ରାଜନଗର : ଭିତରକନିକା ଜାତୀୟ ଉଦ୍ୟାନରୁ ପ୍ରଥମଥର ପାଇଁ ୪୦ଟି ବଉଳା କୁମ୍ଭୀର ଅଣ୍ଡା ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ନିଆଯାଇଛି। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବଉଳା କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ନିମନ୍ତେ ଏହି ପଦକ୍ଷେପ ନିଆଯାଇଛି।

Advertisment

କନିକା ରେଂଜର ଥାନପତି କ୍ରିକ୍‌ ନିକଟରେ ଜୁଆର ମାଡ଼ରେ ୪ଟି ବସା ନଷ୍ଟ ହୋଇଯାଇଥିଲା। ଏହି ବସା ଗୁଡିକରୁ ୧୧୦ଟି ଅଣ୍ଡା ମିଳିଥିଲା। ସେଥି ମଧ୍ୟରୁ ୪୦ଟି ଅଣ୍ଡା ସଂଗ୍ରହ କରାଯାଇ ନନ୍ଦନକାନନରୁ ଆସିଥିବା ପ୍ରତିନିଧି ଦଳକୁ ହସ୍ତାନ୍ତର କରାଯାଇଛି। ନନ୍ଦନକାନନରୁ ପ୍ରଫେସର ସୁଦର୍ଶନ ମହାରଣାଙ୍କ ନେତୃତ୍ୱରେ ଡକ୍ଟର ରାଜେଶ କୁମାର ମହାପାତ୍ର, ଡକ୍ଟର ସିଦ୍ଧାନ୍ତ ମହାପାତ୍ର, ଫରେଷ୍ଟର ଜି.ଏଫ୍‌. ଖାଁଙ୍କ ସହିତ କନିକା ରେଂଜ ଅଫିସର ସୁବ୍ରତ କୁମାର ପାତ୍ର, ଫରେଷ୍ଟର ବିଜୟ କୁମାର ପାତ୍ର ଓ ବନବିଭାଗ ଟିମ୍‌ ନଷ୍ଟ ହୋଇଥିବା କୁମ୍ଭୀର ବସା ନିକଟରେ ପହଞ୍ଚି ଅଣ୍ଡାଗୁଡିକୁ ସଂଗ୍ରହ କରିଛନ୍ତି। ଅଣ୍ଡାଗୁଡିକୁ ଖରଖରିପତ୍ର ଓ କୁଟାରେ ଘୋଡ଼ାଇ ନନ୍ଦନକାନନକୁ ନିଆଯାଇଛି। ଭିତରକନିକାରେ ବଉଳା କୁମ୍ଭୀର ପ୍ରଜନନ ଓ ସଂରକ୍ଷଣ କେନ୍ଦ୍ର ଆରମ୍ଭ ହେବା ପରେ ଆଜି ପ୍ରଥମଥର ପାଇଁ କୌଣସି ଜାତୀୟ ଉଦ୍ୟାନ, ଅଭୟାରଣ୍ୟ କିମ୍ବା ପ୍ରାଣୀ ଉଦ୍ୟାନକୁ କୁମ୍ଭୀର ଅଣ୍ଡା ଯିବା ପ୍ରଥମ ଘଟଣା।

ଗତ ମାସରେ ପିସିସିଏଫ୍‌ଙ୍କ ପକ୍ଷରୁ ଏ ନେଇ ରାଜନଗର ଡିଏଫ୍‌ଓଙ୍କୁ ଅବଗତ କରାଯାଇଥିଲା। ରାଜନଗର ଡିଏଫ୍‌ଓ କନିକା ରେଂଜ ଅଫିସରଙ୍କୁ ଚିଠି ଦ୍ୱାରା ନଷ୍ଟ ହୋଇଥିବା କୁମ୍ଭୀର ବସା ଠାବ କରିବା ସହ ଏ ନେଇ ପ୍ରସ୍ତୁତ ରହିବାକୁ ଜଣାଇଥିଲେ। ୪୦ଟି ଅଣ୍ଡା ନନ୍ଦନକାନନ କର୍ତୃପକ୍ଷଙ୍କୁ ଦିଆଯିବା ପରେ ଅବଶିଷ୍ଟ ୭୦ ଅଣ୍ଡାକୁ ଡାଙ୍ଗମାଳ କୁମ୍ଭୀର ପ୍ରଜନନ କେନ୍ଦ୍ରରେ ରଖାଯାଇ କୃତ୍ରିମ ଉପାୟରେ ଛୁଆ ଫୁଟାଯିବ ବୋଲି ବନବିଭାଗ ସୂତ୍ରରୁ ଜଣାପଡିଛି।

ଭିତରକନିକାରେ ଏବେ ଲୁଣିପାଣି କୁମ୍ଭୀର ବା ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ ଚାଲିଛି। ମେ’ ମାସରୁ ମା’ କୁମ୍ଭୀରମାନେ ଭିତରକନିକାରେ ବସାବାନ୍ଧି ଅଣ୍ଡା ଦେବାରେ ଲାଗିଛନ୍ତି। ନିରାପଦ ସ୍ଥାନରେ ବସା ବାନ୍ଧିବା ସହ ତାହାକୁ ମା’ କୁମ୍ଭୀର ଜଗି ରହିଛି। ଚଳିତ ବର୍ଷ ଆଜି ସୁଦ୍ଧା ଭିତରକନିକାରେ ୧୦୧ଟି କୁମ୍ଭୀର ବସା ଚିହ୍ନଟ ହୋଇଛି। କନିକା ରେଂଜରେ କେବଳ ୮୫ଟି ବସା ଚିହ୍ନଟ କରାଯାଇଛି।