ଜଳଯାତ୍ରା କଲେ ନାରାୟଣ ଗୋସାଇଁ

ଜଳଯାତ୍ରା କଲେ ନାରାୟଣ ଗୋସାଇଁ

ରସୁଲପୁର/ନଠୁଆବର,: ତିନିଦିନର ଦିବ୍ୟଲୀଳା ଶେଷକରି ଆଜି ସକାଳେ ମଧୁତୀର୍ଥ ପୁଷ୍କରିଣୀ ମଧ୍ୟକୁ ଫେରି ଯାଇଛନ୍ତି ପ୍ରଭୁ ନାରାୟଣ ଗୋସାଇଁ। ସକାଳ ୮ଟା ୪୫ ରେ ମନ୍ଦିରରୁ ମହାପ୍ରଭୁଙ୍କୁ ପଟୁଆରରେ ପୁଷ୍କରିଣୀକୁ ନିଆଯାଇଥିଲା। ଚଳନ୍ତି ପ୍ରତିମା ମଦନମୋହନ ଜିଉଙ୍କୁ ବିମାନରେ ଘାଟ ପର୍ଯ୍ୟନ୍ତ ନିଆଯାଇଥିଲା। ସେଠାରୁ ସେବକମାନେ ନାରାୟଣ ଗୋସାଇଁଙ୍କ ଶ୍ରୀ ବିଗ୍ରହକୁ ଚନ୍ଦ୍ରାତପ ଛାଉଣି ମଧ୍ୟରେ ମହାପ୍ରଭୁଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନକୁ ନେଇଥିଲେ। ପୂର୍ବପଟ ଘାଟ ପାଖରେ ପରମ୍ପରାକ୍ରମେ ମଧୁପୁରଗଡ଼ ରାଣୀ ଅପର୍ଣ୍ଣା ଧୀର ସିଂ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ। ପରେ ମହାପ୍ରଭୁଙ୍କୁ ପତାକା ବେଷ୍ଟିତ ବିଶ୍ରାମ ସ୍ଥାନକୁ ନିଆଯାଇଥିଲା। ନାରାୟଣ ଗୋସାଇଁଙ୍କ ଏହି ଜଳଯାତ୍ରା ଦେଖିବା ପାଇଁ ପୁଷ୍କରିଣୀ ଚାରିପାଖରେ ହଜାରହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

publive-image

ଏହି ୩ ଦିନ ମଧ୍ୟରେ ନାରାୟଣ ଗୋସାଇଁ ୧୩ ପ୍ରକାରର ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ। ପ୍ରଥମ ଦିନରେ ମଦନମୋହନ ବେଶ, ଆଦିତ୍ୟ ନାରାୟଣ ବେଶ, ମତ୍ସ୍ୟ ବେଶ, କଛପ ବେଶ ଓ ବରାହ ବେଶ, ଦ୍ବିତୀୟ ଦିନରେ ରାମ, ପର୍ଶୁରାମ ବାମନ ଓ ନୃସିଂହ ବେଶ ଏବଂ ଶେଷଦିନରେ ହରିହର ବେଶ, କାଳୀୟ ଦଳନ ବେଶ, ସୁନା ବେଶ ଓ ସନ୍ନ୍ୟାସୀ ବେଶରେ ଭୂଷିତ ହୋଇଥିଲେ। ତୃତୀୟ ଦିନ ମଧ୍ୟରାତ୍ରଠାରୁ ଜଳଯାତ୍ରା ପର୍ଯ୍ୟନ୍ତ ସନ୍ନ୍ୟାସୀ ବେଶରେ ମହାପ୍ରଭୁ ଦର୍ଶନ ଦେଇଥିଲେ। ପୂର୍ବରୁ ମହାପ୍ରଭୁଙ୍କ ଜଳଯାତ୍ରା ସହିତ ସିଂହାପୁର ଯାତ୍ରା ମଧ୍ୟ ୩ ଦିନରେ ଶେଷ ହେଉଥିଲା। ଚଳିତ ବର୍ଷଠାରୁ ଏହି ଯାତ୍ରାକୁ ୫ ଦିନିଆ କରିବା ପାଇଁ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କୁଆଖିଆ ପୁଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe