ମାଲକାନଗିରି : ମାଲକାନଗିରିର ତତ୍କାଳୀନ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲାରେ ମାନବାଧିକାର କମିସନ ଅଧ୍ୟକ୍ଷ ଓ ସଦସ୍ୟଙ୍କୁ ଭେଟିଛନ୍ତି ପତ୍ନୀ ବନଜା ପଣ୍ଡା। ଏହି ମାମଲାରେ ହସ୍ତକ୍ଷେପ କରି ନ୍ୟାୟ ପ୍ରଦାନ ନିମନ୍ତେ ନିବେଦନ କରିଛନ୍ତି। ହତ୍ୟା ଭଳି ସଂଗିନ୍‌ ମାମଲା ସତ୍ତ୍ବେ ତଦନ୍ତ ପ୍ରକ୍ରିୟା ବିଶେଷ ଅଗ୍ରଗତି ହୋଇ ନଥିବା ନେଇ ଅଭିଯୋଗ ପତ୍ର ଦାଖଲ କରିଥିବା ଜଣାପଡ଼ିଛି।

Advertisment

୨୦୧୯ ମସିହା ଡିସେମ୍ବର ମାସ ୨୮ତାରିଖ ଦିନ ମାଲକାନଗିରି ସତୀଗୁଡ଼ା ଡ୍ୟାମ୍‌ରୁ ଦେବନାରାୟଣଙ୍କ ଶବ ସନ୍ଦିଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପ୍ରାଥମିକ ତଦନ୍ତ ପରେ ଦେବ ନାରାୟଣ ଆତ୍ମହତ୍ୟା କରିଥିବା ନେଇ ପୁଲିସ ପ୍ରକାଶ କରିଥିଲା। କିନ୍ତୁ ପୁଲିସର ତଦନ୍ତକୁ ଆଦୌ ବିଶ୍ବାସ କରି ନଥିଲେ ପତ୍ନୀ ବନଜା। ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ସହ ଅନ୍ୟ ୩ଜଣଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଥିଲେ। ପୁଲିସ ଜାଣିଶୁଣି ମାମଲାକୁ ଚପାଇ ଦେଉଥିବା ବି ସେ ଅଭିଯୋଗ କରି କୋର୍ଟରେ ମାମଲା ରୁଜୁ କରିଥିଲେ। ଯାହାକୁ କୋର୍ଟ ଗ୍ରହଣ କରି ଶୁଣାଣି କରିଥିବାବେଳେ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା। କିନ୍ତୁ ଘଟଣାକୁ ଆଉ କିଛି ଦିନ ପରେ ୨ବର୍ଷ ପୂରିଯିବ। ତଥାପି ଏ ଯାଏ ତଦନ୍ତ ପ୍ରକ୍ରିୟା ଶେଷ ହୋଇ ନାହିଁ। ହତ୍ୟା ମାମଲାକୁ ଯେଉଁ ଭଳି ତତ୍ପରତା ସହ ତଦନ୍ତ କରାଯିବା କଥା ହୋଇ ନାହିଁ ବୋଲି ବନଜା ଅଭିଯୋଗ କରିଛନ୍ତି।

ନ୍ୟାୟ ମିଳିବାରେ ବିଳମ୍ବ ହେଉଥିବା ଦେଖି ଶେଷରେ ବାଧ୍ୟ ହୋଇ ମାନବାଧିକାର କମିସନଙ୍କୁ ଭେଟିଛନ୍ତି ବନଜା। ପୁଅ ଏବଂ ଝିଅଙ୍କୁ ନେଇ କମିସନ ଅଧ୍ୟକ୍ଷ ଜଷ୍ଟିସ୍‌ ବିଜୟକୃଷ୍ଣ ପଟେଲ ଏବଂ ସଦସ୍ୟ ଅସୀମ ଅମିତାଭ ଦାସଙ୍କୁ ପୃଥକ ପୃଥକ ଭାବେ ସାକ୍ଷାତ କରିଛନ୍ତି। କମିସନ ଏହାର ତଦନ୍ତ କରି ନ୍ୟାୟ ପ୍ରଦାନ କରିବାକୁ ନିବେଦନ କରିଛନ୍ତି ବନଜା। ସେହିପରି ଧମକ ମିଳୁଥିବା ବେଳେ ଆବଶ୍ୟକ ସୁରକ୍ଷା ତାଙ୍କୁ ଯୋଗାଇ ଦିଆଯାଇ ନାହିଁ। ହତ୍ୟା ମାମଲାର ସମସ୍ତ ପ୍ରମାଣକୁ ନଷ୍ଟ କରାଯାଇଛି। ନିରପେକ୍ଷ ତଦନ୍ତ ନିମନ୍ତେ ଦାବି କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ମାଲକାନଗିରିର ତତ୍କାଳୀନ ଜିଲ୍ଲାପାଳ ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ହତ୍ୟା ମାମଲା ନମ୍ବର ୬୩/୨୦୨୦ ଏବଂ ତତ୍କାଳୀନ ଏସ୍‌ପି ଋଷିକେଶ ଖାଲାରୀଙ୍କ ସହ ଅନ୍ୟ ଅଧିକାରୀଙ୍କ ବିରୋଧରେ କେଶ୍‌ ନମ୍ବର ୩୨୫୬/୨୦୨୦ରେ ଦୁଇଟି ମାମଲା ରୁଜୁ ହୋଇଥିଲା।