ଭଦ୍ରକ/ପୁରୀ: ନୂଆଦିଲ୍ଲୀ ଆନନ୍ଦବିହାରରୁ ପୁରୀ ଅଭିମୁଖେ ଆସୁଥିବା ନନ୍ଦନକାନନ ଏକ୍ସପ୍ରେସ୍(ନଂ ୧୨୮୧୬)ଉପରକୁ ଭଦ୍ରକରେ ଗୁଳିମାଡ଼ ହୋଇଛି। ତେବେ, ପ୍ରକୃତରେ ଏହା ଗୁଳିମାଡ଼ ନା ଅନ୍ୟ କୌଣସି କାରଣରୁ ଟ୍ରେନ୍ ବଗିର ଝରକା କାଚ କଣା ହୋଇଛି ସେ ସଂପର୍କରେ ରେଳ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ।
ଆଜି ସକାଳ ୯ଟା ୨୦ମିନିଟ୍ ସମୟରେ ଚରମ୍ପାସ୍ଥିତ ଭଦ୍ରକ ଷ୍ଟେସନ୍ଠାରୁ ମାତ୍ର ୨୦୦ ମିଟର ଦୂରରେ ୧୧୯ ନମ୍ବର ଗେଟ୍ ନିକଟରେ ନନ୍ଦନକାନନ ଏକ୍ସପ୍ରେସ୍ ଉପରକୁ ଗୁଳିମାଡ଼ ହୋଇଥିବା ସନ୍ଦେହ ପ୍ରକାଶ କରାଯାଇଥିଲା। ଜିଆର୍ପି ଓଆଇସି ପପୁ ନାୟକଙ୍କ କହିବା ଅନୁଯାୟୀ, କେହି ଦୁର୍ବୃତ୍ତ ନନ୍ଦନକାନନ ଏକ୍ସପ୍ରେସର ଗାର୍ଡ ବଗିକୁ ଗୁଳିମାଡ଼ କରିଥିବା ଅନୁମାନ କରାଯାଉଛି। ଗୁଳିଟି ଗାର୍ଡ ବଗିର ଝରକା କାଚରେ ବାଜି କଣା ହୋଇଯାଇଛି। ତେବେ, ଟ୍ରେନ୍ ଭିତରୁ କିମ୍ବା ଘଟଣାସ୍ଥଳରୁ କୌଣସି ଖୋଖା ମିଳିନି ବୋଲି ସେ କହିଛନ୍ତି। ଘଟଣା ଜଣାପଡ଼ିବା ପରେ ଟ୍ରେନ୍କୁ ଅଟକା ଯାଇଥିଲା। ଜିଆର୍ପି ଓ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରିଥିଲେ। ସେପଟେ ଗୁଳିମାଡ଼ ଖବର ଶୁଣି ଯାତ୍ରୀମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଆର୍ପିଏଫ୍ ଓ ଜିଆର୍ପି ଯାତ୍ରୀମାନଙ୍କୁ ବୁଝାସୁଝା କରିଥିଲେ। ପାଖାପାଖି ଅଧଘଣ୍ଟା ଅଟକି ରହିବା ପରେ ଟ୍ରେନ୍ଟି ଭଦ୍ରକ ଛାଡ଼ିଥିଲା। ଯାଜପୁରରୋଡ୍ ଷ୍ଟେସନ୍ଠାରେ ଟ୍ରେନ୍କୁ ସମ୍ପୂର୍ଣ୍ଣ ଭାବେ ଯାଞ୍ଚ କରାଯାଇଥିବା ଜଣାପଡ଼ିଛି। ଏଥିରେ କାହାର କୌଣସି କ୍ଷତି ହୋଇ ନଥିବାବେଳେ ଟ୍ରେନ୍ର ଗାର୍ଡ ଏ ନେଇ ଭଦ୍ରକ ଷ୍ଟେସନ୍ମାଷ୍ଟରଙ୍କୁ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଥିଲା। ଏହା ଗୁଳିମାଡ଼ ନା ଆଉ କିଛି ସେ ନେଇ ତଦନ୍ତ ଜାରି ରହିଛି। ଅପରପକ୍ଷରେ, ସେଠାରେ ନୂଆ ରେଳପଥ କାମ ଚାଲିଛି। ବଡ଼ ବଡ଼ ମେଟାଲ ପଡ଼ିଥିବାରୁ ସେଥିରୁ ମେଟାଲ ଛିଟିକି କାଚ ଭାଙ୍ଗିଥିବା ନେଇ ମଧ୍ୟ ଅନୁମାନ କରାଯାଉଛି।
ତଦନ୍ତ ଚାଲିଛି, ସ୍ପଷ୍ଟ ହୋଇନି
ଟ୍ରେନ୍ ଭିତରୁ ମିଳିନି ଖୋଖା
ସେହିପରି ପୁରୀ ରେଳଷ୍ଟେସନ୍ଠାରେ ଟ୍ରେନ୍ ପହଞ୍ଚିବା ପରେ ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରିଛି। ଟ୍ରେନ୍ ଭିତରୁ କୌଣସି ଖୋଖା ମିଳି ନଥିଲେ ବି ପ୍ରାଥମିକ ତଦନ୍ତରୁ ଏହା ଏକ ଗୁଳିମାଡ଼ ବୋଲି ସାଇଣ୍ଟିଫିକ୍ ଟିମ୍ ଅନୁମାନ କରୁଛି। ତଦନ୍ତ ରିପୋର୍ଟ ଆସିବା ପରେ ଚିତ୍ର ସ୍ପଷ୍ଟ ହେବ ବୋଲି ରେଳ ଅଧିକାରୀମାନେ କହିଛନ୍ତି। ଗୁଳିମାଡ଼ ବେଳେ ନନ୍ଦନକାନନ ଏକ୍ସପ୍ରେସରେ ଡ୍ୟୁଟିରେ ଥିବା ଗାର୍ଡ ମହେନ୍ଦ୍ର ବେହେରା ପୁରୀ ଜିଆର୍ପି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କାଚ ଭାଙ୍ଗିବା ଶବ୍ଦ ଶୁଣି ପହଞ୍ଚିବା ବେଳକୁ ଜନୈକ ବ୍ୟକ୍ତି କିଛି ଧରିଥିବା ଓ ପାଖରୁ ଧୂଆଁ ବାହାରୁଥିବା ଦେଖିଥିଲେ ବୋଲି ଦର୍ଶାଇଛନ୍ତି।
ମହେନ୍ଦ୍ର ଅଭିଯୋଗ କରିଛନ୍ତି, ଆଜି ସକାଳ ପ୍ରାୟ ୯ଟା ୧୫ରୁ ୯ଟା୨୦ ଭିତରେ ଭଦ୍ରକ ରେଳଷ୍ଟେସନ୍ ୧ନମ୍ବର ପ୍ଲାଟଫର୍ମରୁ ନନ୍ଦନକାନନ ଏକ୍ସପ୍ରେସ୍ ଯାତ୍ରା ଆରମ୍ଭ କରି ଲେଭଲ୍ କ୍ରସିଂ ପାର ହେଉଥିବା ବେଳେ ଏଭଳି କାଣ୍ଡ ଘଟିଛି। ଗୁଳିକାଣ୍ଡ ସମୟରେ ଟ୍ରେନ୍ର ବେଗ ଘଣ୍ଟା ପ୍ରତି ପ୍ରାୟ ୧୫ କିମି ଥିଲା ବୋଲି କହିଛନ୍ତି। ଆଜି ଅପରାହ୍ଣ ପ୍ରାୟ ୨ଟାରେ ଏହି ଟ୍ରେନ୍ଟି ପୁରୀ ରେଳଷ୍ଟେସନ୍ର ୪ ନମ୍ବର ପ୍ଲାଟ୍ଫର୍ମରେ ପହଞ୍ଚିବା ପରେ ଏହାକୁ ସିଲ୍ କରି ଜିଆର୍ପି, ଆରପିଏଫ୍, ସାଇଣ୍ଟିଫିକ୍ ଓ ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନେଇ ଗଠିତ ୪ଟି ଦଳ ସରଜମିନ ତଦନ୍ତ କରିଛନ୍ତି। ପ୍ରାୟ ୩ ଘଣ୍ଟା ଧରି ତଦନ୍ତ କରିଥିଲେ ମଧ୍ୟ କୌଣସି ଖୋଖା ମିଳିନି। ଜିଆର୍ପି ଥାନା ଅଧିକାରୀ ସନ୍ତୋଷ କୁମାର ବାହିନୀପତି କହିଛନ୍ତି, ଏହା ଗୁଳିମାଡ଼ କି ଅନ୍ୟ କିଛି ସ୍ପଷ୍ଟ ହୋଇନି। ସାଇଣ୍ଟିଫିକ୍ ଟିମ୍ର ଅଧିକାରୀ କହିଛନ୍ତି, ଚଳନ୍ତା ଟ୍ରେନ୍କୁ ପଥର ମାଡ଼ ହେଲେ ଏଭଳି ଛିଦ୍ର ସୃଷ୍ଟି ହେବନି। ତେଣୁ ଏହା ଗୁଳିମାଡ଼ ବୋଲି ଅନୁମାନ କରୁଛୁ। ପୁରୀ ଏଏସ୍ପି ବିଷ୍ଣୁପଦ ପତି ମଧ୍ୟ ଏ ନେଇ ତଦନ୍ତ କରିବା ସହ ଗାର୍ଡଙ୍କୁ ପଚରାଉଚରା କରିଛନ୍ତି।