ନରସିଂହଙ୍କ ପିଏସଓ ପ୍ରତ୍ୟାହାର : ଗୃହରେ ସ୍ୱର, ବାଚସ୍ପତି କହିଲେ ଅନୁଧ୍ୟାନ କରାଯିବ

ଭୁବନେଶ୍ବର : କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ନ ଜଣାଇ ତାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କୁ ହଟାଇଦିଆଯାଇଛି। ଏହାକୁ ନେଇ ଆଜି ବିଧାନସଭା ଅପରାହ୍ନ ଅଧିବେଶନରେ ଗର୍ଜିଲେ କଂଗ୍ରେସ ବିଧାୟକ ଦଳ ନେତା। ଏ ସମ୍ପର୍କରେ ଜଣାଇବାକୁ ପୁଲିସ ଡିଜିଙ୍କୁ ସେ ଫୋନ କରିଥିଲେ ବି ଡିଜି ଫୋନ୍ ଉଠାଇ ନାହାନ୍ତି କି କଲ୍ ବ୍ୟାକ୍ ବି କରିନାହାନ୍ତି ବୋଲି ଅଭିଯୋଗ କରିଛନ୍ତି। ଶ୍ରୀ ମିଶ୍ରଙ୍କୁ ବୁଝାଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେ, ଏ ନେଇ ସେ ପୁଲିସ ଏସପି, ଡିଜି ଓ ଆବଶ୍ୟକ ପଡ଼ିଲେ ଗୃହ ବିଭାଗ ସହ କଥାହେବେ।

ଶ୍ରୀ ମିଶ୍ର ଗୃହରେ ଅଭିଯୋଗ କରି କହିଥିଲେ, ୨୦୧୯ ନିର୍ବାଚନରେ କଂଗ୍ରେସକୁ ବିରୋଧୀ ଦଳ ନେତା ପଦ ମିଳିନାହିଁ। ପୂର୍ବରୁ ସେ ବିରୋଧୀ ଦଳ ନେତା ଥିବାବେଳେ ତାଙ୍କ ସୁରକ୍ଷା ପାଇଁ ନିୟୋଜିତ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କୁ ପୁଲିସ ଏସପି ଫୋନ କରି ଦାୟିତ୍ବରୁ ହଟିବାକୁ ନିର୍ଦ୍ଦେଶ ଦେଇଥିଲେ। ଏ ନେଇ ସେ ତତ୍କାଳୀନ ପୁଲିସ ଡିଜି ଆର.କେ ଶର୍ମାଙ୍କୁ ଜଣାଇଥିଲେ। ଶ୍ରୀ ଶର୍ମା ସମ୍ପୃକ୍ତ ଏସପିଙ୍କୁ ଏପରି ନ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ତାଗିଦ କରିଥିଲେ। ଏପରିକି ଶ୍ରୀ ମିଶ୍ରଙ୍କୁ ସୁରକ୍ଷା ଯୋଗାଇଦେବା ତାଙ୍କର କର୍ତ୍ତବ୍ୟ ବୋଲି ଶ୍ରୀ ଶର୍ମା ଟେଲିଫୋନ କରି କହିଥିଲେ। ଶ୍ରୀ ଶର୍ମା ପୁଲିସ ଡିଜି ପଦରୁ ଗଲା ପରେ ପୁଣିଥରେ ସମ୍ପୃକ୍ତ ଏସପି ତାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କୁ ଫେରିଯିବାକୁ ନିର୍ଦ୍ଦେଶ ଦେଇଥିଲେ। ଏ ସମ୍ପର୍କରେ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ତାଙ୍କୁ ଜଣାଇବାପରେ ଲିଖିତ ଭାବେ ଏସପିଙ୍କଠାରୁ ନ ମିଳିବାଯାଏ କାର୍ଯ୍ୟରେ ରୁହ ବୋଲି ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ। ଏବେ ଗତ ଦୁଇଦିନ ତଳେ ପୁଣି ଥରେ ସମ୍ପୃକ୍ତ ଏସପି ତାଙ୍କ ପିଏସଓଙ୍କୁ ଫୋନ ଯୋଗେ ଚେତାବନୀ ଦେବା ସହ ନିର୍ଦ୍ଦେଶ ଅବମାନନା ଯୋଗୁଁ ତାଙ୍କ ଦରମା ବନ୍ଦ କରିଦେବା ନେଇ ଧମକ ଦେଲେ। ଏପରି ସ୍ଥିତି ଜାଣିବା ପରେ ଖୋଦ ଶ୍ରୀ ମିଶ୍ର ତାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କୁ ଏସିପିଙ୍କ ନିର୍ଦ୍ଦେଶ ମାନିବାକୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଏବେ ସେ ଜଣେ ଜନପ୍ରତିନିଧି ଭାବେ ବିନା ପିଏସଓରେ ଯା ଆସ କରୁଛନ୍ତି।

ସରକାରୀ ଅଧିକାରୀ ଜନ ପ୍ରତିନିଧିଙ୍କ ପ୍ରତି ଏପରି ବ୍ୟବହାର ବୁକ୍ ସର୍କୁଲାର-୪୭ର ଖୋଲାଖୋଲି ଉଲଂଘନ ବୋଲି ଶ୍ରୀ ମିଶ୍ର ଅଭିଯୋଗ କରିଥିଲେ। ଶ୍ରୀ ମିଶ୍ର ଗୃହରେ ବିରକ୍ତି ପ୍ରକାଶ କରି ବାଚସ୍ପତିଙ୍କୁ କହିଥିଲେ, ଆଉ ସେ ସରକାରଙ୍କ ଦୟା ଓ କରୁଣା ଉପରେ ନିର୍ଭର କରିବାକୁ ଚାହୁଁନାହନ୍ତି। ଏବେ ତାଙ୍କ ସରକାରୀ ବାସଭବନର ସୁରକ୍ଷାରେ ନିୟୋଜିତ ଦୁଇଜଣ ସୁରକ୍ଷା ଅଧିକାରୀଙ୍କୁ ସରକାର କାଢ଼ିଆଣନ୍ତୁ ବୋଲି କହିଥିଲେ। କେଉଁ କାରଣ ପାଇଁ ଶ୍ରୀ ମିଶ୍ରଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ପ୍ରତ୍ୟାହାର କରାଯାଇଛି ସେ ନେଇ ଅନୁଧ୍ୟାନ କରିବେ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହରେ କହିଥିଲେ।

ସମ୍ବନ୍ଧିତ ଖବର