ନରସିଂହପୁର : ବହୁଚର୍ଚ୍ଚିତ ନରସିଂହପୁର ଦନ୍ତାହାତୀ ମୃତ୍ୟୁ ଘଟଣାରେ ଖୋଳତାଡ଼ କରୁଛି କେନ୍ଦ୍ରୀୟ ପ୍ରତିନିଧି ଦଳ। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରବିବାର ଅପରାହ୍ନ ପ୍ରାୟ ସାଢ଼େ ୨ଟା ସମୟରେ ହିନ୍ଦୋଳସ୍ଥିତ ବନ ବିଭାଗ ଅଭ୍ୟର୍ଥନା ପ୍ରକୋଷ୍ଠରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରେରିତ ଦୁଇଜଣିଆ ପ୍ରତିନିଧି ଦଳ ପହଞ୍ଚିଥିଲେ। ପୂର୍ବ ସୂଚନା ଆଧାରରେ ଉକ୍ତ ଅଭ୍ୟର୍ଥନା ପ୍ରକୋଷ୍ଠରେ ଆର୍ସିସିଏଫ୍ ଅନୁଗୁଳ, ସିସିଏଫ୍ ଅନୁଗୁଳ, ଡିଏଫ୍ଓ ଢେଙ୍କାନାଳ, ଡିଏଫ୍ଓ ସାତକୋଶିଆ, ଆଠଗଡ଼ ଡିଏଫ୍ଓ ସୁଦର୍ଶନ ଯାଦବ, ସାତକୋଶିଆ ବନ୍ୟପ୍ରାଣୀ ଚିକିତ୍ସକ ଡାକ୍ତର କିଶୋର ସାହୁ, ନରସିଂହପୁର ପ୍ରାଣୀ ଚିକିତ୍ସକ ଡାକ୍ତର ବିଜୟ କୁମାର ସେନାପତି ପ୍ରମୁଖ ଯୋଗ ଦେଇଥିଲେ। ନରସିଂହପୁର ବନାଞ୍ଚଳରେ ହାତୀ ମୃତ୍ୟୁ ସମ୍ପର୍କରେ ଉକ୍ତ ଅଧିକାରୀମାନଙ୍କୁ କେନ୍ଦ୍ରୀୟ ଦଳ ଗୁଡେଇ ତୁଡେଇ ପ୍ରଶ୍ନ ପଚାରିଥିଲେ। ହାତୀ ଶିକାରୀମାନେ କିପରି ସକ୍ରିୟ ହେଉଛନ୍ତି, କେଉଁ ଅଞ୍ଚଳର ଲୋକେ ଏହି ଘଟଣାରେ ସଂପୃକ୍ତ ରହୁଛନ୍ତି, ତା ଉପରେ ତଦନ୍ତକାରୀ ଟିମ୍ ପଚରାଉଚରା କରିଥିଲେ। ଦୁଇଘଣ୍ଟାରୁ ଅଧିକ ସମୟ ଧରି କେନ୍ଦ୍ରୀୟ ଦଳ ବନବିଭାଗ ଅଧିକାରୀ ଓ ଚିକିତ୍ସକମାନଙ୍କୁ ପଚରାଉଚରା କରି ସେମାନଙ୍କ ବୟାନ ରେକର୍ଡ କରିଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ଗତ ୨୦୨୨ ମସିହା ଜାନୁଆରି ମାସରେ ଏସ୍ଟିଏଫ୍ ଟିମ୍ର ଖୋଳତାଡ଼ ପରେ ଜୟପୁର ସଂରକ୍ଷିତ ଜଙ୍ଗଲରୁ ଗୋଟିଏ ହାତୀର କଙ୍କାଳ ଉଦ୍ଧାର ହୋଇଥିଲା। ଏହାର ଦୁଇମାସ ପରେ ବାରଭାୟା ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଏକ ଦନ୍ତାହାତୀର ମୃତ୍ୟୁ ହୋଇଥିଲା। ସେହିପରି ଗତ ଜୁଲାଇ ୨୯ ତାରିଖ ସନ୍ଧ୍ୟା ୬ଟା ସମୟରେ ଜୟପୁର ସଂରକ୍ଷିତ ଜଙ୍ଗଲ ବାରସିଙ୍ଗା ବିଟ୍ ହାଉସ୍ ନିକଟରେ ଆଉ ଏକ ଦନ୍ତାର ମୃତ୍ୟୁ ହୋଇଥିଲା। ଗତ କିଛିଦିନ ତଳେ ନୂଆଗଡ଼ ସଂରକ୍ଷିତ ଜଙ୍ଗଲ ଚତରାପଦା ନିକଟରେ ଏକ ଦନ୍ତା ଦେହରେ ତିନିଟି ଗୁଳି ବାଜିଥିବା ବନ ବିଭାଗ ଦେଖିବାକୁ ପାଇଥିଲା। ଚିକିତ୍ସା ପରେ ଉକ୍ତ ଦନ୍ତାକୁ ନଜରରେ ରଖାଯାଇଛି ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହିପରି ଭାବେ ଗତ କିଛିମାସ ଭିତରେ ନରସିଂହପୁର ଅଞ୍ଚଳରୁ ଦନ୍ତାହାତୀଙ୍କୁ ମାରି ଶିକାରୀମାନେ ସକ୍ରିୟ ହୋଇ ଉଠିଥିଲେ। ଏ ସମ୍ପର୍କରେ ‘ସମ୍ବାଦ ପୃଷ୍ଠାରେ ‘ନରସିଂହପୁରରେ ଲୋପ ହୋଇଯିବ ହାତୀ ବଂଶ ଖବର ପ୍ରକାଶ ପାଇବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ବିଭାଗୀୟ ଅଧିକାରୀଙ୍କ ସମେତ ଚିକିତ୍ସା ଅଧିକାରୀମାନଙ୍କୁ ପଚରାଉଚରା ଜାରି ରହିଥିବା ଜଣାପଡିଛି।