ନରସିଂହ, ତାରା ଜିତିଲେ, ଅନ୍ୟ କଂଗ୍ରେସ ବିଧାୟକ ହାରିଲେ

ବିଜେପି ବିଧାୟକ ଜିତିଲେନି, ବାବୁଙ୍କ ମିଶ୍ର ପ୍ରଦର୍ଶନ

ପଞ୍ଚଦଶ ବିଧାନସଭାରେ କଂଗ୍ରେସ ୧୬ଟି ଆସନ ପାଇଥିଲା। ବିଜେପୁର ବିଧାୟକ ସୁବଳ ସାହୁଙ୍କ ବିୟୋଗ ପରେ ସେହି ଆସନ ବିଜେଡି ହାତକୁ ଚାଲିଯାଇଥିଲା। ପରବର୍ତ୍ତୀ ସମୟରେ କଂଗ୍ରେସରୁ କୃଷ୍ଣଚନ୍ଦ୍ର ସଗରିଆ ଇସ୍ତଫା ଦେଇଥିଲେ। ଯୋଗେଶ ସିଂହଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ନବକିଶୋର ଦାସ କଂଗ୍ରେସ ଛାଡ଼ି ବିଜେଡି ଟିକେଟ୍‌ ପାଇ ଏଥର ଜିତିଛନ୍ତି। ପ୍ରକାଶ ବେହେରା କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇ ପ୍ରାର୍ଥୀ ହୋଇଥିଲେ ବି ହାରିଯାଇଛନ୍ତି। ଜାକବ ପ୍ରଧାନ ଦଳୀୟ ଟିକେଟ୍‌ ପାଇନଥିଲେ। କଂଗ୍ରେସ ଟିକେଟ୍‌ରେ ଏଥର ପୁଣି ଲଢ଼ିଥିବା ୮ ଜଣ ବିଧାୟକ ପ୍ରଫୁଲ୍ଲ ମାଝୀ, ଅଂଶୁମାନ ମହାନ୍ତି, ଭୁଜବଳ ମାଝୀ, ଚନ୍ଦ୍ରଶେଖର ମାଝୀ, ଚିରଞ୍ଜୀବୀ ବିଶ୍ବାଳ, ଦେବେନ୍ଦ୍ର ଶର୍ମା, କୈଳାସ କୁଲେଶିକା ଓ କେ ସୂର୍ଯ୍ୟା ରାଓଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ପଞ୍ଚଦଶ ବିଧାନସଭାର ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ କଂଗ୍ରେସ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ପୁଣି ଷେ‌ାଡ଼ଶ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

ବିଜେପି ବିଧାୟକ ଜିତିଲେନି

ପଞ୍ଚଦଶ ବିଧାନସଭାରେ ବିଜେପିର ସଦସ୍ୟ ସଂଖ୍ୟା ଥିଲା ୧୦। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଦିଲ୍ଲୀପ ରାୟ ଓ ଦୁ‌‌‌େର୍ଯ୍ୟାଧନ ମାଝୀ ଦଳ ଛାଡ଼ି ଦେଇଥିଲେ। ଆଉ ଦୁଇ ଜଣ ବିଧାୟକ ବସନ୍ତ ପଣ୍ଡା ଓ ନୀତେଶ ଗଙ୍ଗଦେବ ଲୋକସଭାରେ ପ୍ରାର୍ଥୀ ହୋଇଥିଲେ। ଉଭୟ ମଧ୍ୟ ବିଜୟ ହାସଲ କରିଛନ୍ତି। ବିଧାୟକ ବିଭୂତି ହରିଚନ୍ଦନ ଏଥର ଚିଲିକାରେ ପ୍ରାର୍ଥୀ ନ ହୋଇ ନିଜ ପୁତୁରା ପୃଥ୍ବୀରାଜ ହରିଚନ୍ଦନଙ୍କୁ ଛାଡ଼ି ଦେଇଥିଲେ। ଏଥର ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଆଉ ୫ ଜଣ ବିଧାୟକ କନକ ବର୍ଦ୍ଧନ ସିଂହଦେଓ, ପ୍ରଦୀପ ପୁରୋହିତ, ରାଧାରାଣୀ ପଣ୍ଡା, ରବି ନାରାୟଣ ନାଏକ ଓ ଗୋବିନ୍ଦ ଚନ୍ଦ୍ର ଦାସ ପରାଜୟର ସାମ୍ନା କରିଛନ୍ତି। ଏଥର ନିର୍ବାଚନରେ ବିଜେପି ମୁଖ୍ୟ ବିରୋଧୀ ଦଳରେ ରହିବା ସ୍ପଷ୍ଟ ହୋଇଥିଲେ ବି ପଞ୍ଚଦଶ ବିଧାନସଭାର କୌଣସି ବିଜେପି ବିଧାୟକ ଷୋଡ଼ଶ ବିଧାନସଭାର ସଦସ୍ୟ ହୋଇପାରି ନାହାନ୍ତି।

ବାବୁଙ୍କ ମିଶ୍ର ପ୍ରଦର୍ଶନ

ସରକାରୀ ଚାକିରିରୁ ରାଜନୀତିକୁ ଲମ୍ଫ ମାରିଥିଲେ କିଛି ଚର୍ଚ୍ଚିତ ଚେହେରା। ତେବେ ସମସ୍ତେ ସଫଳତାର ସ୍ବାଦ ଚାଖିପାରି ନାହାନ୍ତି। ଆଇଏଏସ୍ ଚାକିରି ଛାଡ଼ି ଭୁବନେଶ୍ବର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ହୋଇଥିବା ଅପରାଜିତା ଷଡ଼ଙ୍ଗୀ ବିଜୟୀ ହୋଇଛନ୍ତି। ତେବେ ତାଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରୁଥିବା ଅବସରପ୍ରାପ୍ତ ଆଇପିଏସ୍ ଅଫିସର୍ ଅରୂପ ପଟ୍ଟନାୟକଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ସେହିପରି ଅବସରପ୍ରାପ୍ତ ଆଇପିଏସ୍ ଅଫିସର୍ ତଥା କଟକ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ପ୍ରକାଶ ମିଶ୍ର ବି ପରାଜିତ ହୋଇଛନ୍ତି। ପୂର୍ତ୍ତ ବିଭାଗ ସଚିବ ଭାବେ କାର୍ଯ୍ୟ କରି ଅବସର ନେଇ ସମ୍ବଲପୁର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ହୋଇଥିବା ନଳିନୀ ପ୍ରଧାନ ବି ପରାଜୟ ବରଣ କରିଛନ୍ତି। ତେବେ ଆଠମଲ୍ଲିକରୁ ପ୍ରାର୍ଥୀ ହୋଇଥିବା ବରିଷ୍ଠ ଓଏଏସ୍ ଅଧିକାରୀ ରମେଶ ଚନ୍ଦ୍ର ସାଇ ଜିତିଯାଇଛନ୍ତି। ସେହିପରି ଓଏଫ୍‌ଏସ୍ ଚାକିରି ଛାଡ଼ି ଯାଜପୁର ଲୋକସଭା ଅ‌ାସନରୁ ବିଜେଡି ପ୍ରାର୍ଥୀ ହୋଇଥିବା ଶର୍ମିଷ୍ଠା ସେଠୀ ଜିତିଛନ୍ତି।

ସମ୍ବନ୍ଧିତ ଖବର