ରାଜସ୍ବ ମନ୍ତ୍ରୀଙ୍କ ଲିଖିତ ଉତ୍ତରକୁ ନରସିଂହଙ୍କ ବିରୋଧ

ଭୁବନେଶ୍ବର: ମରୁଡ଼ି ଆଲୋଚନା ପରେ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଉତ୍ତର ରଖୁଥିଲେ। ଏହି ସମୟରେ ଗୃହରେ ଉପବାଚସ୍ପତି ରଜନୀକାନ୍ତ ସିଂହ ଅଧ୍ୟକ୍ଷତା କରୁଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମନ୍ତ୍ରୀଙ୍କ ଉତ୍ତରର ପ୍ରତିବାଦ ଜଣାଇଥିଲେ। କହିଥି‌‌ଲେ ଯେ ‘ମନ୍ତ୍ରୀ ପ୍ରସଙ୍ଗଟିକୁ ହାଲ୍‌କା ଭାବେ ନେଇଛନ୍ତି। ଯେଉଁଠି ଗଜା ମରୁଡ଼ି ହୋଇଛି, ସେଠି ବର୍ଷା ହେଲେ ବି ଫସଲ ବଞ୍ଚାଇ ହେବନି। ଏ ସରକାର ଚାଷ ସମ୍ପର୍କରେ କିଛି ଜାଣନ୍ତି ନାହିଁ। ମିଛ ବକ୍ତବ୍ୟ ରଖିବାର ଗୋଟିଏ ସୀମା ଥାଏ। ମନ୍ତ୍ରୀ ଏହାକୁ ଗୁରୁତର ସହ ନିଅନ୍ତୁ ଓ ଖାମଖିଆଲ ଭାବେ ଉତ୍ତର ଦିଅନ୍ତୁ ନାହିଁ।’ ଏହା ପରେ ମନ୍ତ୍ରୀ ତାଙ୍କ ଲିଖିତ ଉତ୍ତର ପଢ଼ିଥିଲେ। ଏହାର ପୁଣି ପ୍ରତିବାଦ କରି ଶ୍ରୀ ମିଶ୍ର କହିଲେ, ମନ୍ତ୍ରୀ ଉତ୍ତରରେ ଲିଖିତ ବିବୃତି ପଢ଼ିପାରିବେ ନାହିଁ। ଅଫିସରଙ୍କ ଦ୍ବାରା ଲେଖାଯାଇଥିବା ବିବୃତି ପଢ଼ିଲେ ଏଠି ଆଲୋଚନା କରି ଲାଭ କ’ଣ ? ଏ ସମ୍ପର୍କରେ ରୁଲ୍‌ କ’ଣ ଅଛି ବୋଲି ପଚାରିଲେ। ଏହା ପରେ କିଛି ସମୟ ଗୃହ ସ୍ତବ୍ଧ ହୋଇଯାଇଥିଲା। ସଙ୍ଗେ ସଙ୍ଗେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆସି ଅଧ୍ୟକ୍ଷତା କଲେ। ଶ୍ରୀ ମିଶ୍ର ପୁଣି ଥରେ ରୁଲ୍‌ କ’ଣ ଅଛି ବୋଲି ପଚାରିଲେ। ବାଚସ୍ପତି କହିଥିଲେ, ମନ୍ତ୍ରୀ ପଏଣ୍ଟ୍ ଲେଖିକି ଆଣିଥିବେ। ତାହାକୁ ଦେଖି କହୁଥିବେ। ଶ୍ରୀ ମିଶ୍ର କହିଲେ, ଆମେ ସବୁ କ’ଣ ଅନ୍ଧ? ବାଚସ୍ପତି କହିଲେ, ମନ୍ତ୍ରୀଙ୍କୁ ଜ୍ବରରେ ପଡ଼ିଛନ୍ତି। ତାଙ୍କୁ ଆପଣ ଆଉ ଅସୁବିଧାରେ ପକାନ୍ତୁନି। ଜବାବରେ ଶ୍ରୀ ମିଶ୍ର କହିଲେ, ଆମେ ସେଥି ପ୍ରତି ସମ୍ବେଦନଶୀଳ ଅଛୁ। ଯଦି ମନ୍ତ୍ରୀ ଅସୁସ୍ଥ ତେବେ ସେ ଆଉ ଜଣେ ମନ୍ତ୍ରୀଙ୍କୁ ଦାୟିତ୍ବ ଦେଇଥିଲେ ଅସୁବିଧା କ’ଣ ହୋଇଥା’ନ୍ତା ? କିନ୍ତୁ ଲେଖା ପଢ଼ିପାରିବେ ନାହିଁ। ପରିବେଶକୁ ହାଲ୍‌କା କରିବା ପାଇଁ ବାଚସ୍ପତି କହିଲେ, ସମସ୍ତେ କ’ଣ ନରସିଂହ ମିଶ୍ର ହୋଇଛନ୍ତି ଯେ କାଗଜ ନ ଦେଖି କହିଦେବେ। ଶ୍ରୀ ମିଶ୍ର କହିଲେ, ଏଇଟା ମୋର ଉତ୍ତର ନୁହେଁ। ଆପଣ ରୁଲିଂ ଦିଅନ୍ତୁ। ଏହା ପରେ ରାଜସ୍ବ ମନ୍ତ୍ରୀଙ୍କୁ ବାଚସ୍ପତି କହିଲେ, ଆପଣ ଲେଖାକୁ ରଖିଦିଅନ୍ତୁ। ମନରୁ କୁହନ୍ତୁ। ପଢ଼ିକି କୁହନ୍ତୁ ନାହିଁ।

