ଖୋର୍ଦ୍ଧା: ଦୀର୍ଘ ଶତବର୍ଷ ଧରି ଖୋର୍ଦ୍ଧା, ଟାଙ୍ଗୀ ଆଦି ଅଂଚଳର ୧୫୬ଟି ଗାଁର ବାସିନ୍ଦା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଏଖରାଜାତ ମାହାଲ ଜମିକୁ ଭୋଗଦଖଲ ରଖିଥିଲେ । ଏହା ମଧ୍ୟରୁ ସରକାର ୧୨୦ଟି ଗ୍ରାମର ଜମିକୁ ବନ୍ଦୋବସ୍ତ ମାଧ୍ୟମରେ ରାଜ୍ୟ ସରକାରଙ୍କ ପଟ୍ଟା ଦିଆଯାଇଛି । ବଳକା ୩୬ଟି ଗାଁ ଏଥିରୁ ବଂଚିତ ହୋଇଛନ୍ତି । ଏନେଇ ନରଣଗଡ଼, ଧଉଳିମୁହଁ ଓ ନିଜିଗଡ଼ ତାପଙ୍ଗ ଆଦି ପଂଚାୟତର ୧୫ଟି ଗାଁ ଗତ ୪ ବର୍ଷ ଧରି ଧାରଣା ଆଦି ପ୍ରତିବାଦ କରି ବିଫଳ ହେବା ପରେ ବର୍ତମାନ ଆଇନ ଅମାନ୍ୟ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Advertisment

ଆଜି ଆଂଚଳିକ ଭିଟାମାଟି ବଂଚାଅ ସଂଗ୍ରାମ ସମିତି ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦିଆଯାଇଛି । ଦାବିପତ୍ରରେ ଦର୍ଶାଯାଇଛି ଯେ ନରଣଗଡ଼, ଧଉଳିମୁହଁ ଓ ନିଜିଗଡ଼ ତାପଙ୍ଗର ୧୫ଖଣ୍ଡ ଗାଁର ଜମିର ମାଲିକାନା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ରହିଛି । ଏହାଦ୍ୱାରା ସେମାନେ ପୁରୁଷାନୁକ୍ରମିକ ଭାବେ ଭୋଗଦଖଲ କରି ଆସୁଥବା ଜମିର ବିକ୍ରିବଟା, ପଟ୍ଟା, ଗୃହନିର୍ମାଣ ପାଇଁ ସହାୟତା କିମ୍ବା ଅନ୍ୟ ସରକାରୀ ସହାୟତା ଓ ପ୍ରମାଣପତ୍ର ପାଇପାରୁନାହାନ୍ତି । ଏଣୁ ଶ୍ରୀଜଗନ୍ନାଥଙ୍କ ମାଲିକାନାରୁ ରାଜ୍ୟ ସରକାରଙ୍କ ନାମରେ ଆରଓଆର୍ ପରିବର୍ତ୍ତନ କରାଯାଉ । ଏନେଇ ସେମାନେ ଗତ ୪ ବର୍ଷ ଧରି ଆନେ୍ଦାଳନ କରୁଥିଲେ ମଧ୍ୟ ସେମାନଙ୍କ ଦାବିକୁ କେହି ଶୁଣୁନାହାନ୍ତି । ଯଦି ସେମାନଙ୍କ ଦାବି ଆସନ୍ତା ୧୫ ଦିନ ମଧ୍ୟରେ ପ୍ରଶାସନ ନଶୁଣେ ତେବେ ଆଇନ ଅମାନ୍ୟ ଆନେ୍ଦାଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଆଜିର ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ସଂଗ୍ରାମ ସମିତିର ସମ୍ପାଦକ ଯୁଧିଷ୍ଠିର ହରିଚନ୍ଦନ, ସଭାପତି ଗୋଦାବରୀଶ ଗୁମାନସିଂହଙ୍କ ସମେତ ଅନ୍ୟ୪-୫ କର୍ମକର୍ତା ଉପସ୍ଥିତ ଥିଲେ ।