ଭୁବନେଶ୍ୱର : ବିଧାନସଭାକୁ ଭୂତାଉଥିଲ, ସୁପ୍ରିମକୋର୍ଟକୁ ବି ବିଭ୍ରାନ୍ତ କଲ। ଯଦି ଲୋକାୟୁକ୍ତ ଆଇନ କାର୍ଯ୍ୟକାରୀ କରାଯିବା ନେଇ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇଛି, ତେବେ ଗୃହରେ ମୁଖ୍ୟମନ୍ତ୍ରୀ ଉପସ୍ଥାପନ କରନ୍ତୁ। ଅନ୍ୟଥା ପଦ ଛାଡି ଚାଲିଯାଆନ୍ତୁ। ଯଦି ମୁଁ ଗୃହରେ ଭୁଲ କହୁଥିବି, ତେବେ ସର୍ବସମ୍ମୁଖରେ କ୍ଷମା ମାଗିବି।

Advertisment

ଗୃହ ବିଭାଗ ଖର୍ଚ୍ଚ ଦାବି ଆଲୋଚନା ଆଳରେ ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗ ଉଠାଇ ଆଜି ବିରୋଧୀ ଦଳ ନେତା ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଭଳି ଖୋଲା ଚ୍ୟାଲେଞ୍ଜ ଦେଇଥିଲେ। କେବଳ ସେତିକି ନୁହେଁ, ଖଣି ଦୁର୍ନୀତି, ଚିଟ୍‌ଫଣ୍ଡ ପ୍ରସଙ୍ଗଠାରୁ ଆରମ୍ଭ କରି ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରସଙ୍ଗରେ ଦୀର୍ଘ ଦେଢ଼ ଘଣ୍ଟାରୁ ଅଧିକ ସମୟ ଧରି ଆଜି ଶ୍ରୀ ମିଶ୍ର ଗର୍ଜନ କରିଥିଲେ। ଶ୍ରୀ ମିଶ୍ରଙ୍କୁ ଦେଖାଦେଖି ଉଭୟ ବିଜେପି ଓ କଂଗ୍ରେସ ବିଧାୟକଙ୍କ ଶାଣିତ ଶବ୍ଦ ମାଡ଼ରେ ଗୃହରେ କମ୍ପନ ସୃଷ୍ଟି ହୋଇଥିଲା।

ଅନ୍ୟପକ୍ଷରେ ଶାସକ ଦଳର ସଭ୍ୟମାନେ ସରକାରଙ୍କୁ ସୁରକ୍ଷା ଦେବା ଲାଗି କୌଣସି ସୁଯୋଗ ବି ହାତଛ଼ଡା କରିନଥିଲେ। ଉଗ୍ରବାଦ ମୁକାବିଲାଠାରୁ ଆରମ୍ଭ କରି ଏସିଆ ଆଥଲେଟିକ୍‌ ମିଟ୍‌ର ଆୟୋଜନ ପର୍ଯ୍ୟନ୍ତ ଉଭୟ ସାଧାରଣ ପ୍ରଶାସନ ଏବଂ ବିଭାଗର ସବୁ ସଫଳତାକୁ ଗୃହ ସାମ୍ନାକୁ ଆଣି ବିରୋଧୀଙ୍କୁ ପ୍ରତିହତ କରିବା ଲାଗି ଢେର୍‌ ଉଦ୍ୟମ କରିଥିଲେ।

ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ନେତା ଶ୍ରୀ ମିଶ୍ର କହିଥିଲେ, ୨୦୧୪ ମସିହାରେ ଲୋକାୟୁକ୍ତ ଆଇନ ବିଧାନସଭାରେ ପାରିତ ହୋଇଛି। ରାଷ୍ଟ୍ରପତି ୨୦୧୫ରେ ଏହା ଉପରେ ମୋହର ଲଗାଇଛନ୍ତି। କିନ୍ତୁ ଏହା ପୂର୍ବରୁ ୨୦୦୬ରୁ ସୁପ୍ରିମକୋର୍ଟରେ ଏକ ମାମଲା ଥିଲା ଓ କୋର୍ଟ ଲୋକପାଳ ଓ ଲୋକାୟୁକ୍ତ ନିଯୁକ୍ତି ନେଇ ନିର୍ଦେଶ ଦେଇଥିଲେ। ତାକୁ କେହି ଶୁଣିନଥିଲେ ଓ ପରେ ଏହାକୁ ନେଇ ବଡ଼ ଧରଣର ଆନ୍ଦୋଳନ ମୁଣ୍ଡ ଟେକିଥିଲା। ପରବର୍ତ୍ତୀ ପରିସ୍ଥିତିରେ ଓଡ଼ିଶା ସରକାର ଏହି ଆଇନ ଅନୁମୋଦନ କରିବା ବେଳେ ଏଥିପାଇଁ ବହୁତ ବାହା ବା ମଧ୍ୟ ଗୋଟାଇଛନ୍ତି। ଆମେ ବାରମ୍ବାର ପଚାରିଛୁ ଯେ ଏହି ବିଲ୍‌ର ଭାଗ୍ୟ କଣ ହେଲା। କାହିଁକି ଲୋକାୟୁକ୍ତ ନିଯୁକ୍ତି ହେଉନାହିଁ। ମୁଁ ନିଜେ ବାରମ୍ବାର ଚିଠି ଲେଖିଛି, ଏହାର ଉତ୍ତର ମିଳିନାହିଁ। ଏ ସଂପର୍କରେ ଚଳିତ ଅଧିବେଶନରେ ବି ତର୍କ ହୋଇଥିଲା ଓ ସରକାରଙ୍କଠାରୁ ବିବୃତି ଲୋଡାଯାଇଥିଲା।

ହେଲେ ମୁଖ୍ୟସଚିବ ଗତ ୧୨ତାରିଖରେ ଯେଉଁ ସତ୍ୟପାଠ ଦାଖଲ କରିଛନ୍ତି, ତାହା ଏବେ ମୋତେ ବିଚଳିତ କରିଛି। ଏଥିରେ ମୁଖ୍ୟ ସଚିବ ଦର୍ଶାଇଛନ୍ତି ଯେ ୨୦୧୫ ଜାନୁଆରି ୧୬ରୁ ଏହି ଆଇନ ରାଜ୍ୟରେ କାର୍ଯ୍ୟକାରୀ ହୋଇଛି। ନୂଆ ଲୋକାୟୁକ୍ତ ନିଯୁକ୍ତି ଲାଗି ଚୟନ କମିଟି ଗଠନ ପ୍ରକ୍ରିୟା ଜାରି ରହିଛି। ବିରୋଧୀ ଦଳ ନେତା ସିଧା ମୁଖ୍ୟମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ କରି କହିଥିଲେ ଯେ ଯଦି ଏହି ଆଇନ କାର୍ଯ୍ୟକାରୀ ହୋଇଛି, ତେବେ ଗୃହରେ ଏ ସଂକ୍ରାନ୍ତ ଗେଜେଟ୍‌ ବିଜ୍ଞପ୍ତି ଉପସ୍ଥାପନ କରାଯାଉ। ଆଇନ ସଚିବଙ୍କୁ ଗୃହକୁ ସମନ କରାଯାଉ। ଆଇନ ବିଭାଗ ଏଭଳି ଗେଜେଟ୍‌ ବିଜ୍ଞପ୍ତି ଜାରି କରିନାହିଁ। ତଥାପି ଯଦି ମୁଖ୍ୟ ଶାସନ ସଚିବ କହିଛନ୍ତି, ତେବେ ଗୃହରେ ମୁଖ୍ୟମନ୍ତ୍ରୀ ଏହାକୁ ଉପସ୍ଥାପନ କରନ୍ତୁ। ଅନ୍ୟଥା ପଦବି ଛାଡନ୍ତୁ। ଯଦି ମୁଖ୍ୟମନ୍ତ୍ରୀ ଏହି ବିଜ୍ଞପ୍ତି ଉପସ୍ଥାପନ କରିବେ, ତେବେ ସେ ଗୃହରେ ନିସର୍ତ୍ତ କ୍ଷମା ମାଗିବେ।

ବିରୋଧୀ ଦଳ ନେତା ଆହୁରି କହିଥିଲେ ଯେ ୨୦୧୫ରୁ ଲୋକାୟୁକ୍ତ ଆଇନ କାର୍ଯ୍ୟକାରୀ ହେଲାଣି। ଏ ପର୍ଯ୍ୟନ୍ତ ଏହାର ନିୟମାବଳୀ କରାଯାଇନାହିଁ। ଏ ସଂପର୍କରେ ପ୍ରକୃତ ତଥ୍ୟ ଗୃହରେ ଉପସ୍ଥାପନ କରିବା ଲାଗି ବିରୋଧୀ ଦଳ ନେତା ଦାବି କରିଥିଲେ।

ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇ ଶ୍ରୀ ମିଶ୍ର କହିଥିଲେ ଯେ ଦୋଷୀ ଦଣ୍ଡ ପାଇବ ବୋଲି ସରକାର ଗୃହରେ ଜଣାଇଥିଲେ। ଆଜି ପର୍ଯ୍ୟନ୍ତ ଏହି ମାମଲା ଫଇସଲା ହେଲା ନାହିଁ କିମ୍ବା କାହାକୁ ଦଣ୍ଡବିଧାନ କରାଗଲାନାହିଁ। ଏହା ହିଁ ସୂଚାଉଛି ଯେ ସରକାର ଓ ଖଣି ମାଲିକ ହାତ ମିଳାଇଛନ୍ତି। ଖଣି ମାଲିକଙ୍କ ସହିତ ସରକାର ସାଲିସ କରିଥିବା କାରଣରୁ ଓ ଖଣି ମାଲିକମାନେ ଶାସକ ଦଳକୁ ପ୍ରଚୁର ଟଙ୍କା ଦେଇଥିବା ଯୋଗୁଁ ଏହି ମହାଦୁର୍ନୀତିରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଏହି ଅବସରରେ ଶ୍ରୀ ମିଶ୍ର ସିରାଜୁଦ୍ଦିନ୍‌ ଖଣି ନବୀକରଣ ପ୍ରସଙ୍ଗକୁ ନେଇ ପ୍ରଶ୍ନ ଉଠାଇଥିଲେ।

ଜମି ଦୁର୍ନୀତି ପ୍ରସଙ୍ଗରେ ବିଷୋଦ୍‌ଗାର କରିଥିଲେ ବିରୋଧୀ ଦଳ ନେତା। କହିଥିଲେ, ଏହା ମେଗା ଦୁର୍ନୀତିରେ ପରିଣତ ହେଲାଣି। ଏକାଧିକ ବ୍ୟକ୍ତି ଯେଉଁଥିପାଇଁ ଜମି ନେଇଛନ୍ତି, ସେ ଉଦ୍ଦେଶ୍ୟରେ ବ୍ୟବହାର କରିନାହାନ୍ତି। ଭୁବନେଶ୍ୱରରେ ଜାତୀୟ ରାଜପଥ କଡ଼ରେ ପ୍ରାଚୀ ରିସର୍ଟକୁ ଦିଆଯାଇଥିବା ପାଞ୍ଚ ଏକର ଜମିରୁ କାହିଁକି ସାଢେ ଚାରି ଏକର ଜମି ବ୍ୟବହାର ହୋଇନି ଓ ଅଥଚ ବାତିଲ୍‌ କରାଯାଉନି, ତାହାକୁ ନେଇ ସେ ପ୍ରଶ୍ନ ଉଠାଇବା ସହିତ ସରକାରଙ୍କ ଠାରୁ ଜବାବ ଲୋଡିଥିଲେ।

ସେହିଭଳି ଶ୍ୱେତପତ୍ରରେ ଦୁଷ୍କର୍ମ ଦଣ୍ଡବିଧାନ ସଂପର୍କରେ ତଥ୍ୟ ଲୁଚାଯାଇଥିବା ଅଭିଯୋଗ ଆଣି ଶ୍ରୀ ମିଶ୍ର କହିଥିଲେ, କୁନ୍ଦୁଲି ଘଟଣାରେ ପୀଡ଼଼ିତା ନାବାଳିକା ବଳାତ୍କାରର ଶିକାର ହୋଇଥିବା ନିଜେ ବୟାନ ଦେଲା। ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ, ଏହା ହିଁ ଯଥେଷ୍ଟ। ମାତ୍ର ସରକାର ସେହି ପୀଡ଼ିତାର ବୟାନକୁ ଗ୍ରହଣ କଲେନାହିଁ। ସେହିପରି ଖପ୍ରାଖୋଲରେ ଜଣେ ଦଳିତ ନାବାଳିକାକୁ ଦୁଷ୍କର୍ମ କରାଗଲା। ମାତ୍ର ସେ ଅପରାଧୀକୁ ଗିରଫ କରାଗଲା ନାହିଁ।

ବିରୋଧୀ ଦଳ ନେତା କହିଥିଲେ, ଯେହେତୁ ମାମଲାରେ ଦଣ୍ଡବିଧାନ ହେଉନାହିଁ, ଏଣୁ ଅପରାଧୀମାନେ ଆଉ ଆଇନକୁ ଡରୁନାହାନ୍ତି। ସେହିପରି କେନ୍ଦ୍ରାପଡ଼ା ନମତରା ଗୁଳିକାଣ୍ଡ ଘଟଣାକୁ ନେଇ ସରକାର କିଭଳି ବିଭ୍ରାନ୍ତ କରିଛନ୍ତି, ସେ ସଂପର୍କରେ ବିରୋଧୀ ଦଳ ନେତା ସରକାରଙ୍କୁ ଘେରିଥିଲେ। ପାର୍ସଲ ବୋମା କ୍ଷେତ୍ରରେ କ୍ରାଇମବ୍ରାଞ୍ଚ ଆଇଜିଙ୍କୁ ଖୋଲା ପ୍ରଶଂସା କରି ବିରୋଧୀ ଦଳ ନେତା ପୁଲିସ ବିଭାଗର ଖାଲି ପଦବି ପୂରଣ ଉପରେ ଗୁରୁତ୍ୱାରୋପ କରିଥିଲେ। ବଲାଙ୍ଗୀରରେ ଆଇନଶୃଙ୍ଖଳା ପରିସ୍ଥିତି କିଭଳି ବିଗିଡି ଯାଇଛି, ଦିନ ଦି’ପହରେ କିଛି ଉଦ୍‌ଭ୍ରାନ୍ତ ଯୁବକ କିଭଳି କଲେଜ ଛାତ୍ରୀଙ୍କୁ ହଇରାଣ କରୁଛନ୍ତି, ଅଥଚ ପୁଲିସ ନିରବଦ୍ରଷ୍ଟା ସାଜିଛି ସେ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଉତ୍ତର ଲୋଡିଥିଲେ।

ଆଲୋଚନାରେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଶିକ୍ଷକ ଭଳି ପୁଲିସ କର୍ମଚାରୀଙ୍କ ଠିକା ନିଯୁକ୍ତି ଦିଆଯାଉଥିବା ନେଇ ଗର୍ଜିଥିଲେ। ବିଜେପୁର ଉପନିର୍ବାଚନ ବେଳେ ଡ୍ରାଇଭରଙ୍କ ମୃତ୍ୟୁ କିପରି ହେଲା, ସେଥିପାଇଁ କିଏ ଦାୟୀ ସେ ନେଇ ସିବିଆଇ ତଦନ୍ତ ଦାବି କରିଥିଲେ ବିଜେପି ବିଧାୟକ ପ୍ରଦୀପ ପୁରୋହିତ। କଂଗ୍ରେସ ବିଧାୟକ ଦେବେନ୍ଦ୍ର ଶର୍ମା ଅଭିଯୋଗ ଫର୍ଦ୍ଦ ଦାଖଲ ହାର ୫୦ ପ୍ରତିଶତରୁ କମ୍‌ ରହିଥିବା ଦର୍ଶାଇ ଏ ସରକାରଙ୍କ ଦକ୍ଷତା ମଧ୍ୟ ଅନୁରୂପ ବୋଲି କହିଥିଲେ। ବିଜେପି ବିଧାୟକ ରବି ନାୟକ, ରାଧାରାଣୀ ପଣ୍ଡା ପ୍ରମୁଖ ସରକାରଙ୍କୁ କଟୁ ସମାଲୋଚନା କରିଥିଲେ।

ଶାସକ ଦଳ ପକ୍ଷରୁ ଆଲୋଚନା ଆରମ୍ଭ କରି ସମୀର ରଂଜନ ଦାଶ ନିକଟରେ ସଂଘଟିତ ଦୁଷ୍କର୍ମ ଘଟଣାଗୁଡ଼ିକରେ ପୁଲିସ୍‌ ତ୍ୱରିତ ପଦକ୍ଷେପ ନେଇଥିବା ବେଳେ ମାଓବାଦ ସମସ୍ୟା ୮ଟି ଜିଲ୍ଲାରେ ସୀମିତ ରହିଛି ବୋଲି କହିଥିଲେ। ସେହିପରି ଦଣ୍ଡବିଧାନ ହାର ବୃଦ୍ଧି ପାଇଥିବା କହିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ। ଓଡ଼ିଶା ଲୋକାୟୁକ୍ତ ଆଇନ ସଂପର୍କରେ ବିରୋଧୀ ଦଳ ନେତା ଉଠାଇଥିବା ଆପତ୍ତି ଉପରେ ଶ୍ରୀ ଶତପଥୀ ସ୍ପଷ୍ଟୀକରଣ ଦେଇଥିଲେ। କହିଥିଲେ, ଲୋକାୟୁକ୍ତ ଆଇନ ପ୍ରଣୟନ କରିବାରେ ବିହାର ପରେ ଓଡ଼ିଶା ହେଉଛି ଦ୍ୱିତୀୟ ରାଜ୍ୟ। କେନ୍ଦ୍ରରେ ଲୋକାୟୁକ୍ତ ଆଇନ କାର୍ଯ୍ୟକ୍ଷମ ହୋଇନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୁପ୍ରିମ କୋର୍ଟରେ ସତ୍ୟପାଠ(ଡବ୍ଲ୍ୟୁପି:୬୮୪/୨୦୧୬) ଦାଖଲ କରିଛନ୍ତି। ସେଥିରେ ଭୁଲବଶତଃ ଓଡ଼ିଶା ଲୋକାୟୁକ୍ତ ଆଇନ ୨୦୧୪ ଅନୁଯାୟୀ ବିଜ୍ଞପ୍ତି ପ୍ରକାଶ ପାଇଁ ପଦକ୍ଷେପ ନିଆଯାଉଥିବା ଉଲ୍ଲେଖ କରାଯାଇଛି। ଏହାର ସଂଶୋଧନ ପାଇଁ ସୁପ୍ରିମ କୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆବେଦନ କରାଯିବ ବୋଲି ଶ୍ରୀ ଶତପଥୀ କହିଛନ୍ତିି। ତାମିଲନାଡ଼ୁ ସରକାର ଦେଇଥିବା ସତ୍ୟପାଠରେ କେନ୍ଦ୍ରୀୟ ଆଇନ କାର୍ଯ୍ୟକାରୀ ହୋଇନଥିବାରୁ ରାଜ୍ୟ ଆଇନ କାର୍ଯ୍ୟକ୍ଷମ ହୋଇପାରିନଥିବା ଦର୍ଶାଯାଇଛି ବୋଲି ଶ୍ରୀ ଶତପଥୀ କହିଥଇଲେ।

ଶାସକ ଦଳ ପକ୍ଷରୁ ଅନ୍ୟମାନଙ୍କ ମଧ୍ୟରେ ପ୍ରମିଳା ମଲ୍ଲିକ, ଡା. ରାସେଶ୍ୱରୀ ପାଣିଗ୍ରାହୀ, ଡା. ରାଜଶ୍ରୀ ମଲ୍ଲିକ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ।