ଭୁବନେଶ୍ୱର : ଉତ୍କଳ ଦିବସରୁ ନନ୍ଦନକାନନ ବୁଲିବା ହେବ ମହଙ୍ଗା। ରାଜ୍ୟର ଏହି ପ୍ରମୁଖ ପ୍ରାଣୀ ଉଦ୍ୟାନକୁ ପ୍ରବେଶ ଲାଗି ବୟସ୍କ ବ୍ୟକ୍ତିଙ୍କୁ ଦେବାକୁ ପଡ଼ିବ ଅଧିକ ୧୦ ଟଙ୍କା। ବର୍ତମାନ ୧୨ ବର୍ଷ ବୟସରୁ ଅଧିକ ବର୍ଷ ବ୍ୟକ୍ତିଙ୍କ ଲାଗି ପ୍ରବେଶ ଶୁଳ୍କ ୪୦ ଟଙ୍କା ରହିଛି। ଏପ୍ରିଲ ୧ ତଥା ଉତ୍କଳ ଦିବସଠାରୁ ତାହାକୁ ୫୦ ଟଙ୍କାକୁ ବୃଦ୍ଧି କରାଯିବ। ଏନେଇ ନନ୍ଦନକାନନ କର୍ତୃପକ୍ଷ ବିଜ୍ଞପ୍ତି ଜାରି କରିବା ପରେ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ନନ୍ଦନକାନନର ପ୍ରବେଶ ଶୁଳ୍କ ବୃଦ୍ଧି କରିବା ଲାଗି ଗତ ଫେବ୍ରୁଆରି ମାସ ୧୩ ତାରିଖରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ନନ୍ଦନକାନନ କର୍ତୃପକ୍ଷଙ୍କ ନିକଟକୁ ଚିଠି ଲେଖାଯାଇଥିଲା। ବର୍ତମାନ ସମୟକୁ ଦୃଷ୍ଟିରେ ରଖି ପ୍ରବେଶ ଶୁଳ୍କ ବୃଦ୍ଧି କରିବାକୁ ବି ପ୍ରସ୍ତାବ ରହିଥିଲା। ତାହାକୁ ବିଚାରକୁ ନେଇ ନନ୍ଦନକାନନ କର୍ତୃପକ୍ଷ ଶୁଳ୍କ ବଢ଼ାଇଛନ୍ତି। ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପ୍ରବେଶ ଶୁଳ୍କ ବ୍ୟତୀତ ଆଉ କୌଣସି ଶୁଳ୍କ ବୃଦ୍ଧି କରାଯିବ ନାହିଁ ବୋଲି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଉପ ନିର୍ଦେଶକଙ୍କ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ଛୋଟ ପିଲାଙ୍କ ପ୍ରବେଶ ଶୁଳ୍କ ଅପରିବର୍ତ୍ତିତ ରହିଛି। ବିଦେଶୀ ପର୍ଯ୍ୟଟକଙ୍କ ଲାଗି ଥିବା ୧୦୦ ଟଙ୍କାର ପ୍ରବେଶ ଶୁଳ୍କ ଅପରିବର୍ତ୍ତିତ ରହିଛି।