ଆଇଜିଏଚ୍‌କୁ ସୁପରସ୍ପେଶିଆଲିଟି ହସ୍‌ପିଟାଲ୍‌ ପ୍ରତିଶ୍ରୁତି : ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ନରସିଂହଙ୍କ ଚିଠି

ଭୁବନେଶ୍ୱର : ୨୦୧୫ ଏପ୍ରିଲ ପହିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଉରକେଲା ଇସ୍ପାତ ଜେନେରାଲ୍‌ ହସ୍‌ପିଟାଲ୍‌(ଆଇଜିଏଚ୍‌)କୁ ସୁପର୍‌ ସ୍ପେଶିଆଲିଟି ହସ୍‌ପିଟାଲ୍‌କୁ ଉନ୍ନୀତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ତିନିବର୍ଷ ପରେ ଏହି ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୋଇଛି। ଏ କଥା ମୋଦିଙ୍କୁ ମନେ ପକାଇବା ପାଇଁ ଓଡ଼ିଶା ବିଧାନସଭା କଂଗ୍ରେସ ବିଧାୟକ ଦଳ ସଦସ୍ୟମାନେ ଏବଂ କଂଗ୍ରେସ ସାଂସଦ ତାଙ୍କୁ ସାକ୍ଷାତ କରିବାକୁ ଯିବେ। ଏଥିପାଇଁ ପ୍ରଧାନମନ୍ତ୍ରୀ ତାରିଖ ଧାର୍ଯ୍ୟ କରିବାକୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର ତାଙ୍କୁ ଅନୁରୋଧ କରିଛନ୍ତି। ଆଜି ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଏଭଳି ଅନୁରୋଧ ଜଣାଇଛନ୍ତି।

ଆଜି ଅପରାହ୍ଣରେ କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ନେତା କହିଲେ, ନିର୍ବାଚନ ବୈତରଣୀ ପାର ହେବା ପାଇଁ ମୋଦୀ ଦେଶବାସୀଙ୍କୁ ଅନେକ ମିଥ୍ୟା ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଜଣେ ପ୍ରଧାନମନ୍ତ୍ରୀ ଭାବେ ମିଥ୍ୟା ପ୍ରତିଶ୍ରୁତି ଦେବା ଭାରତ ଭଳି ଗଣତନ୍ତ୍ର ପାଇଁ ବିଡ଼ମ୍ବନାର ବିଷୟ। ରାଉରକେଲା ଆଇଜିଏଚ୍‌କୁ ସୁପର୍‌ ସ୍ପେଶିଆଲିଟି ହସ୍‌ପିଟାଲ୍‌ରେ ପରିଣତ କରିବାକୁ ସେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ସେ ନେଇ ସେ ତାଙ୍କୁ ପ୍ରଥମେ ତାଙ୍କ ଦଳର ବିଧାୟକ(ରାଉରକେଲାର ବିଜେପି ବିଧାୟକ ଦିଲ୍ଲୀପ ରାୟ) ଦୃଷ୍ଟି ଆକର୍ଷଣ କରିଥିଲେ। ଏଭଳି ସ୍ୱାସ୍ଥ୍ୟ ପ୍ରସଙ୍ଗ କେବଳ ରାଉରକେଲା କି ସୁନ୍ଦରଗଡ଼ ଜିଲ୍ଲାର ନୁହେଁ, ଓଡ଼ିଶା ଭଳି ଗରିବ ରାଜ୍ୟ ପାଇଁ ବଡ଼ ପ୍ରସଙ୍ଗ। କାରଣ କେନ୍ଦ୍ର ସରକାରଙ୍କ ଆର୍ଥିକ ସହଯୋଗ ବିନା ଏଠାରେ ଉନ୍ନତ ହସ୍‌ପିଟାଲ୍‌ ସ୍ଥାପନ ସମ୍ଭବ ନୁହେଁ। କିନ୍ତୁ ଓଡ଼ିଶାର ଦାବିକୁ ମୋଦୀ ପ୍ରତାରିତ କରିଛନ୍ତିି ବୋଲି ଶ୍ରୀ ମିଶ୍ର ଅଭିଯୋଗ କରିଥିଲେ।

