ଖୋଲିଲା ନନ୍ଦନକାନନ, କଟକଣା ଭିତରେ ବୁଲିଲେ ୩୦୬ ପର୍ଯ୍ୟଟକ

ଭୁବନେଶ୍ୱର/ବାରଙ୍ଗ : ୭ ମାସ ପରେ ଖୋଲିଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ। କଟକଣା ମଧ୍ୟରେ ପ୍ରଥମ ଦିନରେ ୩୦୬ ଜଣ ପର୍ଯ୍ୟଟକ ପ୍ରାଣୀ ଉଦ୍ୟାନ ବୁଲିଛନ୍ତି। ଜୀବଜନ୍ତୁଙ୍କୁ ଦେଖିଛନ୍ତି। ବୟସ୍କ, ପିଲାମାନେ ଆସି ନ ଥିବା ବେଳେ ଯୁବପିଢ଼ିଙ୍କ ମଧ୍ୟ‌ରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଥିଲା। ସବୁଜ ପରିବେଶ ମଧ୍ୟରେ ଫଟୋ ଉଠାଇଛନ୍ତି। ସେଲ୍‌ଫି ନେଇଛନ୍ତି। ପ୍ରବେଶ ସମୟରେ ଏକାଧିକ କଟକଣା ଲାଗୁ ହୋଇଥିଲେ ମଧ୍ୟ ତାହାକୁ ଖାତିର ନ କରି ପର୍ଯ୍ୟଟକମାନେ ଧୁମ୍‌ ବୁଲିଛନ୍ତି।

ପ୍ରଥମ ଦିନରେ ଯେଉଁଭଳି ପର୍ଯ୍ୟଟକ ହେବେ ବୋଲି ଆଶା କରାଯାଉଥିଲା ତାହା ହୋଇ ନାହିଁ। ପ୍ରଥମ ପର୍ଯ୍ୟଟକ ଭାବେ ଜଣେ ଯୁବକ ପ୍ରାଣୀ ଉଦ୍ୟାନ ଭିତରକୁ ପ୍ରବେଶ କରିଥିଲେ। ଉଭୟ ଅଫ୍‌ଲାଇନ୍‌ ଓ ଅନ୍‌ଲାଇନ୍‌ରେ ଟିକେଟ୍‌ ବ୍ୟବସ୍ଥା ହୋଇଥିବାରୁ ପର୍ଯ୍ୟଟକଙ୍କର କୌଣସି ପ୍ରକାର ଅସୁବିଧା ‌ହୋଇ ନ ଥିଲା। ନନ୍ଦନକାନନ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରଥମ ଦିନରେ ୩୦୬ଟି ଟିକେଟ୍‌ ବିକ୍ରି ହୋଇଛି। ସେଥିମଧ୍ୟରୁ ଅନ୍‌ଲାଇନ୍‌ରେ ୨୭୫ ଓ ଅନ୍‌ଲାଇନ୍‌ରେ ୩୧ ଜଣ ପର୍ଯ୍ୟଟକ ଟିକେଟ୍‌ କରିଥିଲେ। କାଉଣ୍ଟରରୁ ବିକ୍ରି ହୋଇଥିବା ଟିକେଟ ବାବଦକୁ ୧୨ ହଜାର ୪୫୦ ଟଙ୍କା ରାଜସ୍ବ ଆଦାୟ ହୋଇଛି। କରୋନା ମହାମାରୀ ଭୟ ସାଙ୍ଗକୁ ଲଗାଣ ବ‌ର୍ଷା ଯୋଗୁଁ ପର୍ଯ୍ୟଟକଙ୍କ ଆଗମନ କମିଥିବା କୁହାଯାଇଛି। ପର୍ଯ୍ୟଟକ ନ ଥିବାରୁ ନନ୍ଦନକାନନ ଛକରୁ ଟିକେଟ୍‌ କାଉଣ୍ଟର୍‌ ଓ ପ୍ରାଣୀ ଉଦ୍ୟାନ ପରିସର ଖାଁ ଖାଁ ଲାଗିଥିଲା। ପଶ୍ଚିମବଙ୍ଗର ପର୍ଯ୍ୟଟକ ସପତ୍ନୀଙ୍କ ସହ ବୁଲି ଆସିଥିଲେ।

ଲାଗିଲା ଶରୀର ବିଶୋଧନ ମେସିନ୍‌
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରବେଶ ପଥରେ ଶରୀର ବିଶୋଧନ ମେସିନ୍‌ ଲଗାଇ ପର୍ଯ୍ୟଟକଙ୍କୁ ବିଶୋଧନ କରାଯାଇଥିଲା। ସାମାଜିକ ଦୂରତା ରଖି ପର୍ଯ୍ୟଟକ ଯେପରି ଛିଡ଼ା ହେବେ, ସେଥିପାଇଁ ଗୋଲାକାର ବୁଲାଯାଇଥିଲା। ଧାଡ଼ିରେ ଦୂରତା ରକ୍ଷା କରାଯିବା ସହ ପ୍ରବେଶ ପଥ, ଶୌଚାଳୟ, ପ୍ରଦର୍ଶନୀ ସ୍ଥାନରେ ସାମାଜିକ ଦୂରତା ପାଳନ କରିବାକୁ ଉଦ୍ୟାନର କର୍ମଚାରୀମାନେ ପର୍ଯ୍ୟଟକଙ୍କୁ ପରାମର୍ଶ ଦେଇଥିଲେ। ପ୍ରବେଶ ପଥରେ ପର୍ଯ୍ୟଟକଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇଥିଲା। ପ୍ରାଣୀ ଉଦ୍ୟାନ ଭିତରେ ମାସ୍କ ନ ପକାଇବା ଲାଗି ପ୍ରବେଶ ପଥରେ ପର୍ଯ୍ୟଟକଙ୍କୁ କୁହାଯାଇଥିଲା। ବିଭିନ୍ନ ସ୍ଥାନରେ ହ୍ୟାଣ୍ଡୱାସ୍‌ ଓ ସାନିଟାଇଜର ରଖାଯାଇଥିବା ଦେଖିବାକୁ ମିଳିଥିଲା।

ବାରିକେଡ୍‌ ଛୁଇଁପାରିଲେନି
ପ୍ରାଣୀ ଉଦ୍ୟାନରେ ବୁଲିବା ସମୟରେ ପର୍ଯ୍ୟଟକ ବାରିକେଡ୍‌କୁ ଛୁଇଁପାରିଲେ ନାହିଁ। ଛେପ ପକାଇବା, ତମାଖୁ, ସିଗାରେଟ୍‌ ଓ ଅନ୍ୟାନ୍ୟ ନିଷିଦ୍ଧ ସ‌ାମଗ୍ରୀ ଉପରେ କଟକଣା ଲାଗିଥିବାରୁ ପ୍ରବେଶ ପଥରେ ହିଁ କର୍ମଚାରୀମାନେ ଏ ସମ୍ପର୍କରେ ସଚେତନ କରାଇ ଦେଇଥିଲେ। ଗାଇଡ୍‌ମାନେ ମୁହଁ ଆବଦ୍ଧ ରହୁଥିବା ମାସ୍କ ସହ ହ୍ୟାଣ୍ଡଗ୍ଲୋଭ୍‌ସ ପିନ୍ଧି ସେବା ଯୋଗାଇବାକୁ ପ୍ରସ୍ତୁତ ହୋଇ ରହିଥିଲେ। ତେବେ ପ୍ରଥମ ଦିନରେ ବିଶେଷ ପର୍ଯ୍ୟଟକ ନ ଥିବାରୁ ଗାଇଡ୍‌ଙ୍କର ଆବଶ୍ୟକତା ପଡ଼ି ନ ଥିଲା।

ଉଦ୍ଭିଦ ଉଦ୍ୟାନ ବୁଲିଲେ ୩୯ ପର୍ଯ୍ୟଟକ
ନନ୍ଦନକାନନର ପ୍ରାଣୀ ଉଦ୍ୟାନ ସହ ଏଠାରେ ଥିବା ଉଦ୍ଭିଦ ଉଦ୍ୟାନ ବି ଆଜିଠାରୁ ପର୍ଯ୍ୟଟକଙ୍କ ଲାଗି ଖୋଲିଛି। ପର୍ଯ୍ୟଟନ ତଥା ପିକ୍‌ନିକ୍‌ ଋତୁ ଆରମ୍ଭ ହେଉଥିବାରୁ ଭଳିକି ଭଳି ଫୁଲରେ ସଜେଇ ହୋଇଛି ଉଦ୍ୟାନ। ପ୍ରଥମ ଦିଗରେ କମ୍‌ ପର୍ଯ୍ୟଟକ ଆସିଥିଲେ ମଧ୍ୟ ପରିବେଶର ଭରପୂର ମଜା ନେଇଛନ୍ତି। ପ୍ରଜାପତି ଉଦ୍ୟାନ ବୁଲିଛନ୍ତି। ଗୋଲାପ ବଗିଚାରେ ସେଲ୍ଫି ନେଇଛନ୍ତି। ବିଶେଷକରି ଯୁବକ ଯୁବତୀଙ୍କୁ ଏଠାରେ ଦେଖିବାକୁ ମିଳିଥିଲା। ଶିଶୁ ଉଦ୍ୟାନ ସମ୍ପୂର୍ଣ୍ଣ ଖାଁ ଖାଁ ରହିଥିଲା। ଉଦ୍ୟାନ ଖୋଲିଥିଲେ ମଧ୍ୟ ଏଠାରେ ପିକ୍‌ନିକ୍‌ ତଥା ଭୋଜି କରିବାକୁ ଅନୁମତି ଦିଆଯାଇନାହିଁ।

ସମ୍ବନ୍ଧିତ ଖବର