ଭୁଶୁଡ଼ିଲା ନନ୍ଦିରା ଭୂତଳ କୋଇଲା ଖଣି

ଜଣେ ଶ୍ରମିକ ମୃତ, ଅନ୍ୟ ଜଣେ ଗୁରୁତର, ପ୍ରବଳ ଉତ୍ତେଜନା, ଖଣି କାର୍ଯ୍ୟ ବନ୍ଦ

ଅନୁଗୁଳ/ ତାଳଚେର : ଏମସିଏଲ୍‌ ପରିଚାଳିତ ତାଳଚେରର ନନ୍ଦିରା ଭୂତଳ କୋଇଲା ଖଣିରେ ଆଜି ଘଟିଛି ବଡ଼ଧରଣର ଦୁର୍ଘଟଣା। ସକାଳେ ଏହି ଭୂତଳ କୋଇଲା ଖଣି‌ରେ ପ୍ରାୟ ଦୁଇ ଟନ୍‌ ଓଜନର ଏକ କୋଇଲା ଅତଡ଼ା ଭୁଶୁଡ଼ି ପଡ଼ିବାରୁ ଏଥିରେ ଚାପି ହୋଇ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ଲାଗି ତାଳଚେର ନେହରୁ ଶତାବ୍ଦୀ କେନ୍ଦ୍ରୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଅନ୍ୟ କେତେକ ଶ୍ରମିକ କାର୍ଯ୍ୟରତ ଥିଲେ ହେଁ ସୌଭାଗ୍ୟବଶତଃ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ଦୁର୍ଘଟଣା ଖବର ପ୍ରଚାରିତ ହେବା ପରେ ଖଣି ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ମୃତାହତଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ସହ ଦୁର୍ଘଟଣା ପାଇଁ ଦାୟୀ ଅଧିକାରୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ସେମାନେ ମୃତ ଶ୍ରମିକଙ୍କ ଶବ ରଖି ଧାରଣା ଦେଇଥିଲେ। ଫଳରେ ଖଣିକାର୍ଯ୍ୟ ସଂପୂର୍ଣ୍ଣ ବନ୍ଦ ହୋଇ ଯାଇଥିଲା। ଖଣିର ବରିଷ୍ଠ ପଦାଧିକାରୀମାନେ ଦୀର୍ଘ ସମୟ ଧରି ବୁଝାଶୁଝା କରିବା ସହ ଆନ୍ଦୋଳନକାରୀ ଶ୍ରମିକ, କର୍ମଚାରୀମାନଙ୍କର ସମସ୍ତ ଦାବି ଗ୍ରହଣ କରିବା ପରେ ଅପରାହ୍ଣରେ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିଲା। ତେବେ ରାତିସୁଦ୍ଧା ଖଣି କାର୍ଯ୍ୟ ଆରମ୍ଭ ହୋଇ ପାରିନଥିବା ଖବର ମିଳିଛି। ଖଣି ସୁରକ୍ଷା ନିର୍ଦ୍ଦେଶାଳୟର ସ୍ବତନ୍ତ୍ର ଟିମ୍‌ ଆସି ରିପୋର୍ଟ ଦେବା ପରେ ଖଣି କାର୍ଯ୍ୟ ଆରମ୍ଭ କରାଯିବ ବୋଲି କୁହାଯାଉଛି।

ସୂଚନା ଅନୁଯାୟୀ, ଅନ୍ୟ ଦିନ ଭଳି ଆଜି ସକାଳେ ଜେନେରାଲ୍‌ ସିଫ୍ଟ ଆରମ୍ଭ ହେବା ପରେ ଶତାଧିକ ଶ୍ରମିକ କୋଇଲା ଉତ୍ତୋଳନ ପାଇଁ ନନ୍ଦିରା ଭୂତଳ କୋଇଲା ଖଣି ଭିତରକୁ ପ୍ରବେଶ କରିଥିଲେ। ସେମାନଙ୍କ ମଧ୍ୟରୁ ୧୨ଜଣ ଶ୍ରମିକ ସକାଳ ସାଢେ ୮ଟାରେ ସେମାନଙ୍କ ନିର୍ଦ୍ଧାରିତ କାର୍ଯ୍ୟସ୍ଥଳ ପି-୩ ଅଂଚଳରେ ପହଂଚି କୋଇଲା ଡ୍ରେସିଂ କାର୍ଯ୍ୟରେ ବ୍ୟସ୍ତ ଥିଲା ବେଳେ ହଠାତ୍‌ ପ୍ରଚଣ୍ଡ ଶବ୍ଦ କରି ଉପରୁ ପ୍ରାୟ ୨ ଟନ୍‌ ଓଜନର ଏକ କୋଇଲା ଅତଡ଼ା ତଳକୁ ଅଜାଡ଼ି ହୋଇ ପଡ଼ିଥିଲା। କେହି କିଛି ବୁଝିବା ପୂର୍ବରୁ ଏହି ଅତଡ଼ା ଖଣ୍ଡ ତଳେ ଜଣେ କୋଇଲା ଡ୍ରେସର୍‌ ଗଙ୍ଗାଧର ଦାସ(୫୭) ଚାପି ହୋଇ ରହି ଯାଇଥିଲେ। ସେଠାରେ କାର୍ଯ୍ୟରତ ଅନ୍ୟ ଦୁଇ ଶ୍ରମିକ ଉଭୟ ପାର୍ଶ୍ବକୁ ଡେଇଁ ପଡ଼ିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ହେଲେ ଗଙ୍ଗାଧର ମଝିରେ ରହି କୋଇଲା କାନ୍ଥରେ କଣା କରୁଥିବାରୁ ଆଉ ବାହାରକୁ ଖସି ଯାଇ ପାରି ନଥିଲେ। ଆଖପାଖରେ ଥିବା ଅନ୍ୟ ଶ୍ରମିକମାନେ ବହୁ କଷ୍ଟରେ ପ୍ରାୟ ୨ ଘଣ୍ଟା ପରେ ତାଙ୍କୁ ଉକ୍ତ କୋଇଲା ଖଣ୍ଡ ତଳୁ ଉଦ୍ଧାର କରି ଖଣି ବାହାରକୁ ଆଣିଥିଲେ। ତେବେ ସେ ସମୟରେ ହଠାତ୍‌ ପ୍ରାୟ ୨୦ କିଲୋଗ୍ରାମ ଓଜନର ଆଉ ଏକ କୋଇଲା ଅତଡ଼ା ଅନ୍ୟ ଜଣେ କୋଇଲା ଡ୍ରେସର୍‌ ନରେଶ ବିଶ୍ବାଳ(୪୨)ଙ୍କ ଉପରେ ଖସି ପଡ଼ିଥିଲା। ଅନ୍ୟ ଶ୍ରମିକମାନେ ନରେଶଙ୍କୁ ମଧ୍ୟ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାହାରକୁ ଆଣିଥିଲେ। ତାଙ୍କୁ ତାଳଚେର ନେହରୁ ଶତାବ୍ଦୀ କେନ୍ଦ୍ରୀୟ ଚିକିତ୍ସାଳୟରେ ତୁରନ୍ତ ଭର୍ତ୍ତି କରାଯାଇଥିଲା। ମୃତ ଶ୍ରମିକ ଗଙ୍ଗାଧରଙ୍କ ଘର କାମାକ୍ଷାନଗର ଗରଡ଼ିଆ ଗ୍ରାମରେ ହୋଇଥିଲା ବେଳେ ଆହତ ନରେଶଙ୍କ ଘର ତାଳଚେର କୋଲିୟରୀ ଥାନା ଡଅଁରା ଗ୍ରାମରେ ବୋଲି ଜଣାପଡ଼ିଛି।

ଦୁର୍ଘଟଣା ଖବର ପାଇ ଖଣିର ଶତାଧିକ ଶ୍ରମିକ, କର୍ମଚାରୀ ଓ ବିଭିନ୍ନ ଶ୍ରମିକ ସଂଗଠନର ସଦସ୍ୟମାନେ ଖଣି ସମ୍ମୁଖରେ ପହଂଚି ପ୍ରବଳ ପାଟିତୁଣ୍ଡ କରିବା ସହିତ ବିଭିନ୍ନ ଦାବି ନେଇ ଖଣିକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲେ। ପରେ ନନ୍ଦିରା କୋଇଲା ଖଣିର ପ୍ରକଳ୍ପ ଅଧିକାରୀ, ପରିଚାଳକ, ସୁରକ୍ଷା ଅଧିକାରୀ, ଡିଆଇସି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଶ୍ରମିକମାନଙ୍କୁ ବୁଝାଶୁଝା କରିଥିଲେ। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ତାଳଚେର କ୍ଷେତ୍ରୀୟ କାର୍ଯ୍ୟାଳୟର ଏପିଏମ୍‌ ସରୋଜ ଦାଶ ଆନ୍ଦୋଳରତ ଶ୍ରମିକଙ୍କ ପାଖରେ ପହଞ୍ଚି ବହୁ ବୁଝାଶୁଝା କରିବା ସହିତ ସେମାନଙ୍କର ସମସ୍ତ ଦାବି ଗ୍ରହଣ କରି ନେଇଥିଲେ। ସେହିଭଳି ଶ୍ରମିକ ସଂଗଠନର ଉପସ୍ଥାପିତ ଅନ୍ୟ ଦାବିଗୁଡ଼ିକୁ ଯଥାଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସେମାନେ ଆନ୍ଦୋଳନରୁ ଓହରିଥିଲେ। ଅପରାହ୍ଣ ପ୍ରାୟ ୪ଟା ବେଳେ ଶ୍ରମିକଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ନିଆଯାଇଥିଲା।

ସମ୍ବନ୍ଧିତ ଖବର