ନନ୍ଦନକାନନର ୬୦ତମ ପ୍ରତିଷ୍ଠା ଦିବସ : ପର୍ଯ୍ୟଟକଙ୍କୁ ଦେଖା ଦେଲେ ‘ବାସୁ’ ଓ ‘ସ୍ପନ୍ଦନ’

ଶ୍ରୀଲଙ୍କାରୁ ସିଂହ, ସିଙ୍ଗାପୁରରୁ ନୂଆ ଜୀବ ଆସିବେ

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୦ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିପାଇଁ ଆଜି ସକାଳୁ ସଜେଇ ହୋଇଥିଲା ପ୍ରାଣୀ ଉଦ୍ୟାନ ପରିସର। ଉପନିର୍ଦ୍ଦେଶକ ଜୟନ୍ତ ଦାସଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରଧାନ ମୁଖ୍ୟ ବନସଂରକ୍ଷକ(ବନ୍ୟପ୍ରାଣୀ) ତଥା ମୁଖ୍ୟ ବନ୍ୟପ୍ରଣୀ ସଂରକ୍ଷକ ହରିଶଙ୍କର ଉପାଧ୍ୟାୟ, ଅତିଥି ଭାବେ ଜଟଣୀ ବିଧାୟକ ସୁରେଶ ରାଉତରାୟ, ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ନନ୍ଦନକାନନ ନିର୍ଦ୍ଦେଶକ ଶଶି ପଲ, ଡ. ଆଲୋକ ଦାସ ଯୋଗ ଦେଇଥିଲେ। ଅତିଥି ମାନଙ୍କ ଦ୍ବାରା ଦୁଇଟି ନବ ନିର୍ମିତ ଖୁଆଡ଼ ଉନ୍ମୋଚନ କରାଯାଇଥିଲା। ଗୋଟିଏ ଖୁଆଡ଼ ୨୮.୨୫ ବର୍ଗ ମିଟରର ହୋଇଥିବା ବେଳେ ଏହା ୨୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି। ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଲାଗି ଗୋଟିଏ ଲାଲ ହାତ ତାମରିନ୍, ଗୁଣ୍ତୁଚି ମାଙ୍କଡ଼ ୨ଟି ଓ ୨ଟି ତୁଫଟେଡ୍‌ କାପୁଚିନଙ୍କୁ ଛଡ଼ାଯାଇଛି। ଖୁବଶୀଘ୍ର ଏକାକୀ ରହୁଥିବା ଲାଲ ହାତ ତାମରିନ୍ ପାଇଁ ଆଉ ଏକ ହଳ ସାଥୀ ଆଣି ଛଡ଼ାଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ଏଥିସହିତ ୫୩ ଲକ୍ଷ ୮୪ ହଜାର ଟଙ୍କା ବ୍ୟୟରେ ନିର୍ମିତ ଧୂସର ଗଧିଆ ଖୁଆଡ଼ ଉନ୍ମୋଚିତ ହୋଇଛି। ସେଥିରେ ଏକ ମାତ୍ର ମାଈ ଗଧିଆକୁ ଛଡାଯାଇଥିଲା। ଖୁବଶୀଘ୍ର ଏହାର ସାଥୀ ଯୋଗାଡ଼ କରି ଆଣି ଛାଡିବାକୁ ଯୋଜନା ହୋଇଥିବା କର୍ତ୍ତୃପକ୍ଷ କହିଛନ୍ତି।

ଏଥିସହିତ ସାଧାରଣ ନାଲି ବାଘୁଣୀ ରେଣୁକା ସହିତ ତା’ର ଏକ ବର୍ଷ ୩ ମାସର ୨ ବିରଳ କଳା ରଙ୍ଗର ବାଘ ଛୁଆଙ୍କୁ ପ୍ରଥମ କରି ପର୍ଯ୍ୟଟକଙ୍କ ପାଇଁ ୩୩ ‘କ’ ଖୁଆଡ଼ରେ ଛାଡାଯାଇ ବାସୁ ଓ ସ୍ପନ୍ଦନ ଭାବେ ସେମାନଙ୍କ ନାମକରଣ କରାଯାଇଥିଲା। ଏହି ଅବସରରେ ଆୟୋଜିତ ସଭାରେ ନନ୍ଦନକାନନର ବାର୍ଷିକ ପୁସ୍ତକ, ନୂଆବର୍ଷର ଟେବୁଲ କ୍ୟାଲେଣ୍ତର ଓ ଡବ୍ଲୁଡବ୍ଲୁଏଫ୍‌ର ଏକ ଓ୍ବେବ ପୋର୍ଟାଲ ଅତିଥି ମାନଙ୍କ ଦ୍ବାରା ଅନ୍ମୋଚନ କରାଯାଇଥିଲା। ଉଲ୍ଲେଖନୀୟ ସେବା ପାଇଁ ଫରେଷ୍ଟ ଗାର୍ଡ ରାମଚନ୍ଦ୍ର କାଣ୍ତି, ସୁଶାନ୍ତ ବେହେରା, ଅରୂପ ରାଉତ ଓ ଶିବରାମ ସାହୁଙ୍କ ସମେତ ୧୯ ଜଣଙ୍କୁ ପୁରଷ୍କୃତ କରାଯାଇଥିଲା। ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ସରୋଜ ପଟ୍ଟନାୟକ ଓ କମଳ ଲୋଚନ ପୁରୋହିତ ନନ୍ଦନକାନନର ଅତୀତ ଉପରେ ଆଲୋକପାତ କରିଥିଲେ।