ଏହି ଦାବି ସଂପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇବାକୁ ଜଣେ ସାଧାରଣ ଯୁବକ ମୁକ୍ତିକାନ୍ତ ବିଶ୍ୱାଳ ୧୩୦୦ କି.ମି.ରୁ ଅଧିକ ବାଟ ଚାଲି ଚାଲି ଯିବା ନିଶ୍ଚିତ ରୂପେ ବିରଳ ଘଟଣା। କିନ୍ତୁ ଦିଲ୍ଲୀରେ ତାଙ୍କୁ ସହାୟତା କରିବା ପରିବର୍ତେ ଜଣେ କେନ୍ଦ୍ର ମନ୍ତ୍ରୀ ତାଙ୍କୁ ଭତ୍ସନା କରିଥିଲେ। ଦେଶବିଦେଶ ଗସ୍ତ ହେଉ ବା ଦଳୀୟ କାର୍ଯ୍ୟକ୍ରମରେ ଯିଏ ଅତ୍ୟନ୍ତ ବ୍ୟସ୍ତ, ଜଣେ ସାଧାରଣ ନାଗରିକଙ୍କୁ ଭେଟିବା ପାଇଁ ତାଙ୍କର ସମୟ ନାହିଁ। ଅନୁରୂପ ଭାବେ ଓଡ଼ିଶାର ବିଧାନସଭା ଗୃହ କମିଟି ଚାଷୀଙ୍କ ସ୍ୱାର୍ଥ ପାଇଁ ତାଙ୍କୁ ସାକ୍ଷାତ କରିବାକୁ ଅନୁରୋଧ କରିଥିଲେ ବି ସେ ସମୟ ଦେବା ତ ଦୂରର କଥା ଉତ୍ତର ବି ଦେଲେନାହିଁ। ଏହାର ପ୍ରତିବାଦରେ ମୁକ୍ତିକାନ୍ତ ଯନ୍ତରମନ୍ତରରେ ଦିନ ୧୧.୩୦ ମିନିଟ୍‌ରେ ଆନ୍ଦୋଳନ ଆରମ୍ଭ କଲେ। କିନ୍ତୁ ସେହିଦିନ ସନ୍ଧ୍ୟାରେ ପୁଲିସ ତାଙ୍କୁ ଗିରଫ କରିନେଲା। ପ୍ରତିବାଦର ସ୍ୱରକୁ ଏଭଳି ଦବାଇ ଦିଆଯାଉଥିବା ନେଇ ଉଦ୍‌ବେଗ ପ୍ରକାଶ କରି ବିରୋଧୀ ଦଳ ନେତା ମୋଦୀଙ୍କ ଉପରେ ବର୍ଷିଥିଲେ। ସଙ୍ଗିନ ଅଭିଯୋଗ କରିଥିଲେ, ଗଣତନ୍ତ୍ର ଧ୍ୱଂସ କରି ଦେଶରେ ଫାସିବାଦ୍‌ ପ୍ରତିଷ୍ଠା କରିବାକୁ ସେ ଉଦ୍ୟମ ଚଳାଇଛନ୍ତିି।

ଇତି ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିର୍ଦେଶରେ ସ୍ୱାସ୍ଥ୍ୟ, ଚିକିତ୍ସା କ୍ଷେତ୍ରର ବିକାଶ ପାଇଁ ରାଜ୍ୟ କଂଗ୍ରେସ ପକ୍ଷରୁ ୨୦ ଲକ୍ଷ ଟଙ୍କାରୁ ଅଧିକ ପରିମାଣର ଅର୍ଥ ସଂଗ୍ରହ ହୋଇଛି। ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ବେଳେ ଚେକ୍‌ ଆକାରରେ ତାଙ୍କୁ ଏହି ପ୍ରତୀକାତ୍ମକ ଅବଦାନ ସହିତ ସ୍ମାରକପତ୍ର ପ୍ରଦାନ କରାଯିବ। କେନ୍ଦ୍ର ସରକାର ୨୦୦ କୋଟି ଦେଇସାରିଥିବା ପ୍ରଶ୍ନର ଉତ୍ତରରେ ଶ୍ରୀ ମିଶ୍ର କହିଲେ, କେବେ, କାହାକୁ ଏହି ଅର୍ଥ ଦିଆଯାଇଛି ସେ ନେଇ ସଂପୂର୍ଣ୍ଣ ବିବରଣୀ ଦେଲେ ଆମେ ଖୁସି ହେବୁ। ପ୍ରଧାନମନ୍ତ୍ରୀ ତାଙ୍କ ଅନୁରୋଧକୁ ଟାଳିଦେବା କଥାକୁ ସେ ଅସ୍ୱୀକାର କରି କହିଲେ, କଂଗ୍ରେସ ଆଶାବାଦୀ। ଯଦି ସେ ସାକ୍ଷାତ କରିବାକୁ ସମୟ ନ ଦିଅନ୍ତି, ତେବେ ଗଣତାନ୍ତ୍ରିକ ବ୍ୟବସ୍ଥା ଅନୁଯାୟୀ ଯାହା କରାଯିବ। ମୁକ୍ତିକାନ୍ତ ବିଶ୍ୱାଳ କୌଣସି ଦଳର ସଦସ୍ୟ ନୁହନ୍ତି। ତାଙ୍କ ପ୍ରତିବାଦର ସ୍ୱରକୁ ଚପାଇବା ଘଟଣାରୁ ସ୍ପଷ୍ଟ ଯେ ତାଙ୍କୁ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରାଯାଇଛି। ଏହା ଗଣତନ୍ତ୍ର ପ୍ରତି ବିପଦ ବୋଲି ସେ କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ରଞ୍ଜୀବ ବିଶ୍ୱାଳ, ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର