ଭାଙ୍ଗିଲା ନନ୍ଦିଘୋଷ ରଥ ଅଖ

ଜେସିବିରେ ଖୋଳା ହେଲା ବଡ଼ଦାଣ୍ଡ, ଆଜି ରଥ ଅଖ ପରିବର୍ତ୍ତନ କରାଯିବ

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଅଖ ଭଙ୍ଗା ବୋଲି ଜଣାପଡ଼ିବା ପରେ ଏହାକୁ ବଦଳାଇବାକୁ ଉଚ୍ଚସ୍ତରୀୟ ରଥ ଯାଞ୍ଚ କମିଟି ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପରେ ଶୁକ୍ରବାର ବିଳମ୍ୱିତ ରାତିରେ ବଡ଼ଦାଣ୍ଡକୁ ଖୋଳାଯାଇଛି। ଖନନ ଶେଷପରେ ଆଜି (ଶନିବାର) ସକାଳୁ ଅଖ ପରିବର୍ତ୍ତନ କରାଯିବ ବୋଲି ଜଣାପଡ଼ିଛି।

ଫାଟ ଥିବା ଅଖ

ତିନି ରଥ ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନ ରଥର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଥିବାବେଳେ ଆଜି ତିନି ରଥର ଚାରିନାହାକା ଉଠିଛି। ପ୍ରତ୍ନତତ୍ତ୍ବ ବିଭାଗ କୋର୍‌ କମିଟି ସଦସ୍ୟ, ରେଳ ବିଭାଗ, ପୂର୍ତ୍ତ ବିଭାଗ, ଶ୍ରୀମନ୍ଦିର ପ୍ରଶାସନ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ନେଇ ଗଠିତ ରଥ ଯାଞ୍ଚ କମିଟି ତିନି ରଥର ଯାଞ୍ଚ୍‌ପରେ ନନ୍ଦିଘୋଷ ରଥ ଅଖ ଭାଙ୍ଗି ପଡ଼ିଥିବା ଜଣାପଡ଼ିଥିଲା। ଦୁଇ ଚକରେ ଲାଗିଥିବା ଏହି ଅଖ ତୁମ୍ବ ପାଖରୁ ଦୁଇଫାଳ ହୋଇଯାଇଥିଲା। ଅଖର ଦୁଇଫାଳରୁ ଗୋଟିଏ ପାର୍ଶ୍ବ ବି ଉପରକୁ ଉଠିଯାଇଥିବା ଏବଂ ଏହାଉପରେ ଲାଗିଥିବା ଦଣ୍ଡା, ଗୁଜ, ଜଳଯନ୍ତ୍ର, ଗୟଳ ସବୁ ଗୋଟିଏ ପାର୍ଶ୍ବକୁ ଢଳି ପଡ଼ିଥିବା ଦେଖିବାକୁ ମିଳିଥିଲା। ମହାରଣାମାନେ ଏହି ଫାଟରେ ଲୁହା କ୍ଲାମ୍ପ୍‌ଦେଇ ସମ୍ଭାଳିବାକୁ ଚେଷ୍ଟା କରିଥିଲେ ବି ସମ୍ଭବ ହୋଇ ନଥିଲା।

ଅଖର ପରିବର୍ତ୍ତନ ପାଇଁ ରାତି ପ୍ରାୟ ୧୧ଟାରେ ପୂର୍ତ୍ତ ବିଭାଗ ପକ୍ଷରୁ ଧଳା ଗାର ଚିହ୍ନ ଦେଇ ଡ୍ରିଲିଂ ମେସିନ୍ ଜରିଆରେ ଖନନ କରାଯାଇଥିଲା। ପ୍ରଥମେ ଡ୍ରିଲିଂ ମେସିନ୍‌ରେ ଦୁଇ ଚକ ତଳ ଖନନ କରାଯାଇଥିଲା। ପରେ ଜେସିବି ଲଗାଇ ବଡ଼ବଡ଼ ଗାତ ଖୋଲାଯାଇଛି। ପରେ ଏହି ଗାତ ଦେଇ ଦୁଇ ଚକ ଅଖ ସହ ବାହାରିବା ପରେ ପୁନର୍ବାର ଅଖ ବଦଳାଇ ନୂଆ ଅଖ ସଂଯୋଗ କରି ପୁଣି ରଥରେ ପୂର୍ବ ସ୍ଥାନରେ ରଖାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର