ବିକ୍ରମ, ଅଶୋକ, ବଦ୍ରିଙ୍କୁ ନରସିଂହଙ୍କ ପ୍ରଶଂସା

ଭୁବନେଶ୍ବର: ବିଧାନସଭାର ପ୍ରଶ୍ନକାଳରେ ଅତିରିକ୍ତ ପ୍ରଶ୍ନ କଲା ବେଳେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବଲାଙ୍ଗୀରର ଭୀମପାହାଡ଼ କଥା ଉଠାଇଥିଲେ। ସେ କହିଥି‌େଲ, ସେଠାରେ ୬୩ଟି ଗୁମ୍ଫା ରହିଛି, ଯାହା କି ବିରଳ। ଜଙ୍ଗଲ ବିଭାଗ ପକ୍ଷରୁ ବିକାଶମୂଳକ କାର୍ଯ୍ୟ ଆରମ୍ଭ ହୋଇଛି। ତତ୍‌କାଳୀନ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସେହି ସ୍ଥାନକୁ ପର୍ଯ୍ୟଟନସ୍ଥଳୀ ଘୋଷଣା କରିବା ସହ ବିକାଶ ପାଇଁ ୭ କୋଟି ଟଙ୍କା ମଞ୍ଜୁର କରିଥିଲେ। ସେହିପରି ତତ୍‌କାଳୀନ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ସେଠାକୁ ରାସ୍ତା ନିର୍ମାଣ ପାଇଁ ୩ କୋଟି ଟଙ୍କ‌ା ମଞ୍ଜୁର କରିଥିଲେ। ଉଭୟ ମନ୍ତ୍ରୀଙ୍କୁ ଶ୍ରୀ ମିଶ୍ର ଧନ୍ୟବାଦ ଦେଇଥିଲେ। ଆଉ ଜଙ୍ଗଲ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେବେନି କି ବୋଲି ସୁରେଶ ରାଉତରାୟ ପଚାରିଲେ। ଶ୍ରୀ ମିଶ୍ର କହିଲେ, ଏହି କାମ ଆରମ୍ଭ ବେଳେ ସେ ଜଙ୍ଗଲ ମନ୍ତ୍ରୀ ନ ଥିଲେ। କିନ୍ତୁ ଉତ୍ତର ଦେଲା ବେଳେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖ କହିଲେ, ଗତ ସରକାରର ପ୍ରଥମ ପର୍ଯ୍ୟାୟରେ ମୁଁ ଏହି ବିଭାଗର ଦାୟିତ୍ବରେ ଥିଲା ବେଳେ ଶ୍ରୀ ମିଶ୍ର ଏ ସମ୍ପର୍କରେ ମୋର ଦୃଷ୍ଟି ଆକର୍ଷଣ କରିଥିଲେ। ତାହା ପରେ ମୋରି ସମୟରେ ହିଁ ବିକାଶମୂଳକ କାର୍ଯ୍ୟ ପାଇଁ ପଦକ୍ଷେପ ନିଆଯାଇଥିଲା। ବୋଧହୁଏ ମାନ୍ୟବର ବିଧାୟକଙ୍କର ମନେ ନ ଥିବ। ଶୂନ୍ୟକାଳରେ ଶ୍ରୀ ମିଶ୍ର ଅନ୍ୟ ପ୍ରସଙ୍ଗ ଉଠାଇବା ପୂର୍ବରୁ ଏହି ତ୍ରୁଟିକୁ ସଂଶୋଧନ କରିଥିଲେ। କହିଥିଲେ, ଶ୍ରୀ ଆରୁଖ ଜଙ୍ଗଲ ଓ ପରିବେଶ ବିଭାଗର ମନ୍ତ୍ରୀ ଥିଲା ବେଳେ ହିଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମୁଁ ତାଙ୍କ ଦୃଷ୍ଟି ଆକର୍ଷଣ କଲା ପରେ ‌େସ ସଙ୍ଗେ ସଙ୍ଗେ ପଦ‌େକ୍ଷପ ନେଇଥିଲେ। ମୁଁ ଭୁଲ୍‌ବଶତଃ ତାଙ୍କ ନାମ କହିବାକୁ ଭୁଲିଯାଇଥିଲି।

ସମ୍ବନ୍ଧିତ ଖବର