ୍ଗ ହୋଇ ଯାଇଛି ମାଈ ଚିତା ବିରାଡ଼ି।

ଲାଲ ତାମରିନ୍: ନନ୍ଦନକାନନ ପ୍ରାଣୀ ଚିକିତ୍ସା କେନ୍ଦ୍ର ମଧ୍ୟରେ ରହିଛି ଏକ ମାତ୍ର ଏହି ପ୍ରଜାତିର ମାଈ ମାଙ୍କଡ଼। ଅତ୍ୟନ୍ତ ଚତୁର କ୍ଷୁଦ୍ରକାୟ ବିଲୁପ୍ତ ପ୍ରାୟ ବିରଳ ପ୍ରଜାତିର ଦୁଇଟି ମାଙ୍କଡ଼ଙ୍କୁ ୨୦୧୮ ମାର୍ଚ୍ଚ ୨୫ରେ ତାମିଲନାଡ଼ୁର ମଦୁରାଇରୁ କ୍ରୟ କରି ନନ୍ଦନକାନନକୁ ଅଣାଯାଇଥିଲା। ପୁରୁଷଟିର ଗତ ଏପ୍ରିଲ ୧୯ ତାରିଖରେ ଅସୁସ୍ଥତା କାରଣରୁ ମୃତ୍ୟୁ ହୋଇଛି। ପ୍ରାଣୀ ଚିକିତ୍ସା କେନ୍ଦ୍ରର ଛେଟ ଯନ୍ତା ମଧ୍ୟରେ ଏକାକୀ ରହିଛି ମାଈ ଲାଲ ତାମରିନ୍‌।

ହଳଦୀ ପିଠିଆ ଶୁଆ: ବିହଙ୍ଗ ସରଣୀର ୩ ନମ୍ବର ‘କ’ ଖୁଆଡ଼ ମଧ୍ୟରେ ରହିଛି ଏକମାତ୍ର ୟେଲୋ ବ୍ୟାକ୍‌ଡ ଲରି ବା ହଳଦୀ ପିଠିଆ ଶୁଆ। ଯାହାର ବୟସ ୫ ବର୍ଷ। ତାକୁ ୨୦୧୪ ମାର୍ଚ୍ଚ ୩୧ରେ ଏକ ଘରୋଇ ସଂସ୍ଥା ଠାରୁ କ୍ରୟ କରି ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅଣାଯାଇଥିଲା। ପୂର୍ବରୁ ଥିବା ଏକ ସମପ୍ରଜାତି ସହିତ ତାକୁ ସାଥୀ କରି ରଖାଯାଇଥିଲା। ମାତ୍ର ଅଳ୍ପ କିଛି ମାସ ପରେ ସାଥୀର ମୃତ୍ୟୁ ହେବାରୁ ସେ ଏକାକୀ ରହି ଆସୁଛି।

ଆମ୍ବ୍ରେଲା କ୍ରେଷ୍ଟେଡ୍ ଓ ସଲଫର କ୍ରେଷ୍ଟେଡ୍ କୁକାଟୋ: ଆମ୍ବ୍ରେଲା କ୍ରେଷ୍ଟେଡ୍ ଓ ସଲଫର କ୍ରେଷ୍ଟେଡ୍ କୁକାଟୋ ଦୁଇଟି ବିଲୁପ୍ତ ପ୍ରାୟ ବିରଳ ଶୁକ ଜାତୀୟ ପକ୍ଷୀ ନନ୍ଦନକାନନର ବିହଙ୍ଗ ସରଣୀରେ ଦୀର୍ଘ ବର୍ଷ ହେବ ଏକାକୀ ଜୀବନ ବିତାଇ ଆସୁଛନ୍ତି। ଆମ୍ବ୍ରେଲା କ୍ରେଷ୍ଟେଡ୍ ୮ ନମ୍ବର ‘କ’ ଓ ଲେସର ସଲଫର କ୍ରେଷ୍ଟେଡ୍ ୮ ନମ୍ବର ‘ଗ’ ଖୁଆଡ଼ରେ ରହୁଛି।

ସାରସ ପକ୍ଷୀ: ବିହଙ୍ଗ ବିହାର ପରିସରର ୭୬ ‘ଗ’ ଖୁଆଡ଼ରେ ରହିଛି ଏକମାତ୍ର ବିରଳ ସାରସ ପକ୍ଷୀ। ୨୦୧୪ ଜୁଲାଇ ୧୫ରେ ୩୦ ବର୍ଷୀୟ ପରୁଷ ସାରସ ପକ୍ଷୀର ବାର୍ଦ୍ଧକ୍ୟ ଜନିତ କାରଣରୁ ମୃତ୍ୟୁ ପରେ ରହିଛି ଏକମାତ୍ର ମାଈ ସାରସ ପକ୍ଷୀ।

ହାଡ଼ଗିଳା ପକ୍ଷୀ: ୭୬ ‘କ’ ଖୁଆଡ଼ରେ ରହିଛି ଏକମାତ୍ର ହାଡ଼ଗିଳା ପକ୍ଷୀ। ତା’ ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ସାଥୀଟିଏ ଯୋଗାଡ଼ କରି ପାରୁନଥିବାରୁ ସେ ଏକାକୀ ଜୀବନ ବିତାଉଛି।

ଧୂସର ଗଧିଆ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପ୍ରାଣୀ ଚିକିତ୍ସା ପରିସରରେ ରହିଛି ଏକ ମାତ୍ର ବିଲୁପ୍ତ ବିରଳ ପ୍ରଜାତିର ଧୂସର ଗଧିଆ। ଏହି ପ୍ରଜାତି ଭୟଙ୍କର ଶିକାରୀ ଭାବେ ବିଶ୍ବରେ ପରିଚିତ। ନନ୍ଦନକାନନକୁ ୨୦୧୮ ନଭେମ୍ବର ୨୯ରେ ପ୍ରଥମ କରି ଏକ ହଳ ଧୂସର ଗଧିଆଙ୍କୁ ଅଣାଯାଇଥିଲା। ଅଣାଯିବା ଦିନଠାରୁ ଧୂସର ଗଧିଆ ଯୋଡ଼ି ପ୍ରାଣୀ ଚିକିତ୍ସା କେନ୍ଦ୍ରର ଛୋଟ ଖୁଆଡ ମଧ୍ୟରେ ପର୍ଯ୍ୟଟକଙ୍କ ଦୃଷ୍ଟି ଆଢୁଆଳରେ ରହି ଆସୁଥିଲେ। ସେମାନଙ୍କ ମଧ୍ୟରୁ ମାଈଟିର ଗତ ମାର୍ଚ୍ଚ ୭ ତାରିଖରେ ଅଚାନକ ହୃଦ୍‌ଘାତରେ ମୃତ୍ୟୁ ହୋଇଛି। ଫଳରେ ଅଣ୍ଡିରା ଧୂସର ଗଧିଆଟି ଏକାକୀ ରହିଛି।

ନନ୍ଦନକାନନରେ ଜୀବଜନ୍ତୁଙ୍କର ବିଭିନ୍ନ କାରଣରୁ ମୃତ୍ୟୁ ଫଳରେ ଅନେକ ପ୍ରଜାତୀଙ୍କ ବଂଶ ଲୋପ ପାଇଛି। ଆଉ କିଛି ଜୀବଜନ୍ତୁ ଏକାକୀ ହୋଇ ରହିଛନ୍ତି। ନନ୍ଦନକାନନର ଏକାକୀ ଜୀବମାନଙ୍କ ପାଇଁ କର୍ତ୍ତୁପକ୍ଷ ତୁରନ୍ତ ସାଥୀ ଯୋଗାଡ଼ ନ କଲେ ନନ୍ଦନକାନନରୁ ଏମାନଙ୍କର ମଧ୍ୟ ବଂଶ ଲୋପ ପାଇବ ବୋଲି ବୁଲି ଆସୁଥିବା ପର୍ଯ୍ୟଟକମାନେ ଚିନ୍ତାପ୍ରକଟ କରୁଛନ୍ତି।

ସମ୍ବନ୍ଧିତ ଖବର