ପୁରୀ: ଭକ୍ତଙ୍କ ପାଖକୁ ଓହ୍ଲାଇ ଆସିଛନ୍ତି ଭାବ ବିନୋଦିଆ କଳାଠାକୁର। ଭାଇଭଉଣୀଙ୍କ ସହ ରତ୍ନସିଂହାସନ ଛାଡ଼ି ଆରମ୍ଭ କରିଛନ୍ତି ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା। ଘଣ୍ଟନାଦ ସହ ବର୍ଷକ ପରେ ପୁଣିଥରେ ତିନିଠାକୁରଙ୍କୁ ନେଇ ଘର୍ଘର ନାଦ ଦେଇ ବଡ଼ଦାଣ୍ଡରେ ଗଡ଼ିଛି ରଥ। ଏକାକାର ହୋଇଛନ୍ତି ଭକ୍ତ ଓ ଭଗବାନ। ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ, ମଣିମା ମଣିମା ଡାକରେ ପ୍ରକମ୍ପିତ ହୋଇଛି ଖଣ୍ଡମଣ୍ଡଳ। ରଥାରୂଢ଼ କାଳିଆ ସାଆନ୍ତଙ୍କୁ ଦେଖି ଭକ୍ତି ଭାବରେ ଭିଜିଛନ୍ତି ୧୦ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ। ଚର୍ମଚକ୍ଷୁରେ ଦର୍ଶନ ସୌଭାଗ୍ୟ ଲଭି ଝରାଇଛନ୍ତି ଆନନ୍ଦାଶ୍ରୁ। ରଥ ଦଉଡ଼ି ସ୍ପର୍ଶ କରି ଅର୍ଜିଛନ୍ତି କୋଟିପୁଣ୍ୟ। ଭଜନକୀର୍ତ୍ତନର ତାଳେ ତାଳେ ନୃତ୍ୟଗୀତ କରିବା ସହ ଖୁସିରେ ବଡ଼ଦାଣ୍ଡରେ ଲୋଟିଛନ୍ତି। ଆଶୀର୍ବାଦ ପାଇଁ କରିଛନ୍ତି କୃପାଭିକ୍ଷା। ଭଜନକୀର୍ତ୍ତନରେ ସୃଷ୍ଟି ହୋଇଛି ଭକ୍ତି ଓ ଭାବମୟ ପରିବେଶ। ଶ୍ରଦ୍ଧା ଓ ଭକ୍ତିରେ ଭିଜିଛି ସମଗ୍ର ବଡ଼ଦାଣ୍ଡ।
ଶ୍ରଦ୍ଧାଳୁଙ୍କ ଗହଣରେ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ଚତୁର୍ଦ୍ଧାବିଗ୍ରହଙ୍କ ତିନି ରଥ ଆଜି ଅଳ୍ପ ବାଟ ଗଡ଼ି ଅଟକିଛନ୍ତି। ନନ୍ଦିଘୋଷ ରଥ ଚକେ ଗଡ଼ି ବଡ଼ଆଖଡ଼ା ମଠ ଆଗରେ ଅଟକିଥିବା ବେଳେ ଅଧାବାଟରେ ଅଛନ୍ତି ତାଳଧ୍ବଜ ଓ ଦର୍ପଦଳନ ରଥ। ମରିଚିକୋଟ ଛକରେ ତାଳଧ୍ବଜ ରଥ ଓ ଦର୍ପଦଳନ ରଥ ଶ୍ରୀନଅର ନିକଟରେ ଅଟକିଛନ୍ତି। ଆଜି ଥିଲା ବିରଳ ରଥଯାତ୍ରା। ଚଳିତ ରଥଯାତ୍ରାରେ ୧୫ ଦିନ ବଦଳରେ ୧୩ ଦିନିଆ ଅଣସର ପରେ ଆଜିଗୋଟିଏ ଦିନରେ ଶ୍ରୀଜିଉମାନଙ୍କ ନେତ୍ରୋତ୍ସବ, ନବଯୌବନ ଦର୍ଶନ ସହ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଛି। ଏଣୁ ନୀତିକାନ୍ତି ଅଧିକ କାରଣରୁ ଦୁଇଦିନ ରଥ ଟଣା ହେବ ବୋଲି ପୂର୍ବରୁ ଘୋଷଣା ହୋଇଥିଲା।
