ପରିବେଶ ସମ୍ବେଦନଶୀଳ ଅଞ୍ଚଳ ‘ନନ୍ଦନକାନନ’

ଘୋଷଣା କଲା କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ, ପାଚେରିଠାରୁ ୩୪୦ ମିଟର ପର୍ଯ୍ୟନ୍ତ ଲାଗୁ ହେବ ନିୟମ, ତଦାରଖ ପାଇଁ ଗଠନ ହେଲା ୧୧ ଜଣିଆ କମିଟି

ଭୁବନେଶ୍ବର : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଚତୁଃପାର୍ଶ୍ବ ପରିବେଶ ପ୍ରଦୂଷିତ ହୋଇଗଲାଣି। ଏଠାକାର ଜୀବଜନ୍ତୁ ଆଉ ସୁରକ୍ଷିତ ନୁହନ୍ତି। ପ୍ରଦୂଷିତ ପରିବେଶ ପ୍ରଭାବରେ ଆସି ପ୍ରତି ମାସରେ ଜୀବଜନ୍ତୁଙ୍କ ମୃତ୍ୟୁ ହେଉଛି। ହାତୀ, ବାଘଠାରୁ ଆରମ୍ଭ କରି ବିରଳ ପ୍ରଜାତିର ମାଙ୍କଡ଼ ବଂଶ ଲୋପ ପାଇଗଲାଣି। ବିଶେଷକରି ଗତ ୫ ବର୍ଷ ମଧ୍ୟରେ ଅନେକ ଜୀବଜନ୍ତୁ ମରିଥିବାରୁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟ ପକ୍ଷରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଇକୋ-ସେନ୍‌ସିଟିଭ୍‌ ଜୋନ୍‌(ପରିବେଶ ସମ୍ବେଦନଶୀଳ ଅଞ୍ଚଳ ବା ଇଏସ୍‌ଜେଡ୍‌) ଭାବେ ଘୋଷଣା କରାଯାଇଛି। ପରିବେଶ ସୁରକ୍ଷା ଆଇନ ୧୯୮୬ ଅନୁଯାୟୀ ମନ୍ତ୍ରଣାଳୟ ପକ୍ଷରୁ ନନ୍ଦନକାନନ ପାଚେରିଠାରୁ ୩୪୦ ମିଟର ପର୍ଯ୍ୟନ୍ତ ଅଞ୍ଚଳ ଇଏସ୍‌ଜେଡ୍‌ରେ ରହିବ। ଏହି ଜୋନ୍‌ ଅଧୀନରେ କଟକ ଓ ଖୋର୍ଧା ଜିଲ୍ଲାର ୧.୩୧ ବର୍ଗ କିଲୋମିଟର ଅଞ୍ଚଳ ରହିଛି। ‌ଯେଉଁଥିରେ କଟକ ଜିଲ୍ଲାର ୦.୧୮ ବର୍ଗ କିମି ରହିଥିବା ବେଳେ ଖୋର୍ଧା ଜିଲ୍ଲାର ୧.୧୩ ବର୍ଗ କିମି ରହିଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପରିବେଶ ସମ୍ବନ୍ଧୀୟ ତଥା ସନ୍ତୁଳିତ ପରିବେଶ ପାଇଁ ଏଠାରେ ବିଭିନ୍ନ ପ୍ରକାର ଉଦ୍ଭିଦ ଓ ଜୀବଜନ୍ତୁ ବାସ କରୁଥିବାରୁ ଏହାର ନିକଟବର୍ତୀ ଅଞ୍ଚଳରେ କୌଣସି ପ୍ରକାର ଶିଳ୍ପାନୁଷ୍ଠାନ କିମ୍ବା ଶିଳ୍ପ ସମ୍ବନ୍ଧୀୟ କାର୍ଯ୍ୟକଳାପ କରାଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି।

