ବାଲେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବାଲେଶ୍ବର ଜିଲ୍ଲା ପରିଷଦ ଆସନରେ ବାଜିମାତ କରିଛି ବିଜେଡି। ମୋଟ ୪୫ଟି ଜିଲ୍ଲା ପରିଷଦ ଆସନରୁ ଦଳ ୩୯ଟି ଆସନରେ ବିପୁଳ ସମର୍ଥନ ପାଇଥିବା ବେଳେ ଜାତୀୟ ଦଳ ବିଜେପି ମାତ୍ର ୪ଟି ଓ କଂଗ୍ରେସକୁ ୨ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ତେବେ ଗତଥର ଭଳି ଜିଲ୍ଲା ପରିଷଦ ସଭାପତି ଆସନ ବିଜୁ ଜନତା ଦଳ ଅକ୍ତିଆର କରିବ ବୋଲି ସ୍ପଷ୍ଟ ହୋଇଯାଇଛି।
ଚଳିତଥର ଜିଲ୍ଲା ପରିଷଦ ସଭାପତି ଆସନ ଅଣସଂରକ୍ଷିତ ରହିଛି। ମାର୍ଚ୍ଚ ୧୩ରେ ଜିଲ୍ଲା ପରିଷଦ ସଭାପତି ଓ ମାର୍ଚ୍ଚ ୨୫ ତାରିଖରେ ଜିଲ୍ଲା ପରିଷଦ ଉପସଭାପତି ପାଇଁ ନିର୍ବାଚନ ଥିବାରୁ ଶୀର୍ଷ ନେତୃତ୍ବ କାହାକୁ ଏହି ଆସନରେ ବସାଇବେ ସେ ନେଇ ବିଚାରବିମର୍ଶ କରୁଥିବା ବେଳେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଏହି କ୍ରମରେ ଦଳର ୨ ଜଣ ଜିଲ୍ଲା ପରିଷଦ ସଦସ୍ୟଙ୍କ ନାଁ ସାମ୍ନାକୁ ଆସୁଛି। ସେମାନେ ହେଲେ ନୀଳଗିରି ନିର୍ବାଚନମଣ୍ଡଳୀ ୧୩ ନମ୍ବର ଜୋନ ଜିଲ୍ଲା ପରିଷଦ ଆସନରୁ ନିର୍ବାଚିତ ହୋଇଥିବା ଗତିକୃଷ୍ଣ ନନ୍ଦ ଏବଂ ବାଲେଶ୍ବର ସଦର ନିର୍ବାଚନମଣ୍ଡଳୀ ୨୯ ନମ୍ବର ଜୋନ୍ରୁ ନିର୍ବାଚିତ ହୋଇଥିବା ନାରାୟଣ ପ୍ରଧାନ। ଶ୍ରୀ ପ୍ରଧାନ ବିଜୁ ଜନତା ଦଳ ସମର୍ଥନରେ ଏକାଧିକ ଥର ପଞ୍ଚାୟତ ରାଜନୀତିରେ ନିର୍ବାଚିତ ହୋଇ ଆସିଛନ୍ତି।
୨୦୦୨ରୁ ୨୦୦୭ ମସିହା ପର୍ଯ୍ୟନ୍ତ ସରପଞ୍ଚ, ୨୦୦୭ରୁ ୨୦୧୨ ମସିହା ପର୍ଯ୍ୟନ୍ତ ତାଙ୍କ ଧର୍ମପତ୍ନୀ ସୁସ୍ମିତା ପ୍ରଧାନ ସରପଞ୍ଚ, ୨୦୧୨ରୁ ୨୦୧୭ ମସିହା ପର୍ଯ୍ୟନ୍ତ ସଦର ବ୍ଲକ୍ ୨୬ ନମ୍ବର ଜିଲ୍ଲା ପରିଷଦ ଜୋନ୍ରୁ ଶ୍ରୀମତୀ ପ୍ରଧାନ ଜିଲ୍ଲା ପରିଷଦ ସଦସ୍ୟା, ୨୦୧୬ରୁ ୨୦୧୯ ମସିହା ପର୍ଯ୍ୟନ୍ତ ନାରାୟଣ ସଦର ବ୍ଲକର ବିଜେଡି ସଭାପତି ଏବଂ ୨୦୧୭ ମସିହାରୁ ୨୦୨୨ ମସିହା ପର୍ଯ୍ୟନ୍ତ ସେ ପାତ୍ରପଡ଼ା ପଞ୍ଚାୟତରୁ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ ସଦର ବ୍ଲକ ଅଧ୍ୟକ୍ଷ ପଦରେ ଅଛନ୍ତି। ଏଥିସହ ଚଳିତ ପଞ୍ଚାୟତ ନିର୍ବାଚନରେ ପୁଣି ୨୯ନମ୍ବର ଜିଲ୍ଲା ପରିଷଦ ଆସନରୁ ସେ ନିଜେ ଜିଲ୍ଲା ପରିଷଦ ଟିକଟ ପାଇ ୨୧୦୦ ଭୋଟ ବ୍ୟବଧାନରେ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ବିଜୟ ନାୟକଙ୍କ ଠାରୁ ବିଜୟୀ ହୋଇଛନ୍ତି।
ତେବେ ନିର୍ବାଚନ ପ୍ରଚାରରେ ସଦର ବିଧାୟକ ସ୍ବରୂପ କୁମାର ଦାସ ଘୋଷଣା କରି କହିଥିଲେ ଯେ ୨୯ ନମ୍ବର ଜୋନ୍ବାସୀ ନାରାୟଣ ପ୍ରଧାନଙ୍କୁ ବିପୁଳ ଭୋଟରେ ଜିତାଇଲେ ଏବଂ ଜିଲ୍ଲା ପରିଷଦରେ ବିଜୁ ଜନତା ଦଳ ଜିଲ୍ଲାରେ ଅଧିକ ଆସନ ପାଇଲେ ସଭାପତି ଆସନରେ ନାରାୟଣ ବସିବେ। ସେହିପରି ନାରାୟଣଙ୍କ ପାଇଁ ପର୍ଯ୍ୟଟନ ମନ୍ତ୍ରୀ ତଥା ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଦଳର ପର୍ଯ୍ୟବେକ୍ଷକ ପ୍ରତାପ ଦେବ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କ ଭଳି ନେତୃତ୍ବମାନେ ମଧ୍ୟ ପ୍ରଚାର କରିଥିଲେ। ତେଣୁ ତାଙ୍କୁ ଜିଲ୍ଲା ପରିଷଦ ସଭାପତି ପ୍ରାର୍ଥୀ ଭାବେ ସମ୍ପୃକ୍ତ ନେତୃତ୍ବମାନେ ସମର୍ଥନ କରିବେ ବୋଲି ଚର୍ଚ୍ଚା ହେଉଛି।
ସେହିପରି ଦଳର ଅନ୍ୟତମ ତୁଙ୍ଗନେତା ହେଉଛନ୍ତି ଗତିକୃଷ୍ଣ ନନ୍ଦ। ସେ ଏଥର ବାଲେଶ୍ବର ଜିଲ୍ଲାରେ ବିଜେପିର ଗଡ଼ ତଥା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ବିଜେପି ବିଧାୟକ ସୁକାନ୍ତ ନାୟକଙ୍କ ନିଜ ନିର୍ବାଚନମଣ୍ଡଳୀ ନୀଳଗିରି ୧୩ ନମ୍ବର ଜୋନ୍ରେ ପ୍ରାର୍ଥୀ ହୋଇ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ତାପସ ମହାନ୍ତିଙ୍କୁ କଡ଼ା ଟକ୍କର ଦେଇ ପରାଜିତ କରିଛନ୍ତି। ଶ୍ରୀ ନନ୍ଦ ମଧ୍ୟ ଜିଲ୍ଲା ବିଜେଡିର ଜଣେ ପ୍ରମୁଖ ନେତା ଭାବେ ପରିଚିତ। ଏହାଛଡ଼ା ସେ ଏବେ ବିଜେଡିର ଜିଲ୍ଲା ଉପସଭାପତି ଏବଂ ରାଜ୍ୟ ଯୁଗ୍ମ ସମ୍ପାଦକ ଦାୟିତ୍ବରେ ଅଛନ୍ତି।
ପୂର୍ବରୁ ମଧ୍ୟ ଦଳରେ ଜିଲ୍ଲା ଉପସଭାପତି, ଯୁବ ବିଜେଡିର ନୀଳଗିରି ସଭାପତି ଏବଂ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କର ପ୍ରତିନିଧି ଭାବେ ଦାୟିତ୍ବ ତୁଲାଇଛନ୍ତି। ତେବେ ଶ୍ରୀ ନନ୍ଦଙ୍କୁ ଏହି ଆସନରୁ ଜିତାଇବା ସହ ନୀଳଗିରିରେ ବିଜେପି ଗଡ଼ ଭାଙ୍ଗିବା ପାଇଁ ଦଳ ସ୍ବତନ୍ତ୍ର ରଣନୀତି କରିଥିଲା। ସେହି ଅନୁସାରେ ପୂର୍ବତନ ସାଂସଦ ଶ୍ରୀ ଜେନା ସେଠାରେ ଏକାଧିକ ବାର ହାଇଭୋଲଟେଜ୍ ପ୍ରଚାର କରିଥିବା ବେଳେ ଦଳୀୟ ପର୍ଯ୍ୟବେକ୍ଷକ ପ୍ରତାପ ଦେବ ଶ୍ରୀ ନନ୍ଦଙ୍କ ପାଇଁ ପ୍ରଚାର କରିଥିଲେ।
ଏହାଛଡ଼ା ଜିଲ୍ଲା ବିଜେଡିର ଆଗଧାଡ଼ିର ପ୍ରାୟ ସମସ୍ତ ନେତାଙ୍କ ସହ ତାଙ୍କର ସୁସମ୍ପର୍କ ରହିଛି। ତେଣୁ ଜିଲ୍ଲା ରାଜନୀତିରେ ଗତିକୃଷ୍ଣଙ୍କ ଦୀର୍ଘବର୍ଷର ଅଭିଜ୍ଞତା, ଦଳ ପ୍ରତି ଆନୁଗତ୍ୟ ଓ ବିଜେପି ଗଡ଼ରେ ବିଜେଡିର ବିପୁଳ ବିଜୟକୁ ଦୃଷ୍ଟିରେ ରଖି ଦଳ ତାଙ୍କୁ ଜିଲ୍ଲା ପରିଷଦ ସଭାପତି ଆସନରେ ବସାଇପାରେ ବୋଲି ରାଜନୈତିକ ସମୀକ୍ଷକ ମତ ପ୍ରକାଶ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଚଳିତ ନିର୍ବାଚନରେ ବିଜୁ ଜନତା ଦଳ ସିମୁଳିଆ ନିର୍ବାଚନମଣ୍ଡଳୀରୁ ୨ଟି ଆସନ ହରାଇଥିବା ବେଳେ ସଦର ନିର୍ବାଚନମଣ୍ଡଳୀ, ବସ୍ତା ନିର୍ବାଚନମଣ୍ଡଳୀ ଓ ଭୋଗରାଇ ନିର୍ବାଚନମଣ୍ଡଳୀରୁ ଗୋଟିଏ ଲେଖାଏ ଆସନ ହରାଇଛି। ଅନ୍ୟପକ୍ଷରେ ୨୦୧୭ ମସିହା ନିର୍ବାଚନକୁ ଦେଖିଲେ ଦଳ ସଦର ନିର୍ବାଚନମଣ୍ଡଳୀ, ରେମୁଣା ନିର୍ବାଚନମଣ୍ଡଳୀ ଓ ନୀଳଗିରି ନିର୍ବାଚନମଣ୍ଡଳୀରେ ବିଜେପି ସହ କଡ଼ା ଟକ୍କର ଦେଇ ବିପୁଳ ବିଜୟ ହାସଲ କରିଛି।