ପୁରୀ: ଗତକାଲି ରାତି ପହୁଡ଼ ହୋଇନଥିଲା। ଏହା ସତ୍ତ୍ବେ ୧ ଘଣ୍ଟା ୧୫ ମିନିଟ୍ ବିଳମ୍ବରେ ଆରମ୍ଭ ହେଲା ନୀତି। ସ୍ଥିତିରେ ସୁଧାର ଆଣିପାରିଲେନି। ପରିଣାମ ହେଲା, ଧାର୍ଯ୍ୟ ସମୟଠାରୁ ପାଖାପାଖି ୫୦ ମିନିଟ୍ ବିଳମ୍ବରେ ଆରମ୍ଭ ହେଲା ପହଣ୍ଡି। ଶେଷରେ ଯାହା ହେଲା ତାହା ଇତିହାସ। ଗତବର୍ଷ ରଥଯାତ୍ରାର ପୁନରାବୃତ୍ତି ହେଲା। ସିଂହଦ୍ବାରରେ ଅଟକିଗଲେ ମହାବାହୁ। ବିଧିରକ୍ଷା ପାଇଁ ସନ୍ଧ୍ୟା ୭ଟା ୪୫ ମିନିଟ୍ରେ ରଥ ଟଣାଗଲା। ଚକେ ଗଡ଼ିଛି, ଆଜି ପାଇଁ ବନ୍ଦ ହେଲା ରଥଟଣା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଘୋଷଣା କଲେ ଯେ ଏବେ ରଥଟଣା ହେବ ନାହିଁ। ଆସନ୍ତାକାଲି ଅର୍ଥାତ୍ ଶନିବାର ସକାଳ ସାଢ଼େ ୯ଟାରେ ରଥ ଟଣାଯିବ। ଠାକୁରଙ୍କ ରଥ ବଳଗଣ୍ଡି ଓ ଦେବୀ ସୁଭଦ୍ରାଙ୍କ ରଥ ମାର୍କେଟ୍ ଛକ ନିକଟରେ ଅଟକି ରହିଛି। ସରକାରଙ୍କ ସମସ୍ତ ପ୍ରସ୍ତୁତି ପରେ ବି ରଥଟଣାରେ ହୋଇଥିବା ଅବ୍ୟବସ୍ଥା ଘଟଣା ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଭୀଷଣ ଅସନ୍ତୁଷ୍ଟ କରିଛି। କାହା ଭୁଲ୍ ଲାଗି ଏଭଳି ଘଟଣା ଘଟିଲା, ସେ ନେଇ ତର୍ଜମା ଆରମ୍ଭ ହୋଇଛି। ସେପଟେ ସରକାର ଏହି ଘଟଣାକୁ ଗମ୍ଭୀରତାର ସହିତ ନେଇଛନ୍ତି। ବଳଭଦ୍ରଙ୍କ ରଥ ବାରମ୍ବାର ମୋଡ଼ ନେବା, ଭିଡ଼ ନିୟନ୍ତ୍ରଣରେ ବିଫଳତାକୁ ଆଇନମନ୍ତ୍ରୀ କାରଣ ଦର୍ଶାଇବା ସହିତ ରିପୋର୍ଟ ଲେଖା ହେବା ବେଳକୁ ପୁରୀରେ ରହି ସ୍ଥିତି ସମୀକ୍ଷା କରୁଛନ୍ତି। ସେପଟେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ରଥ ବିଶୃଙ୍ଖଳା ନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ଶ୍ରୀମନ୍ଦିର ପ୍ରଶାସନ ଉପରେ ଭୀଷଣ ବର୍ଷିଛନ୍ତି। ରାଜ୍ୟପାଳ ହରିବାବୁ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ରଥଟଣାରେ ସାମିଲ ହୋଇଥିଲେ। ପାଖାପାଖି ୧୦ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ପୁରୀ ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଲୋକ ଶ୍ରୀବିଗ୍ରହମାନଙ୍କର ଦର୍ଶନ କରୁଛନ୍ତି।
ମାର୍କେଟ୍ ଛକରେ ଦର୍ପଦଳନ, ବଳଗଣ୍ଡିରେ ଅଟକିଲା ତାଳଧ୍ବଜ
ଭକ୍ତ ସମୁଦ୍ରରେ ଭାବ ବିନୋଦିଆ, ଭିଜିଭିଜି ଦର୍ଶନ କଲେ ଶ୍ରଦ୍ଧାଳୁ
ରଥ ମୋଡ଼ ପାଇଁ ସବୁ ବିଫଳ, ଅଡ଼ୁଆ ବଢ଼ାଇଦେଲା ଭିଡ଼
ଆଜି ସାଢ଼େ ୯ଟାରେ ପୁଣି ରଥଟଣା: ମୁଖ୍ୟ ପ୍ରଶାସକ
ରଥ ଶୃଙ୍ଖଳା ଓ ସମୟାନୁଯାୟୀ ସବୁ କାର୍ଯ୍ୟ ସମାପନ ଲକ୍ଷ୍ୟ ନେଇ ଗତକାଲିଠାରୁ ନୀତିକାନ୍ତିକୁ ଗୁରୁତ୍ବ ଦିଆଯାଇଥିଲା। ହେଲେ ଆଜି ମଙ୍ଗଳ ଆଳତି ୬ଟା ପରିବର୍ତ୍ତେ ୭ଟା ୧୫ରେ ହୋଇଥିଲା। ସାଢ଼େ ୭ଟାରେ ମଇଲମ ଓ ତଡ଼ପଲାଗି, ୭ଟା ୪୦ରେ ଅବକାଶ ପୂଜା, ସାଢ଼େ ୮ଟାରେ ସୂର୍ଯ୍ୟପୂଜା, ୮ଟା ୪୦ରେ ଦ୍ବାରପାଳ ପୂଜା, ୯ଟାରେ ସକାଳ ଧୂପ ପୂଜା, ପୂର୍ବାହ୍ଣ ୧୦ଟା ୧୫ରେ ମଙ୍ଗଳାର୍ପଣ କରାଯାଇଥିଲା। ପୂର୍ବରୁ ସାଢ଼େ ୯ଟାରେ ଶ୍ରୀଜିଉମାନଙ୍କର ପହଣ୍ଡି ଆରମ୍ଭ ହେବ ବୋଲି ସମୟ ଧାର୍ଯ୍ୟ କରାଯାଇଥିଲା। ବର୍ଷା ସତ୍ତ୍ବେ ବଡ଼ଦାଣ୍ଡରେ ହଜାର ହଜାର ଭକ୍ତ ଠାକୁରଙ୍କ ଏହି ବିଶେଷ ଦର୍ଶନ ପାଇଁ ଚାହି ବସିଥିଲେ। ହେଲେ ୧୦ଟା ୨୦ରେ ଆରମ୍ଭ ହେଲା ପହଣ୍ଡି। କିନ୍ତୁ ଏହା ପରେ ନିର୍ଦ୍ଧାରିତ ସମୟ ମଧ୍ୟରେ ସେବକମାନେ ସଅଳ ନୀତି କରିଥିଲେ। ଫଳରେ ସାଢ଼େ ୧୨ଟା ସୁଦ୍ଧା ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥ ରଥାରୂଢ଼ ହୋଇଯାଇଥିଲେ। ୧୨ଟା ୫୦ରେ ମଦନମୋହନ ଓ ରାମକୃଷ୍ଣ ବିଜେ, ୧୨ଟା ୫୦ରେ ରୁନ୍ଧା ଶେଷ, ଦିନ ୨ଟାରେ ଚିତାଲାଗି ସମ୍ପନ୍ନ ହୋଇଥିଲା। ଶଙ୍କରାଚାର୍ଯ୍ୟ ଶ୍ରୀବିଗ୍ରହଙ୍କ ଦର୍ଶନ କରିବା ସହିତ ଗଜପତି ମହାରାଜା ଛେରାପହଁରା କାର୍ଯ୍ୟ ସମାପନ କରିଥିଲେ। ତୁରନ୍ତ ଚାର ଫିଟାଯାଇ ଘୋଡ଼ା ଓ ସାରଥି ଲାଗିଥିଲା। ନିର୍ଦ୍ଧାରିତ ସମୟ ଅର୍ଥାତ୍ ୪ଟା ୧୦ରେ ରଥଟଣା ଆରମ୍ଭ ହୋଇଥିଲା।
ଖରାର ଦାଉ ନଥିଲା, କି ଗୁଳୁଗୁଳିର ଯନ୍ତ୍ରଣା ନଥିଲା। ବରଂ ଦିନତମାମ ଝିପିଝିପି ବର୍ଷା ହେଉଥିଲା। ଅନୁକୂଳ ପାଗ ଯୋଗୁ ଭକ୍ତଙ୍କ ସଂଖ୍ୟା ଆଶାତୀତ ବୃଦ୍ଧି ପାଇଥିଲା। ହେଲେ ବଳଭଦ୍ରଙ୍କ ତାଳଧ୍ବଜ ରଥ ଗଡ଼ିବା ଆରମ୍ଭରୁ ଭୀଷଣ ସମସ୍ୟା ଦେଖାଦେଇଥିଲା। ବାରମ୍ବାର ମୋଡ଼ ନେଇଥିଲା। ଫାଳି ଲାଗିବା ପରେ ବି ବିଶେଷ ପରିବର୍ତ୍ତନ ହୋଇ ନଥିଲା। ସ୍ଥିତି ଏତେ ଗମ୍ଭୀର ହେଲା ଯେ ରାଜନଅର ଛୁଇଁବା ବେଳକୁ ଘଣ୍ଟାଏରୁ ଅଧିକ ସମୟ ଲାଗି ଯାଇଥିଲା। ଆରମ୍ଭରୁ ମୋଡ଼ ନେଇଥିଲା, ବାରମ୍ବାର ଫାଳି ଲାଗିଥିଲା। ରଥ ମରିଚିକୋଟ ଛକ ଅତିକ୍ରମ କରିବା ବେଳକୁ ଅଢ଼େଇ ଘଣ୍ଟା ବିତିଯାଇଥିଲା। ସୁଭଦ୍ରାଙ୍କ ରଥ ଅଟକି ରହିଲା। ବିଳମ୍ବରେ ହେଲା ରଥଟଣା।
ଯେବେ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟାଣିବା ନିଷ୍ପତ୍ତି ହେଲା, ସେତେବେଳକୁ ଭିଡ଼ ନିୟନ୍ତ୍ରଣ କରିବା ମୁସ୍କିଲ ହୋଇପଡ଼ିଲା। ରଥ କର୍ଡନ୍ ଖାଲି କରାଯାଇପାରିଲା ନାହିଁ ଓ ରଥ ସାମନାରେ ହଜାର ହଜାର ଲୋକଙ୍କ ଭିଡ଼ ସ୍ଥିତିକୁ ଆହୁରି ଜଟିଳ କରିଦେଇଥିଲା। ଫଳରେ ସନ୍ଧ୍ୟାରେ ୬ଟା ୩୫ରେ ରଥଟଣା ଆରମ୍ଭ ହୋଇଥିଲା। ଏହା ସତ୍ତ୍ବେ ପ୍ରଶାସନ ଚେତିଲା ନାହିଁ। ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ସାମନାରେ ମଧ୍ୟ ଭିଡ଼ ନିୟନ୍ତ୍ରଣରେ ବିଫଳ ହେଲା। ୭ଟା ୪୫ରେ ବିଧିରକ୍ଷା ପାଇଁ ଚକେ ଗଡ଼ି ଅଟକିଗଲେ ମହାବାହୁ। ରାତିରେ ରଥଟଣା ବିଧିବିରୁଦ୍ଧ ଥିଲେ ହେଁ କେବଳ ବିଧିରକ୍ଷା ପାଇଁ ଏଭଳି ନିଷ୍ପତ୍ତି ନିଆଗଲା।