ପଦାରେ ପଡିଲା ନନ୍ଦିଘୋଷ ଟିଭିର ମିଛ, ମୁଖା ଖୋଲିଦେଲେ ଏଚଆର ମୁଖ୍ୟ

ଭୁବନେଶ୍ୱର: ଏକ ମିଛ ତଥା ପ୍ରାୟୋଜିତ ମାମଲା ନେଇ ‘ସମ୍ବାଦ ଗ୍ରୁପ୍’ର ବରିଷ୍ଠ ଅଧିକାରୀଙ୍କୁ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)ର ପଚରାଉଚରା ଚାଲିଥିବାବେଳେ କିଛି ଗଣମାଧ୍ୟମରେ ଅନେକ ମିଥ୍ୟା ଓ କପୋଳକଳ୍ପିତ ଖବର ପ୍ରସାରିତ ହେଉଛି। ଏହିକ୍ରମରେ ‘ସମ୍ବାଦ ଗ୍ରୁପ’ର ଜିଏମ୍ (ମାନବ ସମ୍ବଳ) ବୈଜୟନ୍ତୀ କର ଫେରାର ହୋଇଯାଇଥିବା ନେଇ ନନ୍ଦିଘୋଷ ଟିଭି ଚ୍ୟାନେଲରେ ପ୍ରକାଶିତ ଖବର ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଶ୍ରୀମତୀ କର। ‘‘ଟିଭି ଚ୍ୟାନେଲଗୁଡ଼ିକ ନିଜ ସ୍ୱାର୍ଥସାଧନ ପାଇଁ ମିଥ୍ୟା ଖବର ପ୍ରସାରଣ କରିବା ଉଚିତ ନୁହେଁ। ଏହା ଦ୍ୱାରା ଲୋକଙ୍କ ମଧ୍ୟରେ ଥିବା ଗଣମାଧ୍ୟମ ପ୍ରତି ବିଶ୍ୱସନୀୟତାକୁ ପ୍ରଭାବିତ କରିବ। ଟିଭି ଚ୍ୟାନେଲଗୁଡ଼ିକ ଖବର ପରିବେଷଣରେ ନିରପେକ୍ଷ ନୀତି ଅନୁସରଣ କରିବା ଉଚିତ,’’ ବୋଲି ଶ୍ରୀମତୀ କର କହିଛନ୍ତି।

‘ସମ୍ବାଦ’ର ମାନବ ସମ୍ବଳ ବିଭାଗର ମହାପ୍ରବନ୍ଧକ ବୈଜୟନ୍ତୀ କର ନିଜ ପ୍ରତିକ୍ରିୟାରେ କରିଛନ୍ତି ଯେ ‘ସମ୍ବାଦ ଗ୍ରୁପ୍’ ଇଓଡବ୍ଲ୍ୟୁକୁ ସମସ୍ତ କାଗଜପତ୍ର ପ୍ରଦାନ କରିଛି। ତଦନ୍ତ ପ୍ରକ୍ରିୟାରେ ଆମେ ଇଓଡବ୍ଲ୍ୟୁକୁ ସମ୍ପୂର୍ଣ୍ଣ ସହଯୋଗ କରୁଛୁ। ମୋତେ ଓ ‘ସମ୍ବାଦ ଗ୍ରୁପ୍’କୁ ନେଇ କେହି ମିଥ୍ୟା ଖବର ପ୍ରସାରଣ କିମ୍ବା ପ୍ରସାରଣ କରନ୍ତୁ ନାହିଁ। ଇଓଡବ୍ଲ୍ୟୁ ପକ୍ଷରୁ ’ସମ୍ବାଦ’ ବିରୋଧରେ ମାମଲା ରୁଜୁ ହେବା ପରେ ଶ୍ରୀମତୀ କର ଫେରାର ହୋଇଯାଇଛନ୍ତି ବୋଲି ନନ୍ଦିଘୋଷ ଟିଭି ପକ୍ଷରୁ ପ୍ରଚାର କରାଯାଇଥିଲା। ‘ସମ୍ବାଦ’ର ଜଣେ ପୂର୍ବତନ କର୍ମଚାରୀଙ୍କ ଅଭିଯୋଗ କ୍ରମେ ଓଡ଼ିଶା ପୁଲିସର ଇଓଡବ୍ଲ୍ୟୁ ‘ସମ୍ବାଦ ଗ୍ରୁପ୍’ବିରୋଧରେ ଆଇପିସିର ଧାରା ୫୦୬, ୪୬୭, ୪୬୮, ୪୭୧, ୪୨୦ ଓ ୧୨୦(ଖ) ଅନୁଯାୟୀ ମାମଲା ରୁଜୁ କରିଥିଲା।
..

ସମ୍ବନ୍ଧିତ ଖବର