ନାରାୟଣ ପ୍ରଧାନ ବାଲେଶ୍ବରର ଜିଲ୍ଲା ପରିଷଦ ସଭାପତି

୨୦୧୭ରେ ସଦର ବ୍ଲକର ଅଧ୍ୟକ୍ଷ ଥିଲେ, ପଞ୍ଚାୟତ ରାଜନୀତିରେ ୨୦ ବର୍ଷ ହେଲା ସକ୍ରିୟ

ବାଲେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବ୍ୟବସ୍ଥା ଆଜି ରାଜ୍ୟରେ ସବୁ ଜିଲ୍ଲାରେ ଜିଲ୍ଲା ପରିଷଦ ନିର୍ବାଚନ ହୋଇଥିଲା। ଜିଲ୍ଲାରେ ଏଥର ୪୫ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ବିଜେଡି ସର୍ବାଧିକ ୩୯ଟି ଆସନ ଜିତିଥିବା ବେଳେ ବିଜେପି ୪ଟି ଏବଂ କଂଗ୍ରେସ ଗୋଟିଏ ଆସନରେ ବିଜୟ ଲାଭ କରିଥିଲା। ତେଣୁ ବିଜେଡି ସଭାପତି ଆସନ ହାତେଇବ ବୋଲି ପୂର୍ବରୁ ସ୍ପଷ୍ଟ ହୋଇଯାଇଥିବା ବେଳେ କାହାକୁ ଦଳର ସୁପ୍ରିମୋ ଏହି ଗୁରୁତ୍ବପୂର୍ଣ୍ଣ ପଦ ପାଇଁ ଚୟନ କରିବେ ସେନେଇ ଆଶଙ୍କା ରହିଥିଲା। ଶେଷରେ ଡିଆରଡିଏ ହଲ୍‌ରେ ଅନୁଷ୍ଠିତ ସଭାରେ ବାଲେଶ୍ବର ଜିଲ୍ଲାର ଜିଲ୍ଲା ପରିଷଦ ସଭାପତି ଭାବେ ନାରାୟଣ ପ୍ରଧାନ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ଉପଜିଲ୍ଲାପାଳ ଈଶ୍ବର ଆଶିଷ ପାଟିଲ ଘୋଷଣା କରିଥିଲେ।

ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ନୂତନ ଜିଲ୍ଲା ପରିଷଦ ସଦସ୍ୟ/ସଦସ୍ୟାମାନଙ୍କୁ ନେଇ ଏକ ବୈଠକ ‌ହୋଇଥିଲା। ନବନିର୍ବାଚିତ ସଦସ୍ୟ/ସଦସ୍ୟାମାନଙ୍କୁ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ସ୍ବାଗତ କରିବା ସହ ଶପଥ ପାଠ କରାଇଥିଲେ। ଏହାପରେ ନବନିର୍ବାଚିତ ଜିଲ୍ଲା ପରିଷଦ ସଭାପତି ଶ୍ରୀ ପ୍ରଧାନ ଶପଥ ପାଠ କରିଥିଲେ। ଶେଷରେ ଶ୍ରୀ ପ୍ରଧାନଙ୍କୁ ଦଳର ସମସ୍ତ ବିଧାୟକ, ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ପିଡି-ଡିଆରଡିଏ, ଜିଲ୍ଲା ପଞ୍ଚାୟତ ଅଧିକାରୀ, ବିଜେଡି ଜିଲ୍ଲା ସଭାପତି ଏବଂ ସମସ୍ତ ବ୍ଲକର ଅଧ୍ୟକ୍ଷ ଓ ବିଡିଓଙ୍କ ପକ୍ଷରୁ ଅଭିନନ୍ଦନ ଜଣାଯାଇଥିଲା।

ଏନେଇ ବିଜେଡିର ଶତାଧିକ ନେତା ଓ କର୍ମୀମାନେ ବାଜା ବଜାଇ ଅବିର‌ ‌ଖେଳି ବିଜୟ ଉତ୍ସବ ମନାଇଥିଲେ। ସୂଚନା ଥାଉକି, ଶ୍ରୀ ପ୍ରଧାନଙ୍କ ଘର ବାଲେଶ୍ବର ଜିଲ୍ଲା ସଦର ବ୍ଲକ ପାତ୍ରପଡ଼ା ଅଞ୍ଚଳରେ। ତାଙ୍କର ଶିକ୍ଷାଗତ ଯୋଗ୍ୟତା ଯୁକ୍ତତିନି ପାଶ୍‌। ନିଜ ଅଞ୍ଚଳର ଜଣେ ଉଚ୍ଚଶିକ୍ଷିତ ଯୁବନେତା ଭାବେ ସେ ବେଶ୍‌ ପରିଚିତ ଥିବାବେଳେ ବି‌ଜୁ ଜନତା ଦଳ ତରଫରୁ ନିର୍ବାଚନରେ ବିଭିନ୍ନ ପଦପଦବ ଲାଗି ପ୍ରାର୍ଥୀ ହୋଇ ଲଗାତାର ସଫଳ ହୋଇଆସୁଛନ୍ତି। ଶ୍ରୀ ପ୍ରଧାନ ୨୦୦୨ ରୁ ୨୦୦୭ ପର୍ଯ୍ୟନ୍ତ ସରପଞ୍ଚ, ୨୦୦୭ରୁ ୨୦୧୨ ପର୍ଯ୍ୟନ୍ତ ତାଙ୍କ ପତ୍ନୀ ସୁସ୍ମିତା ପ୍ରଧାନ ସରପଞ୍ଚ, ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ବାଲେଶ୍ବର ସଦର ବ୍ଲକ ୨୬ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ରୁ ତାଙ୍କ ପତ୍ନୀ ଜିଲ୍ଲା ପରିଷଦ ସଦସ୍ୟା, ୨୦୧୬ରୁ ୨୦୧୯ ବାଲେଶ୍ବର ସଦର ବ୍ଲକରେ ନାରାୟଣ ବିଜେଡିର ସଦର ବ୍ଲକ ସଭାପତି ଏବଂ ୨୦୧୭ ରୁ ୨୦୨୨ପର୍ଯ୍ୟନ୍ତ ପାତ୍ରପଡ଼ା ପଞ୍ଚାୟତରୁ ସମିତି ସଭ୍ୟ ନିର୍ବାଚିତ ହୋଇ ସେ ବ୍ଲକ ଅଧ୍ୟକ୍ଷ ହୋଇଥିଲେ।

ସେହିପରି ଚଳିତ ପଞ୍ଚାୟତ ନିର୍ବାଚନ‌େର ସଦର ବ୍ଲକ ୨୯ନମ୍ବର ଜିଲ୍ଲା ପରିଷଦ ଜୋନ୍‌ରୁ ଜିଲ୍ଲା ପରିଷଦ ଟିକଟ ପାଇ ୨୧୦୦ଟି ଅଧିକ ଭୋଟରେ ବିଜେପି ପ୍ରାର୍ଥୀ ବିଜୟ ନାୟକଙ୍କୁ ହରାଇଥିଲେ। ତେବେ ଆଜି ଜିଲ୍ଲା ପରିଷଦ ସଭାପତି ନିର୍ବାଚିତ ହେବା ପରେ ଶ୍ରୀ ପ୍ରଧାନ ସମସ୍ତଙ୍କୁ ସାଙ୍ଗରେ ନେଇ ଦଳମତ ନିର୍ବିଶେଷରେ ଜିଲ୍ଲାର ସର୍ବା‌ଙ୍ଗୀନ ବିକାଶ ଉପରେ ଗୁରୁତ୍ବ ଦେବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର