ଭୁବନେଶ୍ବର : ବୁକ୍ ସର୍କୁଲା‌ର୍‌-୪୭କୁ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ମାନୁ ନଥିବାରୁ ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଉଦ୍‌ବେଗ ପ୍ରକାଶ କରିଥିଲେ। ଶୂନ୍ୟକାଳରେ ସେ ଏହି ପ୍ରସଙ୍ଗ ଉଠାଇ କହିଥିଲେ, ବୁକ୍ ସର୍କୁଲାର୍‌-୪୭ ମାନୁ ନଥିବା ପ୍ରସଙ୍ଗ ଆଗରୁ ବିଧାନସଭାରେ ଉଠାଯାଇଛି। ମୁଖ୍ୟ ଶାସନ ସଚିବଙ୍କୁ ଡାକି ବାଚସ୍ପତି ବୈଠକ କରିଛନ୍ତି। କିନ୍ତୁ ଫଳ ଶୂନ। ଆମେ ଚିଠି ଲେଖିଲେ ସରକାରୀ କର୍ମଚାରୀ ଉତ୍ତର ଦେଉ ନାହାନ୍ତି। ଫୋନ୍ କଲେ ଉଠାଉ ନାହାନ୍ତି। ସରକାରୀ କର୍ମଚାରୀମାନେ ଅଧିକାଂଶ ବିଧାୟକଙ୍କୁ ସମ୍ମାନ ଦେଉନାହାନ୍ତି। ଏଥି ପାଇଁ ଅଶୋଭନୀୟ ପରିସ୍ଥିତି ସୃଷ୍ଟି ହେଉଛି। ମୁଖ୍ୟମନ୍ତ୍ରୀ ଯେଉଁ କାର୍ଯ୍ୟକ୍ରମରେ ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମରେ ଯୋଗ ଦେଇ ଶିଳାନ୍ୟାସ ବା ଉଦ୍‌ଘାଟନ କରୁଛନ୍ତି, ସେହି ଫଳକରେ ସ୍ଥାନୀୟ ବିଧାୟକଙ୍କ ନାଁ ରହୁନି। ଟେଣ୍ଡର୍‌ ହେବା ଆଗରୁ ଶିଳାନ୍ୟାସ ହେଉଛି ଓ କାମ ସମ୍ପୂର୍ଣ୍ଣ ହେବା ଆଗରୁ ଉଦ୍‌ଘାଟନ ହେଉଛି। ବିଧାୟକଙ୍କ କଥା ସରକାରୀ କର୍ମଚାରୀ ଶୁଣୁନାହାନ୍ତି ମାନେ ଲୋକଙ୍କ କଥା ସେମାନେ ଶୁଣୁ ନାହାନ୍ତି ବୋଲି ଧରିବାକୁ ପଡ଼ିବ। ଏହାର ଅର୍ଥ ଗଣତନ୍ତ୍ରକୁ ହତ୍ୟା କରାଯାଉଛି। ଏ ସମ୍ପର୍କରେ ବାଚସ୍ପତି ରୁଲିଂ ଦିଅନ୍ତୁ। କେଉଁ ବିଭାଗ କେତେ ବିଧାୟକଙ୍କ ଚିଠିର ଉତ୍ତର ଦେଇଛନ୍ତି, ତାହାର ତାଲିକା ମଗାଯାଉ।

Advertisment

ବାଚସ୍ପତି କହିଥିଲେ, ଏହି ପ୍ରସଙ୍ଗରେ ପୂର୍ବରୁ ମୁଖ୍ୟ ଶାସନ ସଚିବ ଓ ସଂସଦୀୟ ବ୍ୟାପାର ପ୍ରମୁଖ ସଚିବଙ୍କ ସହ ଆଲୋଚନା ହୋଇଛି। ଆଗକୁ ମଧ୍ୟ ଏ ଦିଗରେ ପଦକ୍ଷେପ ନିଆଯିବ।