ହେଲେ ସଅଳ ନୀତି ପାଇଁ ଆଜି ଗୋଟିଏ ଦିନରେ ହିଁ ଶ୍ରୀଗୁଣ୍ଡିଚା ଯାତ୍ରା ଶେଷ ହୋଇଯିବ ବୋଲି ଚର୍ଚ୍ଚା ଜୋର ଧରିଥିଲା। ଦୁଇ ଘଣ୍ଟା ଆଗରୁ ପହଣ୍ଡି ଓ ଅନ୍ୟାନ୍ୟ ନୀତି ବି ଶେଷ ହୋଇ ସାରିଥିଲା। ଏଣୁ ଚତୁର୍ଦ୍ଧା ବିଗ୍ରହ ରଥାରୂଢ଼ ହେବା ପରେ ସଅଳ ରଥଟଣା ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ସଅଳ ନୀତିକାନ୍ତି ହୋଇଥିଲେ ବି ରଥଟଣାରେ ବିଳମ୍ବ ହୋଇଥିଲା। ଯେଉଁଥିପାଇଁ ତିନି ରଥ ଅଳ୍ପ ବାଟ ଗଡ଼ି ଅଟକିଛନ୍ତି। ଆଜି ପବିତ୍ର ଘୋଷଯାତ୍ରାରେ ଲୋକାରଣ୍ୟ ହୋଇଥିଲା ସମ୍ପୂର୍ଣ୍ଣ ବଡ଼ଦାଣ୍ଡ। ୧୦ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ବଡ଼ଦାଣ୍ଡରେ ରଥାରୂଢ଼ ମହାପ୍ରଭୁଙ୍କ ଦର୍ଶନ କରିବା ଓ ରଥ ଟାଣିବାର ସୌଭାଗ୍ୟ ଅର୍ଜିଥିଲେ। ଆଜି ପୂର୍ବାହ୍ଣ ୧୧ଟା ୧୦ରେ ପହଣ୍ଡି ଆରମ୍ଭ ହୋଇ ଅପରାହ୍ଣ ୨ଟା ୨୦ରେ ଶେଷ ହୋଇଥିଲା। ଗଜପତି ମହାରାଜାଙ୍କ ଛେରା ପହଁରା ପରେ ପ୍ରଥମେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ ଟଣା ହୋଇଥିଲା। ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଯାଇଥିଲା। ୪ଟା ୫୫ରେ ରଥଟଣା ଆରମ୍ଭ ହୋଇ ୬ଟା ୪୫ରେ ଶେଷ ହୋଇଥିଲା। ରାତି ହୋଇଯିବାରୁ ତିନି ରଥ ଅଳ୍ପବାଟରେ ଅଟକିଛନ୍ତି। ଆସନ୍ତାକାଲି ପୁଣି ରଥଟଣା ଆରମ୍ଭ ହେବ।
ସୋମବାର ସକାଳ ୯ଟାରୁ ପୁଣି ରଥଟଣା ଆରମ୍ଭ ହେବ ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି। ଜିଲ୍ଲାପାଳ କହିଛନ୍ତି, ସେବାୟତଙ୍କ ସହ ଆଲୋଚନା ପରେ ଆମେ ସକାଳ ୯ଟାରୁ ରଥଟଣା ଆରମ୍ଭ କରିବାକୁ ସମୟ ଧାର୍ଯ୍ୟ କରିଛୁ। ଯଦି ନୀତି ସଅଳ ହେଲା, ଏହା ପୂର୍ବରୁ ବି ରଥଟଣା ଆରମ୍ଭ ହୋଇଯିବ। ଏ ନେଇ ସମସ୍ତ ବ୍ୟବସ୍ଥା ସରିଛି ବୋଲି ଶ୍ରୀ ସ୍ବାଇଁ କହିଛନ୍ତି। ସୂଚନାଯୋଗ୍ୟ ଯେ ସୋମବାର ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିବା ପରେ ପରଦିନ ଆଡ଼ପ ପହଣ୍ଡି ଓ ବିଜେ ନୀତି ଅନୁଷ୍ଠିତ ହେବ। ପରେ ରତ୍ନସିଂହାସନରୁ ଦର୍ଶନ ଦେଉଥିବା ମହାବାହୁ ଜନ୍ମବେଦିରୁ ଭକ୍ତଙ୍କୁ ଦର୍ଶନ ଦେବେ।