ଭୁବନେଶ୍ବର: ମଙ୍ଗଳବାର ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜୁ ଜନତା ଦଳ (ବିଜେଡ଼ି)ର ସଭାପତି ନବୀନ ପଟ୍ଟନାୟକ ଉପସଭାପତି ପଦରୁ ହଟାଇବା ନେଇ ରାଜ‌ନୈତିକ ମହଲରେ ହଇଚଇ ସୃଷ୍ଟି ହୋଇଛି। ସୌମ୍ୟଙ୍କ ଉପରେ ବିଜେଡିର କାର୍ଯ୍ୟାନୁଷ୍ଠାନ ନେଇ ବିରୋଧୀ ଦଳର ନେତାମାନେ ଘେରିଛନ୍ତି ।

Advertisment

ଏନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ତାଙ୍କର ବୟାନ ଦେଇ କହିଛନ୍ତି, ‘‘ଓଡ଼ିଶାରେ ଗଣତନ୍ତ୍ର ନୁହେଁ, ଗୁମାସ୍ତା ଶାସନ ଚାଲିଛି। ଓଡ଼ିଶାରେ ଏବେ ବିପର୍ଯ୍ୟସ୍ତ ସ୍ଥିତି। ଦଳରେ ସେମାନେ କାହାକୁ ରଖିବେ କାହାକୁ କାଢ଼ିବେ ତାହା ତାଙ୍କ ଦଳ ଉପରେ ନିର୍ଭର କରେ। ଏକଛତ୍ରବାଦୀ ଶାସନ ପାଇଁ ଲୋକ ଭୋଟ୍‌ ଦେଇ ନଥିଲେ। ତଥ୍ୟଭିତ୍ତିକ ସମାଲୋଚନାର ଅଧିକାର ସମସ୍ତଙ୍କ ନିକଟରେ ରହିିଛି, ଯିଏ ବ୍ଲାକ୍‌ମେଲ୍‌ ଶବ୍ଦ ବ୍ୟବହାର କରୁଛନ୍ତି, ସିଏ ପ୍ରଥମେ ଡିକ୍ସିନାରି ଦେଖନ୍ତୁ।’’

ସେହିପରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଏହି ଘଟଣାରେ ନିଜର ମତ ରଖିଛନ୍ତି। ସେ ତାଙ୍କର ମତ ରଖି କହିଛନ୍ତି କି ‘‘ବିଜେଡ଼ି ନେତାମାନେ ଏବେ ଦଳରେ ଅଣନିଶ୍ବାସୀ ହୋଇପଡ଼ିଛନ୍ତି। କର୍ମୀଙ୍କଠାରୁ ଆରମ୍ଭ କରି ବରିଷ୍ଠ ନେତା ପର୍ଯ୍ୟନ୍ତ କେହି ଦଳରେ ଖୁସିନାହାନ୍ତି। ଅନେକ ବିଜେଡି ବିଧାୟକ ଆମ ସଂପର୍କରେ ଅଛନ୍ତି । ସେମାନେ ଠିକ୍‌ ସମୟରେ ଠିକ୍‌ ନିଷ୍ପତ୍ତି ନେବେ। ’’

ଗତକାଲି ସୌମ୍ୟଙ୍କୁ ବିଜେଡ଼ି ଉପସଭାପତି ପଦରୁ ହଟାଇବା ପ‌ରେ  ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର କହିଥିଲେ, ‘‘ଆଗରୁ କାରଣ ଦର୍ଶାଅ ନୋଟିସ୍ ପଠାଇ କାର୍ଯ୍ୟାନୁଷ୍ଠାନ ହେଉଥିଲା। ମାତ୍ର ସୌମ୍ୟରଂଜନଙ୍କ କ୍ଷେତ୍ରରେ ସେପରି ହୋଇନାହିଁ। ମୁଖ୍ୟମନ୍ତ୍ରୀ ଏକଥା ଜାଣିଥିବେ କି ନାହିଁ ସନ୍ଦେହ। ମୋଟାମୋଟି ରାଜ୍ୟର ରାଜନୈତିକ ପରିସ୍ଥିତି ଭଲ ନାହିଁ। ଏମିତି କେତେ ଅଘଟଣା ଆହୁରି ଆଗକୁ ଘଟିବ।’’

ସେହିପରି ବିଜେପିର ବରିଷ୍ଠ ନେତା ପ୍ରଦୀପ ପୁରୋହିତ ମଧ୍ୟ ସମାନ ଧରଣର ସନ୍ଦେହ ପ୍ରକଟ କରିଥିଲେ। ସେ କହିଥିଲେ, ‘‘ଯେ ସୌମ୍ୟରଂଜନଙ୍କ ଅପସାରଣକୁ ନେଇ ଯେଉଁ ଚିଠି ଜାରି କରାଯାଉଛି ସେଥିରେ ଥିବା ସ୍ବାକ୍ଷର ନବୀନବାବୁଙ୍କର କି ନାହିଁ, ତାହାକୁ ନେଇ ମୁଁ ସନ୍ଦେହରେ ଅଛି। ଚିଠିରେ ନବୀନବାବୁ ଦସ୍ତଖତ କରିଛନ୍ତି କି ପାଣ୍ଡିଆନ୍ କରିଛନ୍ତି ତାହା ସନ୍ଦେହଘେରରେ। ମତେ ଲାଗୁଛି ଏ ପର୍ଯ୍ୟନ୍ତ ନବୀନବାବୁ ଏହି ଘଟଣା ସଂପର୍କରେ ଅବଗତ ନଥିବେ, ତାଙ୍କର କେବଳ ଦସ୍ତଖତ ନିଆଯାଇଛି।’’

ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡ଼ୁ କହିଥିଲେ, ‘‘ସୌମ୍ୟରଞ୍ଜନ ପଟ୍ଟନାୟକ ହିମାଳୟ ସଦୃଶ, ତାଙ୍କୁ ପଥର ମାରିଲେ କ’ଣ ହେବ? ସୌମ୍ୟ ଯେଉଁଠି ଠିଆ ହେବେ ହିମାଳୟ ପରି ଠିଆ ହେବେ।’’