ସରକାରଙ୍କୁ ଅଡ଼ୁଆରେ ପକାଇଲେ ନରସିଂହ

ମୁଖ୍ୟମନ୍ତ୍ରୀଙ୍କ ବିନା ଅଥରାଇଜେସନ୍‌ରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିପରି ରିପୋର୍ଟ ଉପସ୍ଥାପନ କରିବେ?
ଗୃହ ପରିଚାଳନାକୁ ନେଇ ବି ଅସନ୍ତୋଷ ଝାଡ଼ିଲେ
ପ୍ରେସ୍ ଗ୍ୟାଲେରିକୁ ସାମ୍ବାଦିକଙ୍କୁ ଛଡ଼ାଯାଉ ନ ଥିବାରୁ କ୍ଷୋଭ

ଭୁବନେଶ୍ବର : ଚିତ୍ରକୋଣ୍ଡା ପୁଲିସ ବର୍ବରତା ପ୍ରସଙ୍ଗରେ ମନ୍ତ୍ରୀଙ୍କ ବିବୃତି ପରେ ବିଧାନସଭା ଗୃହ ସ୍ବାଭାବିକ ଚାଲିଥିଲା। କିନ୍ତୁ ଗୃହରେ ମନ୍ତ୍ରୀଙ୍କ ଦ୍ବାରା ରିପୋର୍ଟ ଉପସ୍ଥାପନ ଆରମ୍ଭ ହେଲା ବେଳେ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଥିଲା। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଦୁଇଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇ ପୂରା ସରକାର ଓ ବାଚସ୍ପତିଙ୍କୁ ଅଡ଼ୁଆରେ ପକାଇ ଦେଇଥିଲେ। ଫଳରେ କିଛି ସମୟ ପାଇଁ ଗୃହରେ ଅସ୍ବାଭାବିକ ସ୍ଥିତି ଦେଖା ଦେଇଥିଲା। ଏହି ଘଟଣା ଆଜି ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।

ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଅଧସ୍ତନ କାରାଗାର ସେବା ନିୟମାବଳୀ, ୨୦୨୨କୁ ବିଧାନସଭାରେ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ଥିଲା। ମୁଖ୍ୟମନ୍ତ୍ରୀଙ୍କ ତରଫରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହାକୁ ଗୃହରେ ଉପସ୍ଥାପନ କରିବାକୁ ବାଚସ୍ପତି ଡାକିଥିଲେ। ଏହି ସମୟରେ ଶ୍ରୀ ମିଶ୍ର ପଏଣ୍ଟ୍ ଅଫ୍ ଅର୍ଡର୍ ଜରିଆରେ କହିବା ପାଇଁ ବାଚସ୍ପତିଙ୍କ ଅନୁମତି ମାଗିଥିଲେ। ବାଚସ୍ପତି ଅନୁମତି ଦେଇଥିଲେ। ଶ୍ରୀ ମିଶ୍ର କହିଥିଲେ, କାଗଜ ଉପସ୍ଥାପନ କରିବା ପାଇଁ ନିଜେ ନବୀନ ପଟ୍ଟନାୟକ ନାହାନ୍ତି କି ଯେଉଁ କାଗଜ ଉପସ୍ଥାପନ ହେବ ତାହାର ନକଲ ବିଧାୟକଙ୍କ ପାଖରେ ନାହିଁ। ତେବେ ଆମେ କିପରି ଜାଣିବୁ କ’ଣ ଉପସ୍ଥାପନ ହେଲା ବୋଲି?

ବାଚସ୍ପତି କହିଥିଲେ, ବୁଧବାର ରାତି ସୁଦ୍ଧା ସମସ୍ତ ବିଧାୟକଙ୍କୁ ଏଠାରେ ଉପସ୍ଥାପନ ହୋଇଥିବା ସବୁ କାଗଜ ଯୋଗାଇ ଦିଆଯିବ। ଆଉ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଅଥରାଇଜ୍ କରିଥିବାରୁ ସେ କାଗଜ ଉପସ୍ଥାପନ କରିବେ।

ମୁଖ୍ୟମନ୍ତ୍ରୀଙ୍କ ‘ଅଥରାଇଜେସନ୍ ଲେଟର୍’ ଏବେ ଦେଖାଇବା ପାଇଁ ଶ୍ରୀ ମିଶ୍ର କହିଥିଲେ। ଲେଟର୍ ଅଛି ବୋଲି ବାଚସ୍ପତି କହିଥିଲେ। କିନ୍ତୁ ସଙ୍ଗେ ସଙ୍ଗେ ଏଠାରେ ଦେଖାଇବା ପାଇଁ ଶ୍ରୀ ମିଶ୍ର ଅଡ଼ି ବସିଥିଲେ। ବାଚସ୍ପତି ବିଧାନସଭାର ଅଧିକାରୀମାନଙ୍କ ସହ ସେଠାରେ ଆଲୋଚନା କରିଥିଲେ ବି ଲେଟର୍ ଦେଖାଇପାରି ନ ଥିଲେ। ଏହା ପରେ ଶ୍ରୀ ମିଶ୍ର କ୍ଷୋଭ ପ୍ରକାଶ କରି କହିଥିଲେ, ପ୍ରସଙ୍ଗଟିକୁ ବାଚସ୍ପତି ଗୁରୁତର ସହ ନିଅନ୍ତୁ। ଉପସ୍ଥାପିତ ହେବାକୁ ଥିବା କାଗଜ ବିଧାୟକଙ୍କ ଟେବୁଲ୍‌ରେ ନ ଦେଲେ ଆମେ ଜାଣିବୁ କେମିତି? ଆପଣ ତାହାକୁ ପେନ୍‌ଡ୍ରାଇଭ୍‌ରେ ଦେଲେ ହେବ ନାହିଁ। ଏତେଗୁଡ଼ିଏ ରିପୋର୍ଟ ପେନ୍‌ଡ୍ରାଇଭ୍‌ରେ ନେଇ ପଢ଼ିବା ସମ୍ଭବ ନୁହେଁ। ପୁଣି ମୁଖ୍ୟମନ୍ତ୍ରୀଙ୍କ ବିନା ଅଥରାଇଜେସନ୍ ଲେଟର୍‌ରେ ଆଉ ଜଣେ ମନ୍ତ୍ରୀ କିପରି କାଗଜ ଉପସ୍ଥାପନ କରିବେ? ବିଧନସଭର ବିଧିବ୍ୟବସ୍ଥା ଅନୁଯାୟୀ ଗୃହ ଚାଲୁ। ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୃହରେ କାଗଜ ଉପସ୍ଥାପନ ପୂର୍ବରୁ ମୋତେ ତାହା ଦିଆଯାଉ। ସଙ୍ଗେ ସଙ୍ଗେ ସେହି କାଗଜ ଦେବାକୁ ସେ କହିଥିଲେ।

ଏହା ପରେ ଶ୍ରୀ ମିଶ୍ରଙ୍କୁ କାଗଜ ଦେବାକୁ ବାଚସ୍ପତି କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ ମିଶ୍ରଙ୍କୁ ବିଧାନସଭା କର୍ମଚାରୀ କାଗଜ ଯୋଗାଇ ଦେଲା ପରେ ମନ୍ତ୍ରୀଙ୍କୁ କାଗଜ ଉପସ୍ଥାପନ କରିବାକୁ ବାଚସ୍ପତି କହିଥିଲେ। କିନ୍ତୁ ଶ୍ରୀ ମିଶ୍ର ତାହାର ପ୍ରତିବାଦ କରି କହିଥିଲେ, ‘ମୋର ପଏଣ୍ଟ୍ ଅଫ୍ ଅର୍ଡର୍ ସରିନି। ଆପଣ ମନ୍ତ୍ରୀଙ୍କୁ କିପରି ଡାକୁଛନ୍ତି? ମୁଖ୍ୟମନ୍ତ୍ରୀଙ୍କ ‘ଅଥରାଇଜେସନ୍ ଲେଟର୍’ ଦେଖାଇଲା ପରେ ମୁଁ ବସିବି। ଗୃହରେ ବାଚସ୍ପତି ଯାହା ନିଷ୍ପତ୍ତି ନେବେ ଓ ନିର୍ଦ୍ଦେଶ ଦେବେ ତାହା ଚୂଡ଼ାନ୍ତ। ଆମେ ତାହାକୁ ମାନିବାକୁ ବାଧ୍ୟ। କିନ୍ତୁ ଆପଣ ଯାହା ଇଚ୍ଛା ତାହା କହିବେନି ବୋଲି ମୋର ବିଶ୍ବାସ। ଆପଣ ଏମିତି କିଛି କହିବେନି, ଯାହା କି ଭବିଷ୍ୟତ ପାଇଁ ଭୁଲ୍ ଉଦାହରଣ ସୃଷ୍ଟି କରିବ।’

ଶ୍ରୀ ମିଶ୍ର ଆହୁରି କହିଥିଲେ ଯେ ମୋତେ ଏକା ଏଠି କାଗଜ ଦିଆଗଲା। କିନ୍ତୁ ଅନ୍ୟ ବିଧାୟକମାନଙ୍କୁ ଦିଆଗଲା ନାହିଁ। ଏଥିରେ ଯଦି ବିଧାୟକମାନେ ଖୁସି, ମୋର କିଛି କହିବାର ନାହିଁ। କିନ୍ତୁ ଏପରି ଅବ୍ୟବସ୍ଥାରେ ଗୃହ ଚାଲେ ନାହିଁ। ଆମେ ଏଠାକୁ କାହିଁକି ଆସୁଛୁ ବୁଝିପାରୁନୁ। ପ୍ରେସ୍ ଗ୍ୟାଲେରି ଖାଲି ପଡ଼ୁଛି। ସାମ୍ବାଦିକଙ୍କୁ ଛଡ଼ାଯାଉନି। ଜଣେ ସାମ୍ବାଦିକ ସକାଳ ୧୦ରୁ ସନ୍ଧ୍ୟା ୭ ଯାଏ ବସି ରିପୋର୍ଟ ଲେଖୁଛନ୍ତି। ଗୋଟିଏ ଗଣମାଧ୍ୟମ ସଂସ୍ଥାକୁ ଗୋଟିଏ ପାସ୍ ଦିଆଯାଉଛି। ଦୁଇଟି ପାସ୍ କାହିଁକି ଦିଆଯାଉନି?

ଶ୍ରୀ ମିଶ୍ର ବାରମ୍ବାର ‘ଅଥରାଇଜେସନ୍ ଲେଟର୍’ ଦେଖାଇବା ପାଇଁ କହିଥିଲେ। ଶାସକ ଦଳର ସଭ୍ୟମାନେ ମଧ୍ୟ ଚୁପ୍‌ଚାପ୍ ବସିଥିଲେ। ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପି ସଭ୍ୟମାନେ ଚୁପ୍ ବସିଛନ୍ତି ବୋଲି ଶ୍ରୀ ମିଶ୍ର କଟାକ୍ଷ କରିଥିଲେ। ତେବେ ଶେଷ ପର୍ଯ୍ୟନ୍ତ ବାଚସ୍ପତି ଲେଟର୍ ଦେଖାଇ ପାରି ନଥିଲେ। ଏହା ପରେ କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକଙ୍କୁ ଅନୁରୋଧ କ୍ରମେ ଶ୍ରୀ ମିଶ୍ର ବସିଯାଇଥିଲେ। ତାହା ପରେ ବାଚସ୍ପତି ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ କାଗଜ ଉପସ୍ଥାପନ ପାଇଁ ଡାକିଥିଲେ।

ସମ୍ବନ୍ଧିତ ଖବର