୧୯୬୦ ମସିହା ଡିସେମ୍ବର ୨୯ ତାରିଖରେ ୧୧ଟି ପ୍ରାଣୀଙ୍କୁ ନେଇ ପ୍ରତିଷ୍ଠା କରାଇଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବର୍ତ୍ତମାନ ୧୫୮ ପ୍ରଜାତିର ୩୬୦୦ ଜୀବଜନ୍ତୁ ରହିଛନ୍ତି। ଧଳା ଓ କଳା ବାଘ ଏବଂ ବଜ୍ରକାପ୍ତା ପ୍ରଜନନରେ ଏହା ବିଶ୍ବରେ ପ୍ରଥମ ପ୍ରସିଦ୍ଧ ଚିଡ଼ିଆଖାନା। ୮ ହଜାର ଘଡ଼ିଆଳ କୁମ୍ଭୀର ଥିବା ପ୍ରଥମ ଚିଡ଼ିଆଖାନା ମଧ୍ୟ। ଆଗକୁ ଲୋପ ପାଇଥିବା ଶଗୁଣା ପ୍ରଜନନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ ଲାଗି ପ୍ରୟାସ ଜାରି ରଖିବା ସହ ଅନେକ କିଛି ଯୋଜନା ରହିଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ଅପରପକ୍ଷରେ ନନ୍ଦନକାନନକୁ ଶ୍ରୀଲଙ୍କାରୁ ସିଂହ ଆଣି ପ୍ରଜନନ କରାଇବା ଓ ସିଙ୍ଗାପୁରରୁ ନୂଆ ଜୀବ ଆଣିବା ସହ କୁମ୍ଭୀର ଅଦଳବଦଳ କରିବାକୁ ଯୋଜନା ହୋଇଛି। ଚିତା ବାଘ, ଗ୍ରେ ୱାଲାବି ଓ କ୍ୟାପିବାରା ପ୍ରଭୃତି ଆଣିବାକୁ ଯୋଜନା ହୋଇଥିବା କହିଛନ୍ତି ନନ୍ଦନକାନନ ଜୈବ ଉଦ୍ୟାନର ନିର୍ଦ୍ଦେଶକ ଶଶି ପଲ। ନନ୍ଦନକାନନରେ ହାତୀ ସମେତ ଅନେକ ଜୀବଙ୍କ ମୃତ୍ୟୁର କାରଣ ବାତ୍ୟା ଭଳି ପ୍ରକୃତିକ ବିପର୍ଯ୍ୟୟ ପାଇଁ ଘଟୁଥିବା ଓ ଗଣମାଧ୍ୟମ ମାନେ ସବୁ କ୍ଷେତ୍ରରେ ସତର୍କ ସଜାଗ କରାଉଥିବାରୁ ପ୍ରଶଂସା କରିଥିଲେ। ନିର୍ଦ୍ଦେଶକ ଶଶି ପଲ ସ୍ବାଗତ ଭାଷଣ ଦେଇଥିବା ବେଳେ ବରିଷ୍ଠ ପ୍ରାଣୀ ଚିକିତ୍ସକ ଆଲୋକ କୁମାର ଦାସ ଓ ଧନ୍ୟବାଦ ଦେଇଥିଲେ। କ୍ୟୁରେଟର ଅଞ୍ଜନ ମହାନ୍ତି, ଏସିଏଫ ଅମୂଲ୍ୟ ପରିଡ଼ଙ୍କ ସମେତ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚଳନା କରିଥିଲେ।

ସମ୍ବନ୍ଧିତ ଖବର