ଭୁବନେଶ୍ବର: ରାଜ୍ୟର ମରୁଡ଼ି ପରିସ୍ଥିତି ମୁଲତବି ପ୍ରସ୍ତାବ ଉପରେ ଆଲୋଚନାରେ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଉତ୍ତର ଅବାନ୍ତର । ଏହାକୁ ମୁଁ ଗ୍ରହଣ କରି ପାରୁନାହିଁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।  ୩୦ଜିଲ୍ଲାରୁ ୨୭ଜିଲ୍ଲାରେ ମରୁଡ଼ି । ତେଣୁ ଆଇନ ଅନୁଯାୟୀ ସରକାର ଏହି ଜିଲ୍ଲାଗୁଡ଼ିକୁ ମରୁଡ଼ିଗ୍ରସ୍ତ ଜିଲ୍ଲା ବୋଲି ଘୋଷଣା କରନ୍ତୁ । ୨୦୧୧ ସୁଦ୍ଧା ପ୍ରତି ବ୍ଲକରେ ୩୫ପ୍ରତିଶତ ଜଳସେଚନ ହେବ ବୋଲି ସରକାର କହିଥିଲେ । ଜଳସେଚନ ନେଇ ସରକାରଙ୍କ ପ୍ରତିଶ୍ରୁତି ପୂରଣ ନ ହେବା ଲାଗି କ'ଣ ପ୍ରକୃତି ଦାୟୀ? ବୋଲି ପ୍ରଶ୍ନ କରିଛନ୍ତି ନରସିଂହ ।

Advertisment

ଏହା ସହ ସେ କହିଛନ୍ତି ଯେ, ସରକାର ତାଙ୍କ କାର୍ଯ୍ୟ ନକରି ପ୍ରକୃତି ନାଁରେ ପାରି ହେବାକୁ ଚେଷ୍ଟା କରୁଛନ୍ତି । ସୋନପୁର, କଟକ ଓ ପୁରୀରେ ଯେତିକି ଜମି ତା'ଠୁ ଅଧିକ ଜଳସେଚନ ହୋଇଥିବା ସରକାର କହୁଛନ୍ତି । ବର୍ତ୍ତମାନ ଗୃହରେ ଉପସ୍ଥିତ ଥିବା ସୋନପୁର ଜିଲ୍ଲାର ମନ୍ତ୍ରୀ କହି ପାରିବେ କି ସେଠି ଶତପ୍ରତିଶତ ଜଳସେଚନ ହୋଇଛି କି ନ‌ାହିଁ।ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାରେ ପାଣି ଅଭାବ ଯୋଗୁଁ ଗଜା ମରୁଡ଼ି ହୋଇଛି । ପାଣି ସମୁଦ୍ରକୁ ବୋହି ଯାଉଛି କିନ୍ତୁ ପ୍ରକଳ୍ପ କରାଯାଇ ପାରୁନି । ସରକାର ଘରକୁ ଘର ପାଣି ଦେବା କଥା କହୁଛନ୍ତି । ଗାଁକୁ ଗାଁ ସରକାର ପାଣି ଦେଇପାରୁନାହାନ୍ତି ଘରକୁ ଘର ଦେବେ କେମିତି ବୋଲି ସେ ପ୍ରଶ୍ନ କରିଛନ୍ତି।

କଂଗ୍ରେସ ବିଧାୟକ ଦଳ ନେତା କହିବା ମୁତାବକ, ରାଜ୍ୟରେ ଏକ ଅପାରଗ ସରକାର ଚାଲିଛି । ଏଇ ସରକାରରେ ମନ୍ତ୍ରୀମାନଙ୍କର କିଛି ଭୂମିକା ନାହିଁ । ମନ୍ତ୍ରୀମାନେ ଅପାରଗ। ୧୭୭ସ୍କୁଲକୁ ଗ୍ରାଣ୍ଟଇନଏଡ଼ ମିଳୁ ନାହିଁ । ଶିକ୍ଷକ ମହାସଙ୍ଘ ମୋତେ ଏକ ଚିଠି ଲେଖିଛନ୍ତି । ଯେଉଁଥିରେ ଅଧିକାଂଶ ମନ୍ତ୍ରୀ ଓ ବିଧାୟକମାନଙ୍କର ଦସ୍ତଖତ ରହିଛି । ଏଥିରୁ ଜଣାପଡ଼ୁଛି ଗୃହର ଅଧିକାଂଶ ସଦସ୍ୟ ଓ ମନ୍ତ୍ରୀମାନଙ୍କର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆସ୍ଥା ନାହିଁ । ମନ୍ତ୍ରୀମାନେ ବିରୋଧୀ ଦଳମାନଙ୍କୁ ସାହାଯ୍ୟ ମାଗୁଛନ୍ତି ଯେ ଆମକୁ ଆସି ସାହାଯ୍ୟ କର । ତେଣୁ ଏମାନେ କ'ଣ ମରୁଡ଼ି ମୁକାବିଲା କରିବେ । ରାଜ୍ୟରେ ସମ୍ପୂର୍ଣ୍ଣ ଅପାରଗ ସରକାର ଚାଲିଥିବା କହି କହି ସମାଲୋଚନା କରିଛନ୍ତି ନରସିଂହ ।