ତରବରିଆ ଭାବେ ବିଲ୍‌ ଆଗତକୁ ବିରୋଧ
ସୋମବାର ଅପରାହ୍ନରେ ଗୃହରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ପୌର ଆଇନ ସଂଶୋଧନ ବିଲ୍‌ ଆଗତ କରିଥିଲେ। ତରବରିଆ ଭାବେ ବିଲ୍‌ ଆଗତକୁ ବିରୋଧ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ସେ କହିଥିଲେ ଯେ ଗୃହରେ ବିଲ୍‌ ଆଗତ ଓ ପାରିତ ପ୍ରକ୍ରିୟା କରମଣ୍ଡଳ ଏକ୍ସପ୍ରେସ୍‌ ଠାରୁ ଆହୁରି ଦ୍ରୁତ ଗତିରେ ଯାଉଛି। ଏହି ବିଲ୍‌ କାଲି ବିଧାୟକମାନଙ୍କୁ ଦିଆଗଲା। ଆଜି ଆଗତ ହୋଇଗଲା। ଅତି କମ୍‌ରେ ୭୨ ଘଣ୍ଟା ସମୟ ଦିଆଯିବା କଥା। ଅତି ଜରୁରୀ ପରିସ୍ଥିତିରେ ବାଚସ୍ପତି ତାହାକୁ ତୁରନ୍ତ ଆଗତ ପାଇଁ ଅନୁମତି ଦେଇପାରିବେ। କିନ୍ତୁ ଆଇନ ପ୍ରଣୟନ କିମ୍ବା ଆଇନ ସଂଶୋଧନ ଏକ ଛୋଟ କଥା ନୁହେଁ। ପୁଣି ଏହି ବିଲ୍‌ରେ ଥିବା ସଂରକ୍ଷଣ ପ୍ରସଙ୍ଗର ଆଇନଗତ ଦିଗ ବହୁତ ରହିଛି। ତେଣୁ ବିଲ୍‌କୁ ଆଗତ କରିବାରେ ସରକାର ଏତେ ତରବର କାହିଁକି ? ବାଚସ୍ପତି କହିଥିଲେ, ‘ଜରୁରୀ ଥିଲେ ବାଚସ୍ପତି ତାଙ୍କ କ୍ଷମତା ଉପଯୋଗ କରି ବିଲ୍‌ ଆଗତ ପାଇଁ ଅନୁମତି ଦେଇପାରିବାର ବ୍ୟବସ୍ଥା ଅଛି। ଏହା ଏକ ଜରୁରୀ ବିଲ୍ ହୋଇଥିବାରୁ ମୁଁ ଅନୁମତି ଦେଇଛି।’ କିନ୍ତୁ ଶ୍ରୀ ମିଶ୍ର ଏହାକୁ ଗ୍ରହଣ କରି ନ ଥିଲେ। କହିଲେ, ଆପଣ ଦ୍ବନ୍ଦ୍ବ ସୃଷ୍ଟି କରନ୍ତୁ ନାହିଁ। ଏହା ଅତି ଜରୁରୀ ବିଲ୍‌ ନୁହେଁ। ଏମିତି ବି ପୌର ନିର୍ବାଚନ ଦୁଇ ବର୍ଷରୁ ଅଧିକ ହେବ ଘୁଞ୍ଚିସାରିଲାଣି। କିନ୍ତୁ ବାଚସ୍ପତି ଏହାକୁ ଶୁଣି ନ ଥିଲେ। ମନ୍ତ୍ରୀଙ୍କୁ ବିଲ୍‌ ଆଗତ ପାଇଁ କହିଥିଲେ।

ସମ୍ବନ୍ଧିତ ଖବର