ଇଏସ୍‌ଜେଡ୍‌ ଘୋଷଣା ହେବା ପରେ ଆସନ୍ତା ଦୁଇ ବର୍ଷ ମଧ୍ୟରେ ରାଜ୍ୟ ସରକାର ଏକ ଜୋନାଲ୍‌ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କରିବେ। ଏଥିରେ ଜଙ୍ଗଲ ଓ ପରିବେଶ ବିଭାଗ ସମେତ ଗୃହ ଓ ନଗର ଉନ୍ନୟନ ବିଭାଗ, ପର୍ଯ୍ୟଟନ, ଜଳସେଚନ, ପୂର୍ତ୍ତ ବିଭାଗ(କୋଠା ଓ ସଡ଼କ), ରାଜସ୍ବ ବିଭାଗ, ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସାମିଲ ହେବେ। ମାଷ୍ଟରପ୍ଲାନ ପ୍ରସ୍ତୁତ ସମୟରେ ବିଭିନ୍ନ ଦିଗ ପ୍ରତି ଗୁରୁତ୍ବ ଦିଆଯିବ। ଇଏସ୍‌ଜେଡ୍‌ରେ ଭିତ୍ତିଭୂମି ବିକାଶ, ନିକଟରେ ଥିବା ଜଳାଶ୍ରୟର ସଂରକ୍ଷଣ, ମନ୍ଦିର, ଗ୍ରାମ, ସହରାଞ୍ଚଳ, ଜଙ୍ଗଲ ଜମି, ଚାଷ ଜମି, ପାର୍କ, ଉଦ୍ୟାନକୃଷି ଅଞ୍ଚଳ, ଅର୍କିଡ୍‌, ହ୍ରଦ ଆଦି ଚିହ୍ନଟ କରାଯିବ। ନନ୍ଦନକାନନ ନିକଟବର୍ତୀ ଅଞ୍ଚଳର କେଉଁ ଜମିକୁ କେଉଁଥିପାଇଁ ବ୍ୟବହାର କରାଯିବ ତାହାକୁ ଭଲ ଭାବେ ଯାଞ୍ଚ କରି ରାଜ୍ୟ ସରକାର ଅନୁମତି ପ୍ରଦାନ କରିବେ। ଟୁରିଜିମ୍‌ ମାଷ୍ଟର ପ୍ଲାନ ଅନୁଯାୟୀ ଏହି ଅଞ୍ଚଳରେ ପରିବେଶ ପର୍ଯ୍ୟଟନ କାର୍ଯ୍ୟକଳାପ କରାଯାଇପାରିବ। ଜୋନାଲ୍‌ ମାଷ୍ଟରପ୍ଲାନ୍‌ ଅନୁଯାୟୀ ପ୍ରାକୃତିକ ଐତିହ୍ୟ ସ୍ଥଳ ଓ ପୂର୍ବରୁ ରହିଥିବା ମନୁଷ୍ୟକୃତ ଐତିହ୍ୟ ସ୍ଥଳର ସଂରକ୍ଷଣ ହେବ। ଏହି ଅଞ୍ଚଳରେ ଶବ୍ଦ, ବାୟୁ ପ୍ରଦୂଷଣ ଉପରେ ରୋକ ଲଗାଯିବ। ସଲିଡ୍‌ ୱେଷ୍ଟ ମ୍ୟାନେଜ୍‌ମେଣ୍ଟ, ବାୟୋ-ମେଡିକାଲ ୱେଷ୍ଟ, ପ୍ଲାଷ୍ଟିକ୍‌ ୱେଷ୍ଟ ମ୍ୟାନେଜ‌ମେଣ୍ଟ, ଭଙ୍ଗା ହେଉଥିବା ନିର୍ମାଣ ସ୍ଥଳରୁ ବାହାରୁ ଥିବା ବର୍ଜ୍ୟର ପରିଚାଳନା, ଇ-‌ୱେଷ୍ଟ, ଟ୍ରାଫିକ୍‌ ଭିଡ଼ କମାଇବା, ଯାନବାହାନ ପ୍ରଦୂଷଣକୁ ରୋକିବା ପାଇଁ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ ହେବ।

ପରିବେଶ ସମ୍ବେଦନଶୀଳ ଅଞ୍ଚଳର ତଦାରଖ ପାଇଁ ଏକ ପରିଚାଳନା କମିଟି ଗଠନ କରାଯାଇଛି। କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଏହାର ଅଧ୍ୟକ୍ଷ ରହିଛନ୍ତି। ଏହି କମିଟିରେ କଟକ ଓ ଖୋର୍ଧା ଜିଲ୍ଲାପାଳ, ଭୁବନେଶ୍ବର ଡିସିପି, କେନ୍ଦ୍ର ସରକାରଙ୍କ ଦ୍ବାରା ମନୋନୀତ ସ୍ବେଚ୍ଛାସେବୀ ସଙ୍ଗଠନର ପ୍ରତିନିଧି, ବିଡିଏର ସଚିବ, ରାଜ୍ୟ ସରକାରଙ୍କ ଦ୍ବାରା ମନୋନୀତ ଜୈବବିବିଧତା ବିଶେଷଜ୍ଞ, ବିଶ୍ବବିଦ୍ୟାଳୟର ଜଣେ ପରିବେଶ ବିଜ୍ଞାନୀ, ବିଏମ୍‌ସି କମିସନରଙ୍କ ପ୍ରତିନିଧି, ରାଜ୍ୟ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ, ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଉପ ନିର୍ଦେଶକ ସଦସ୍ୟ ରହିଛନ୍ତି।

ଇଏସ୍‌ଜେଡ୍‌ ଅଞ୍ଚଳରେ କୌଣସି ପ୍ରକାର ବ୍ୟବସାୟିକ ଖଣି ଖନନ, ବୃହତ ଜଳବିଦ୍ୟୁତ୍‌ ପ୍ରକଳ୍ପ ସ୍ଥାପନ, ପ୍ରଦୂଷଣକାରୀ ଶିଳ୍ପ ସଂସ୍ଥା, ହାନିକାରକ ଉପାଦାନର ଉତ୍ପାଦନ ଓ ପ୍ରକ୍ରିୟାକରଣ, ଇଟା ଭାଟି, କରତ କଳ ପ୍ରତିଷ୍ଠା ଉପରେ ରୋକ ଲଗାଯାଇଛି। ବାଣିଜ୍ୟିକ ବ୍ୟବହାର ପାଇଁ ନିର୍ମାଣ ହେଉଥିବା ହୋଟେଲ ଓ ରିସର୍ଟ ନିର୍ମାଣ, ପରିବେଶ ପ୍ରଦୂଷଣ ହେଉ ନଥିବା କ୍ଷୁଦ୍ର ଶିଳ୍ପ, ଗଛ ଲଗାଇବା, ବିଦ୍ୟୁତ୍‌ ତାର ଓ କେବୁଲ୍‌ ଟାଣିବା, ରାସ୍ତା ନିର୍ମାଣ, ଇଏସ୍‌ଜେଡ୍‌ ଚିହ୍ନଟ ଅଞ୍ଚଳ ଉପରେ ହଟ୍‌ ଏୟାର ବେଲୁନ୍‌, ହେଲିକପ୍ଟର, ଡ୍ରୋନ୍‌, ମାଇକ୍ରୋଲାଇଟ୍ସ ଉଡ଼ାଣ, ରାତିରେ ଭାରିଯାନ ଚଳାଚଳ ପ୍ରଭୃତି କାର୍ଯ୍ୟକଳାପ ଉପରେ ନିୟନ୍ତ୍ରଣ କରାଯିବ। ସଲିଡ୍‌ ୱେଷ୍ଟ ମ୍ୟାନେଜ୍‌ମେଣ୍ଟ, ପରିବେଶ ପର୍ଯ୍ୟଟନ, ପଲିଥିନ୍‌ ବ୍ୟାଗ୍‌ର ବ୍ୟବହାର, ବାଣିଜ୍ୟିକ ସାଇନ୍‌ବୋର୍ଡ ଓ ହୋର୍ଡିଂ ଆଦି ନିୟମ ଅନୁଯାୟୀ ଲାଗୁ ହେବ। ଏଥିସହ ବର୍ଷାଜଳ ଅମଳ, ଅର୍ଗାନିକ୍‌ ଫାର୍ମିଂ, ବିଭିନ୍ନ କାର୍ଯ୍ୟକ୍ରମରେ ସବୁଜ ଜ୍ଞାନକୌଶଳକୁ ବ୍ୟବହାର, କଟେଜ୍‌ ଇଣ୍ଡଷ୍ଟ୍ରି ପ୍ରତିଷ୍ଠା, ରିନେବ୍ୟୁଲ୍‌ ଏନର୍ଜି ଓ ଫୁଏଲ୍‌ର ବ୍ୟବହାର, ଆଗ୍ରୋ-ଫରେଷ୍ଟ୍ରି, ଉଦ୍ୟାନକୃଷି ଓ ଔଷଧୀୟ ଗଛ ଲଗାଇବା, ପରିବେଶ ଅନୁକୂଳ ପରିବହନ, ପରିବେଶ ସଚେତନତାଧର୍ମୀ କାର୍ଯ୍ୟକଳାପକୁ ଅଧିକ ପୋତ୍ସାହିତ କରିବାକୁ କୁହାଯାଇଛି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଗତମାସରେ ନନ୍ଦନକାନନ କର୍ତୃପକ୍ଷ ନୋଟିସ୍‌ ଜାରି କରିଛନ୍ତି। ଏଥିରେ ଆହୁରି କୁହାଯାଇଛି ଯେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ସହ କାଞ୍ଜିଆ ହ୍ରଦ, ବଟାନିକାଲ ଗାର୍ଡେନ, ଜୁଝଗଡ଼, କାଶୀନଗର ସଂରକ୍ଷିତ ଜଙ୍ଗଲ ଏହା ମଧ୍ୟରେ ରହିଛି। ଏଠାରେ ୭୦୪ ପ୍ରଜାତିର ବୃକ୍ଷ ଓ ଉଦ୍ଭିଦ ରହିଛି। ସେଥିମଧ୍ୟରୁ ୧୪୨ଟିର ସଂରକ୍ଷଣ କରାଯାଇଛି। ୧୫୩ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ପକ୍ଷୀ ଓ ସରୀସୃପ, ୩୮ ପ୍ରଜାତିର ମାଛ ଏଠାରେ ରହିଥିବା ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର