ନଡ୍ଡାଙ୍କ ଟିମ୍‌ରେ ଓଡ଼ିଶାରୁ ୪

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରହିଲେ ବୈଜୟନ୍ତ
ସମ୍ବିତ ପାତ୍ରଙ୍କ ସହ ଅପରାଜିତା ନୂଆ ମୁଖପାତ୍ର
ବିଶ୍ବେଶ୍ବର ଟୁଡୁ ହେଲେ ରାଷ୍ଟ୍ରୀୟ ସଂପାଦକ

ନୂଆଦିଲ୍ଲୀ : ଗତ ଜାନୁଆରି ମାସରେ ବିଜେପିର ଜାତୀୟ ସଭାପତି ଭାବେ ଦାୟିତ୍ୱ ନେବା ପରେ ଜଗତ ପ୍ରସାଦ ନଡ୍ଡା ଆଜି ତାଙ୍କର ନୂଆ ଟିମ୍‌ର ଘୋଷଣା କରିଛନ୍ତି। ବିଜେପିର ଏହି ଜାତୀୟ ସାଙ୍ଗଠନିକ ଟିମ୍‌ରେ ପ୍ରଥମ ଥର ପାଇଁ ୪ ଜଣ ଓଡ଼ିଆ ନେତା ଗୁରୁତ୍ବପୂର୍ଣ୍ଣ ପଦ ପଦବି ହାସଲ କରିଛନ୍ତି। ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ନିଜର ପଦ ବଜାୟ ରଖିଥିବା ବେଳେ ସମ୍ବିତ ପାତ୍ରଙ୍କ ସହିତ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ମଧ୍ୟ ରାଷ୍ଟ୍ରୀୟ ମୁଖପାତ୍ର ତାଲିକାରେ ସାମିଲ କରାଯାଇଛି। ସେହିପରି ମୟୂରଭଂଜ ସାଂସଦ ବିଶ୍ବେଶ୍ୱର ଟୁଡୁଙ୍କୁ ରାଷ୍ଟ୍ରୀୟ ସଂପାଦକ ପଦ ମିଳିଛି। ଫଳରେ ଜାତୀୟ ସ୍ତରରେ ଓଡ଼ିଆ ବିଜେପି ନେତାଙ୍କ ପତିଆରା ବୃଦ୍ଧି ପାଇଥିବା ବିଚାର କରାଯାଉଛି।

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ନଡ୍ଡାଙ୍କ ନୂଆ ଟିମ୍ ଘୋଷଣା କରିବା ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି। ନଡ୍ଡାଙ୍କ ଟିମ୍‌ରେ ମହିଳା, ଯୁବ ଓ ରାଜ୍ୟମାନଙ୍କର ପ୍ରତିନିଧିତ୍ୱ ରହିଛି। ଓଡ଼ିଶାରୁ ଅପରାଜିତା ଷଡ଼ଙ୍ଗୀ ଓ ବିଶେଶ୍ୱର ଟୁଡୁ ୨୦୧୯ ସାଧାରଣ ନିର୍ବାଚନରେ ପ୍ରଥମ ଥର ପାଇଁ ବିଜେପିର ସାଂସଦ ରୂପେ ନିର୍ବାଚିତ ହୋଇଛନ୍ତି ଏବଂ ପ୍ରଥମଥର ପାଇଁ ଦଳୀୟ ସଂଗଠନରେ ଏହି ସେମାନଙ୍କୁ ବଡ଼ ଦାୟିତ୍ୱ ମିଳିଛି। ସମ୍ବିତ ପାତ୍ର ଏବେ ବି ମୁଖପାତ୍ର ଅଛନ୍ତି। ବିଜେପିର ୨୩ ଜଣିଆ ରାଷ୍ଟ୍ରୀୟ ମୁଖପାତ୍ର ତାଲିକାରେ ଓଡ଼ିଶାର ଦୁଇ ନେତା ସ୍ଥାନ ପାଇଥିବା ବେଳେ ବିଶ୍ବେଶ୍ବର ଟୁଡୁଙ୍କୁ ୧୩ ଜଣିଆ ରାଷ୍ଟ୍ରୀୟ ସଂପାଦକ ତାଲିକାରେ ସ୍ଥାନ ମିଳିଛି। ଏହି ତାଲିକାରେ ମହାରାଷ୍ଟ୍ରରୁ ବିନୋଦ ତାୱଡେ, ଉତ୍ତର ପ୍ରଦେଶରୁ ବିନୋଦ ସୋନକାର, ଆନ୍ଧ୍ରପ୍ରଦେଶରୁ ସତ୍ୟ କୁମାର, ମହାରାଷ୍ଟ୍ରରୁ ସୁନିଲ ଦେଓଧର, ଦିଲ୍ଲୀରୁ ଅରବିନ୍ଦ ମେନନ, ଉତ୍ତର ପ୍ରଦେଶରୁ ହରିଶ ଦ୍ୱିବେଦୀ, ମହାରାଷ୍ଟ୍ରରୁ ପଂକଜ ମୁଣ୍ଡେ, ପଶ୍ଚିମବଙ୍ଗରୁ ଅନୁପମ ହାଜରା, ଜମ୍ମୁ କଶ୍ମୀରରୁ ଡ. ନରେନ୍ଦ୍ର ସିଂହ, ମହାରାଷ୍ଟ୍ରରୁ ବିଜୟ ରତ୍ନାକର ଓ ରାଜସ୍ଥାନରୁ ଅଲକା ଗୁରଜାର ଅଛନ୍ତି।

