ଭାଙ୍ଗିଦେଲେ ନୃସିଂହ ଚତୁର୍ଦ୍ଦଶୀ ପରମ୍ପରା: ରାତିରେ ଖେଳିଲେ ଦିନ ଚାପ

ପୁରୀ: ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚାପଖେଳ ୧୩ ଦିନରେ ପହଞ୍ଚିଛି। ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀରେ ନୀତିକାନ୍ତି ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ମଣି ବିମାନରେ ବିଜେ ହୋଇ ନରେନ୍ଦ୍ରରେ ଚାପ ଖେଳିଛନ୍ତି। ମହାପ୍ରଭୁଙ୍କ ସହ ଶ୍ରୀଦେବୀ, ଭୂଦେବୀ, ଶ୍ରୀରାମ, ଶ୍ରୀକୃଷ୍ଣ, ପଞ୍ଚ ମହାଦେବ ଶ୍ରୀଜମ୍ୱେଶ୍ୱର, ଲୋକନାଥ, କପାଳମୋଚନ, ମାର୍କଣ୍ଡେଶ୍ୱର ଓ ନୀଳକଣ୍ଠେଶ୍ୱର ମଧ୍ୟ ନିଜ ନିଜ ବିମାନ ଓ ପାଲିଙ୍କିରେ ବାହାରି ନରେନ୍ଦ୍ର ପୁଷ୍କରିଣୀଠାରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ସହ ନନ୍ଦା ଓ ଭଦ୍ରାରେ ବସି ଚାପ ଖେଳିଛନ୍ତି। ଶ୍ରୀରାମ, ଶ୍ରୀକୃଷ୍ଣ ଓ ପଞ୍ଚ ମହାଦେବ ନନ୍ଦାରେ ବସି ଆଗରେ ଯିବା ପରେ ପଛରେ ଶ୍ରୀଦେବୀ ଓ ଭୂଦେବୀଙ୍କ ସହ ମହାପ୍ରଭୁ ଭଦ୍ରାରେ ବସି ଚାପ ଖେଳିଛନ୍ତି।

ତେବେ ନୀତିକାନ୍ତିରେ ବିଳମ୍ବ କାରଣରୁ ଚାପ ଖେଳରେ ବିଭ୍ରାଟ ଦେଖାଦେଇଛି। ନୃସିଂହ ଚତୁର୍ଦ୍ଦଶୀରେ ଚନ୍ଦନ ଠାକୁର କେବଳ ଦିନ ଚାପ ଖେଳିବାର ପରମ୍ପରା ରହିଥିବାବେଳେ ଦିନ ଚାପ ବି ଆଜି ରାତିରେ ଖେଳିଛନ୍ତି ମହାପ୍ରଭୁ। ରାତି ପ୍ରାୟ ସାଢ଼େ ୭ଟାରେ ମହାପ୍ରଭୁ ଦିନ ଚାପ ଖେଳିଛନ୍ତି। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ଏ ଦିଗରେ ନିରବତା ଅବଲମ୍ବନ କରୁଛି। ନୀତିକାନ୍ତି ଚୂଡ଼ାନ୍ତ କେବଳ ପ୍ରହସନ ପାଲଟିଛି। ପରମ୍ପରା ଅନୁଯାୟୀ, ନୃସିଂହ ଚତୁର୍ଦ୍ଦଶୀରେ ଚନ୍ଦନ ଠାକୁର କେବଳ ଦିନ ଚାପ ଖେଳି ଫେରିଥାନ୍ତି। ରାତି ଚାପ ଆଜି ହୋଇ ନଥାଏ। ଶ୍ରୀମନ୍ଦିର ପରିଚାଳନା କମିଟି ଅନୁମୋଦିତ ନୀତିକାନ୍ତି ଅନୁଯାୟୀ, ଅକ୍ଷୟ ତୃତୀୟାରେ ରାତି ୩ଟାରେ ଦ୍ବାରଫିଟା ହୋଇଥାଏ। ଅପରାହ୍ଣ ସାଢ଼େ ୩ରେ ବିମାନକୁ ଦିଅଁ ବିଜେ, ୪ଟାରେ ରଥ ଆଜ୍ଞାମାଳ ବିଜେ, ରାତି ୧୦ଟାରେ ଚନ୍ଦନ ଠାକୁରଙ୍କ ବାହୁଡ଼ା ବିଜେ, ରାତି ସାଢ଼େ ୧୨ଟାରେ ରାତ୍ର ପହୁଡ଼ ହେବା କଥା। କିନ୍ତୁ ଚଳିତ ବର୍ଷ ଅକ୍ଷୟ ତୃତୀୟାରେ ମଧ୍ୟ ଭୋର ୪ଟା ୧୦ରେ ଦ୍ବାରଫିଟା ନୀତି ଅନୁଷ୍ଠିତ ହୋଇଥିଲା। ସେହି ଅନୁସାରେ ଅନ୍ୟାନ୍ୟ ନୀତି ବି ବିଳମ୍ବ ହେବା ସହ ଚାପ ବିଳମ୍ବ ହୋଇଥିଲା।

ସାଧାରଣ ଦିନରେ ଭୋର ୪ଟାରେ ଶ୍ରୀମନ୍ଦିର ଦ୍ବାରଫିଟା ପରେ ସାଢ଼େ ୩ଟାରେ ଚନ୍ଦନକୁ ଦିଅଁ ବିଜେ, ୩ଟା ୪୫ରେ ବିମାନ ଉଠିବା ନୀତି ସଂପନ୍ନ ପରେ ମହାପ୍ରଭୁ ବିମାନରେ ନରେନ୍ଦ୍ର ଯାତ୍ରା କରିଥାନ୍ତି। ରାତି ୧୧ରେ ଚନ୍ଦନ ଠାକୁରଙ୍କ ବାହୁଡ଼ା ନୀତି ଓ ରାତି ୧ଟାରେ ରାତ୍ର ପହୁଡ଼ ନୀତି ସଂପନ୍ନ ହୋଇଥାଏ। କିନ୍ତୁ ଆଜି ସକାଳ ୫ଟା୧୦ରେ ଦ୍ବାରଫିଟା ପରେ ଅନ୍ୟାନ୍ୟ ନୀତି ବଢ଼ିଥିଲା। ୫ଟା ୨୫ରେ ଆଜ୍ଞାମାଳ ପାଇ ଚନ୍ଦନ ଠାକୁର ବିମାନ ବିଜେ କରିଥିଲେ। ୬ଟାରେ ବିମାନ ଉଠିଥିଲା ଓ ଶ୍ରୀମନ୍ଦିରରୁ ବାହାରି ଠାକୁର ନରେନ୍ଦ୍ର ଅଭିମୁଖେ ଯାତ୍ରା କରିଥିଲେ।

ସମ୍ବନ୍ଧିତ ଖବର