ଓଡ଼ିଆଙ୍କୁ ପ୍ରତାରିତ କରାଯାଇଛି

‘ସମ୍ବାଦ’ ରିପାର୍ଟ ଦେଖାଇ ଗର୍ଜିଲେ ନରସିଂହ, ଗୋପବନ୍ଧୁଙ୍କ ପ୍ରତି କର୍ତ୍ତବ୍ୟ ଭୁଲିଯାଉଛନ୍ତି, ମଧୁ ବାବୁଙ୍କୁ ଭାରତ ରତ୍ନ ପାଇଁ ଦାବି ଜଣାଇଲେ

ଭୁବନେଶ୍ବର : ଫନି ବାତ୍ୟାରେ ବକୁଳ ବନ ଧ୍ବଂସ ହୋଇଗଲା। ଏ ପର୍ଯ୍ୟନ୍ତ କୌଣସି ସରକାରୀ କର୍ମଚାରୀ ସେଠାକୁ ଯାଇ ନାହାନ୍ତି। ଆହୁରି ଦୁଃଖର ବିଷୟ ହେଉଛି ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ ସରକାର ଘୋଷଣା କଲେ। ମୁଖ୍ୟମନ୍ତ୍ରୀ ସତ୍ୟବାଦୀ ଯାଇ ତାହାର ଶିଳାନ୍ୟାସ କଲେ। ଏହା ମଧ୍ୟରେ ୯ ମାସ ବିତି ଯାଇଥିଲେ ବି କାମ ଆରମ୍ଭ ହୋଇପାରି ନାହିଁ। ଏଥିରୁ ଅନୁଭବ ହେଉଛି ବୋଧହୁଏ ଏହି ବିଶ୍ବବିଦ୍ୟାଳୟ ପାଇଁ କୌଣସି ଯୋଜନା ନାହିଁ। ଓଡ଼ିଆଙ୍କୁ ପ୍ରତାରିତ କରିବାକୁ, ସ୍ଥାନୀୟ ଲୋକଙ୍କୁ ଭୂଆଁ ବୁଲାଇବାକୁ ଓ ନିର୍ବାଚନ ଜିତିବାକୁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ।

ଆଜି ଏମିତି କଠୋର ଶବ୍ଦ ପ୍ରୟୋଗ କରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିଧାନସଭାରେ ଗର୍ଜନ କରିଥିଲେ। ଶୂନ୍ୟକାଳରେ ଶ୍ରୀ ମିଶ୍ର ‘ସମ୍ବାଦ’ରେ ପ୍ରକାଶିତ ‘ଗୋପବନ୍ଧୁଙ୍କ ପାଇଁ ଦରଦ ଏମିତି’ ଖବରଟିକୁ ଦେଖାଇ ସରକାରଙ୍କ ଉପରେ ଅସନ୍ତୋଷ ଝାଡି କହିଥିଲେ, ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ ପଦକ୍ଷେପ ନେବାକୁ ବାଚସ୍ପତି ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଗୃହର ଦୃଷ୍ଟି ଆକର୍ଷଣ କରୁଛି। ଏହା ସହ ତୁରନ୍ତ ବକୁଳ ବନର ପୁନରୁଦ୍ଧାର କରି ଗୋପବନ୍ଧୁଙ୍କୁ ସମ୍ମାନ ଦିଅନ୍ତୁ। ଗୋପବନ୍ଧୁୂଙ୍କ ପ୍ରତି କର୍ତ୍ତବ୍ୟ ଭୁଲିଯାଉଛନ୍ତି। ଏ ସରକାର ତ ଜାତିର ନେତୃତ୍ବ ନେଉଥିବା ମହାପୁରୁଷଙ୍କ କଥା ଚିନ୍ତା କରୁ ନାହାନ୍ତି।

ଏହି ଅବସରରେ ଶ୍ରୀ ମିଶ୍ର କହିଥିଲେ, ଏକଦା ଓଡ଼ିଆ ଜାତିର ନେତୃତ୍ବ ନେଇଥିବା ଗୋପବନ୍ଧୁ ଦାସଙ୍କ ପ୍ରତି ସରକାରଙ୍କ ଆଭିମୁଖ୍ୟ ଆଦୌ ଗ୍ରହଣୀୟ ନୁହେଁ। ପୂର୍ବରୁ ମଧୁ ବାବୁଙ୍କୁ ଭାରତ ରତ୍ନ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କୁ ସେ ନିଜେ ଏ ନେଇ ଚିଠି େଲଖିଥିଲେ। ଉତ୍ତର ମିଳିବା ତ ଦୂରର କଥା, ପ୍ରାପ୍ତି ସ୍ବୀକାର ବି ମିଳିଲା ନାହିଁ। ମଧୁ ବାବୁଙ୍କୁ ମରଣୋତ୍ତର ଭାରତ ରତ୍ନ ପାଇଁ କେନ୍ଦ୍ରକୁ ସୁପାରିସ୍ କରିବାକୁ ଶ୍ରୀ ମିଶ୍ର ଦାବି େଦାହରାଇଥିଲେ।

କଂଗ୍ରେସ ବିଧାୟକ ଦଳ ନେତା କହିଥିଲେ, ଓଡ଼ିଶାର ସଂସ୍କୃତି, ପରମ୍ପରା ନେଇ ଗୃହରେ ଅତୀତରେ ଆଲୋଚନା ହୋଇଛି। ଏବେ ମଧ୍ୟ ସେହି କଥା ଉଠୁଛି। ଓଡ଼ିଶାର ପରମ୍ପରାକୁ ନେଇ ଆମେ ଚିନ୍ତିତ। ଓଡ଼ିଆମାନେ ଧୋତି ପିନ୍ଧିବାର ମଧ୍ୟ ଏକ ପରମ୍ପରା ରହିଛି। କିନ୍ତୁ ବିଧାନସଭାରେ ଧୋତି ପିନ୍ଧୁଥିବା ସଦସ୍ୟଙ୍କ ସଂଖ୍ୟା ୪ରୁ ଅଧିକ ହେବନି। ବାଚସ୍ପତି ‌ବି କେବେ ଧୋତି ପିନ୍ଧୁ ନାହାନ୍ତି। ବିଜୁ ବାବୁ ଧୋତି ପିନ୍ଧୁଥିଲେ। କିନ୍ତୁ ତାଙ୍କ ନାମରେ ଗଠିତ ଦଳରେ କେହି ଧୋତି ପିନ୍ଧିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ଆମେ ଧୋତି ପିନ୍ଧିବା ଭୁଲିଗଲୁଣି ଓ ଧୋତି ପିନ୍ଧା ନେତାଙ୍କୁ ବି ଭୁଲିଗଲୁଣି ବୋଲି ସେ କଟାକ୍ଷ କରିଥିଲେ।

ବ୍ୟୟମଞ୍ଜୁରି ବିଲ୍‌ ଆଲୋଚନା ଚାଲିଥିଲା ବେଳେ ତାରା ପ୍ରସାଦ ବାହିନୀପତି କହିଥିଲେ, ଏ ଗୃହରେ ଗାନ୍ଧୀ ଓ ଗୋପବନ୍ଧୁଙ୍କ ବିଷୟରେ ବହୁତ ଆଲୋଚନା ହେଲାଣି। ତେଣୁ ସେମାଙ୍କୁ ସମ୍ମାନାର୍ଥେ ଗୋଟିଏ ଦିନ ଗୃହକୁ ସବୁ ବିଧାୟକ ଧୋତି ପିନ୍ଧି ଆସନ୍ତୁ।

ସମ୍ବନ୍ଧିତ ଖବର