ଜେପି ନଡ୍ଡାଙ୍କ ୧୨ ଜଣିଆ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତାଲିକାରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଧାୟକ ଡ. ରମଣ ସିଂହ, ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଧାୟକ ବସୁନ୍ଧରା ରାଜେ, ବିହାରର ସାଂସଦ ରାଧା ମୋହନ ସିଂହ, ଓଡ଼ିଶାର ବୈଜୟନ୍ତ ପଣ୍ଡା, ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ, ପଶ୍ଚିମବଙ୍ଗର ମୁକୁଲ ରାୟ, ଉତ୍ତର ପ୍ରଦେଶର ସାଂସଦ ରେଖା ବର୍ମା, ଝାଡ଼ଖଣ୍ଡର ସାଂସଦ ଅନ୍ନପୂର୍ଣ୍ଣା ଦେବୀ, ଗୁଜୁରାଟର ସାଂସଦ ଡ. ଭାରତୀ ବେନ ଶିୟାଳ, ତେଲେଙ୍ଗାନାର ଡିକେ ଅରୁଣା, ନାଗାଲାଣ୍ଡର ଏମ ଚୁବା ଓ ଏବଂ କେରଳର ଅବଦୁଲ୍ଲା କୁଟ୍ଟୀ ସ୍ଥାନ ପାଇଛନ୍ତି। ଏତଦ୍‌ବ୍ୟତୀତ ନଡ୍ଡାଙ୍କ ଟିମ୍‌ରେ ୮ ଜଣ ସାଧାରଣ ସଂପାଦକ, ୩ ଜାତୀୟ ଯୁଗ୍ମ ସଂପାଦକ, ୧୩ ଜଣ ସଂପାଦକ, କୋଷାଧ୍ୟକ୍ଷ୍ୟ, ସହକୋଷାଧ୍ୟକ୍ଷ୍ୟ, କେନ୍ଦ୍ରୀୟ କାର୍ଯ୍ୟାଳୟ ସମ୍ପାଦକ, ଆଇଟି ଓ ସୋସିଆଲ ମିଡିଆ ପ୍ରଭାରୀ, ଯୁବ ମୋର୍ଚ୍ଚା ସଭାପତି, ଓବିସି ମୋର୍ଚ୍ଚା, କିଷାନ ମୋର୍ଚ୍ଚା, ଅନୁସୂଚିତ ଜନଜାତି ମୋର୍ଚ୍ଚା, ସଂଖ୍ୟାଲଘୁ ମୋର୍ଚ୍ଚା ଆଦିର ସଭାପତି ୩ ଜାତୀୟ ମୁଖପାତ୍ରଙ୍କ ନାମ ଘୋଷଣା କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ଜାତୀୟ ସ୍ତରରେ ଓଡ଼ିଆ ନେତାଙ୍କୁ ଗୁରୁତ୍ବ ଦେବାର ପରମ୍ପରା ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ବେଳୁ ଆରମ୍ଭ ହୋଇଛି। ଶ୍ରୀ ପ୍ରଧାନ ବିଜେପିର ଜାତୀୟ ସାଧାରଣ ସମ୍ପାଦକ ଭାବେ ଦୁଇ ଦୁଇଥର ଏବଂ ସମ୍ପାଦକ ଭାବେ ଥରେ କାର୍ଯ୍ୟଭାର ସମ୍ଭାଳିଥିଲେ। ଏହା ସହିତ ସେ ବିଜେପି ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତି ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି।

ନଡ୍ଡାଙ୍କ ଟିମ୍‌ରେ ପ୍ରଥମ ଥର ପାଇଁ ଜାତୀୟ ମୁଖପାତ୍ର ରୂପେ ସ୍ଥାନ ପାଇଥିବା ଅପରାଜିତା ଷଡ଼ଙ୍ଗୀ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ତଥା ବିଜେପିର ଜାତୀୟ ସଭାପତି ଜେ ପି ନଡ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତ। ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ଅପରାଜିତା କୃତଜ୍ଞତା ଜଣାଇଛନ୍ତି। ସମସ୍ତଙ୍କର ଆଶୀର୍ବାଦ ସହିତ ତାଙ୍କୁ ମିଳିଥିବା ଦାୟିତ୍ୱକୁ ନିର୍ବାହ କରିବା ପାଇଁ ସେ ଭରପୂର ପ୍ରୟାସ କରିବେ ବୋଲି କହିଛନ୍ତି। ଅପରପକ୍ଷେ ରାଷ୍ଟ୍ରୀୟ ସମ୍ପାଦକ ରୂପେ ପ୍ରଥମ ଥର ପାଇଁ ସ୍ଥାନ ପାଇଥିବା ବିଶ୍ବେଶ୍ୱର ଟୁଡୁ ଜାତୀୟ ସ୍ତରରେ ଦଳ ପକ୍ଷରୁ ଏଭଳି ଏକ ଗୁରୁ ଦାୟିତ୍ୱ ମିଳିଥିବାରୁ ଏହାକୁ ଅତ୍ୟନ୍ତ ନିଷ୍ଠା ଓ ଦକ୍ଷତାର ସହ ତୁଲାଇବେ ବୋଲି ନିଜ ପ୍ରତିକ୍ରିୟାରେ କହିଥିଲେ।

ସମ୍ବନ୍ଧିତ ଖବର