ବଲାଙ୍ଗୀର ବନ୍ଦ ପ୍ରସଙ୍ଗ ଉଠାଇଲେ ନରସିଂହ, ଲୋୟର ସୁକତେଲ ଓ ବାଇପାସ୍ ନେଇ ବୈଠକ ଡାକିବାକୁ ପ୍ରସ୍ତାବ ଦେଲେ

ପାଲ୍ କମିସନ ରିପୋର୍ଟ ବିଧାନସଭାରେ ଉପସ୍ଥାପନ ପାଇଁ ଦାବି ଜଣାଇଲେ

ଭୁବନେଶ୍ବର: ବଲାଙ୍ଗୀର ବନ୍ଦ ପ୍ରସଙ୍ଗ ଆଜି ଉଠିଥିଲା ବିଧାନସଭାରେ। ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ ସ୍ଥାନୀୟ ସଂଗଠନମାନେ ଆସନ୍ତାକାଲିଠାରୁ ଦୁଇ ଦିନିଆ ବଲାଙ୍ଗୀର ବନ୍ଦ ଡାକରା ଦେଇଛନ୍ତି। ଲୋୟର ସୁକତେଲ ପ୍ରସଙ୍ଗରେ ଏ ଦାବି ରହିଛି। ଏହାବ୍ୟତୀତ ବାଇପାସ୍ ନିର୍ମାଣ ଓ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ ଦାବି ରଖାଯାଇଛି। ନିକଟରେ ବାଚସ୍ପତିଙ୍କ ଉଦ୍ୟମରେ ଲୋୟର ସୁକତେଲ ବୈଠକ ହୋଇଥିଲା। ସେଥିରେ ତାଙ୍କୁ ଦାୟିତ୍ବ ଦିଆଯାଇଥିଲା। ଆସନ୍ତା ମାସରୁ କାର୍ଯ୍ୟ ଆରମ୍ଭ ହେବ ବୋଲି କୁହାଯାଇଥିଲା। ହେଲେ ହୋଇଥିବା ନିଷ୍ପତ୍ତି କାର୍ଯ୍ୟାନ୍ବୟନରେ ବିଳମ୍ବ କାରଣରୁ ଲୋକେ ଅସନ୍ତୁଷ୍ଟ ହୋଇଛନ୍ତି। ଏ ନେଇ ସେ ଜଳସଂପଦ ସଚିବଙ୍କୁ ଯୋଗାଯୋଗ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇନାହିଁ। ବାଚସ୍ପତି ତୁରନ୍ତ ଏ ପ୍ରସଙ୍ଗରେ ହସ୍ତକ୍ଷେପ କରିବା ଦରକାର।

ସେହିଭଳି ବାଇପାସ୍ ନିର୍ମାଣ ଏକ ପୁରୁଣା ଦାବି। କାରଣ ଏହି କାରଣରୁ ଲୋକେ ସେଠି ନାହିଁ ନଥିବା ଦୁର୍ଦଶାର ଶିକାର ହେଉଛନ୍ତି। ଏଥିରେ କିନ୍ତୁ ରାଜ୍ୟ ସରକାରଙ୍କର ବର୍ତମାନ କିଛି ତ୍ରୁଟି ନାହିଁ। କେନ୍ଦ୍ର ସରକାର ପଦକ୍ଷେପ ନେବା କଥା। ପୂର୍ତମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରି ବୈଠକ କରି ସେଠାକୁ ଜାତୀୟ ରାଜପଥ କର୍ତୃପକ୍ଷଙ୍କୁ ଡାକିବାକୁ ଶ୍ରୀ ମିଶ୍ର ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶ୍ରୀ ମିଶ୍ର କହିଥିଲେ ଯେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗ ନେଇ ପାଲ୍ କମିସନଙ୍କ ରିପୋର୍ଟ ଏଯାଏ ଉପସ୍ଥାପନ ହେଲା ନାହିଁ। ନିୟମ ଅନୁସାରେ, ବିଧାନସଭାରେ ଏହା ୬ମାସ ମଧ୍ୟରେ ଉପସ୍ଥାପନ ହେବା କଥା। ହେଲେ ୬ବର୍ଷ ପରେ ବି ଏହା ଉପସ୍ଥାପିତ ହୋଇନାହିଁ। ଦୀର୍ଘଦିନରୁ ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ ଦାବି ହୋଇ ଆସୁଛି। କେନ୍ଦ୍ର ସରକାର ରାଜ୍ୟ ଉପରକୁ ବଲ ଫିଙ୍ଗୁଛନ୍ତି, ରାଜ୍ୟ କେନ୍ଦ୍ରକୁ। ଉଭୟ ଲଢେଇ ମଧ୍ୟରେ ଏହା ଅଟକିଯାଇଛି। କେଉଁଠାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ହେବ, ସେ ନେଇ ସରକାର ପାଲ୍ କମିସନ ଗଠନ କରିଥିଲେ। ଏହି କମିସନ ରିପୋର୍ଟ ଦେବା ପରେ ସରକାର ପୁଣି କମିଟି କରି ଏହାକୁ କଣ ପାଇଁ ଅନୁଧ୍ୟାନ କରୁଛନ୍ତି। ସରକାର ତୁରନ୍ତ କମିସନଙ୍କ ରିପୋର୍ଟ ଗୃହରେ ଉପସ୍ଥାପନ କରି କଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି, ତାହା ଜଣାଇବା ଦରକାର। ଅନ୍ୟଥା ବଲାଙ୍ଗୀରରେ ଥରେ ଆନ୍ଦୋଳନ ହେଲେ, ଏହା କେଉଁ ରୂପ ନିଏ,ତାହା ସମସ୍ତେ ଜାଣନ୍ତି ବୋଲି ସେ ସତର୍କ କରାଇ ଦେଇଥିଲେ।

ସମ୍ବନ୍ଧିତ ଖବର