ବିଜେପିକୁ ଶକ୍ତ ଧକ୍କା : ୪୮ ଘଣ୍ଟାରେ ବିଜେଡିକୁ ଫେରିଲେ ନାରାୟଣ

ଭୁବନେଶ୍ୱର/ବାଲେଶ୍ୱର : ଦୁଇଦିନ ତଳେ ପଦ୍ମ ଧରିଥିଲେ। ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଢେର ପ୍ରଶଂସା ମଧ୍ୟ କରିଥିଲେ। ମାତ୍ର ୪୮ ଘଣ୍ଟା ନପୂରୁଣୁ ପୁଣି ବିଜେଡିକୁ ଫେରି ଆସିଛନ୍ତି ବାଲେଶ୍ବର ସଦର ବ୍ଲକ୍‌ ଅଧ୍ୟକ୍ଷ ନାରାୟଣ ପ୍ରଧାନ। ଶୁକ୍ରବାର ଭୁବନେଶ୍ବରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପ୍ରଧାନ ରାଜ୍ୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ଦଳକୁ ଫେରିଥିବା ଘୋଷଣା କରିଛନ୍ତି। ତେବେ ଏମିତି କଣ ହେଲା ଯେ, ମାତ୍ର ୨ ଦିନରେ ସେ ବିଜେପି ହାତ ଛାଡ଼ିଦେଲେ ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ଗୁଡେଇତୁଡେଇ ପଚାରିବାରୁ ଅକଳରେ ପଡ଼ି ଯାଇଥିଲେ ଶ୍ରୀ ପ୍ରଧାନ। ଏ ସଂକ୍ରାନ୍ତରେ ସେ ବିଶେଷ କିଛି ପ୍ରତିକ୍ରିୟା ରଖିନଥିଲେ। କେବଳ କହିଥିଲେ ‘ପ୍ରତିଶ୍ରୁତି ଦେଇଥିଲେ, ହେଲେ ମିଶିବା ପରେ ସ୍ଥିତି କିଛି ଅଲଗା ଥିଲା।’

ଶ୍ରୀ ପ୍ରଧାନଙ୍କ ଘରବାହୁଡ଼ା ନେଇ ଆଜି ଦିନତମାମ ବାଲେଶ୍ବରରେ ଚର୍ଚ୍ଚା ଜୋର୍‌ ଧରିଥିଲା। ସୂଚନା ମୁତାବକ, ରାଜ୍ୟ ନେତୃତ୍ବ ଆଜି ତାଙ୍କୁ ଭୁବନେଶ୍ବର ଡାକି ଦୀର୍ଘ ସମୟ ଆଲୋଚନା କରିଥିଲେ। ବିଧାୟକ ପ୍ରତାପ ଦେବଙ୍କ ସରକାରୀ ବାସଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନଙ୍କ ସହ ତାଙ୍କ ସହଯୋଗୀମାନେ ବି ଉପସ୍ଥିତ ଥିଲେ। ଏହାପରେ ସନ୍ଧ୍ୟାରେ ବାଲେଶ୍ବର ସଦର ଉପନିର୍ବାଚନ ଦାୟିତ୍ବରେ ଥିବା ବିଧାୟକ ଶ୍ରୀ ଦେବ ଓ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଜେଡିକୁ ପ୍ରତ୍ୟାବର୍ତ୍ତନ କରିଥିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ବର ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ଶୁଭେନ୍ଦୁ ମଙ୍ଗରାଜ ଉପସ୍ଥିତ ଥିଲେ।

ଅନ୍ୟପଟେ, ନାରାୟଣଙ୍କ ଘର ବାହୁଡ଼ା ପରେ ବିଜେପିକୁ ଶକ୍ତ ଧକ୍କା ଲାଗିଛି। କାରଣ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଭିଡିଓ କନ୍‌ଫରେନସିଂ ଉପସ୍ଥିତିରେ ହିଁ ଶ୍ରୀ ପ୍ରଧାନ ଦଳରେ ସାମିଲ୍‌ ହୋଇଥିଲେ। ଯଦିଓ ସେ ନିଃସର୍ତ୍ତରେ ମିଶିଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ କହିଥିଲେ, ହେଲେ ତାଙ୍କୁ ଆଖି ଆଗରେ ରଖି ଦଳ ରଣନୀତି ପ୍ରସ୍ତୁତ କରୁଥିବା ଶୁଣିବାକୁ ମିଳିଥିଲା। ଏମିତିକି ଶ୍ରୀ ପ୍ରଧାନଙ୍କ ଯୋଗଦାନ ପରେ ଦିବଂଗତ ବିଧାୟକ ମଦନମୋହନ ଦତ୍ତଙ୍କ ପୁତ୍ର ମାନସ ଦତ୍ତଙ୍କ ନିରଙ୍କୁଶ ପ୍ରାର୍ଥିତ୍ବକୁ ନେଇ ପୂର୍ବରୁ ଯେଭଳି ଆଲୋଚନା ହେଉଥିଲା, ସେଥିରେ ଶିଥିଳତା ପଡ଼ିଥିଲା। ବର୍ତ୍ତମାନ ନାରାୟଣ ବିଜେଡିକୁ ଫେରିଯିବା ପରେ ମାନସଙ୍କ ରାସ୍ତା ଏକପ୍ରକାର ସଫା ବୋଲି କୁହାଯାଉଛି।

ଅନ୍ୟପକ୍ଷରେ, କୁହାଯାଉଛି ଯେ ଟିକେଟ୍‌ ପାଇବା ନେଇ କିଛି ସ୍ପଷ୍ଟ ପ୍ରତିଶ୍ରୁତି ନ ମିଳିବାରୁ ନାରାୟଣ ବିଜେଡିକୁ ଫେରିଗଲେ। ହେଲେ ଏହା ତାଙ୍କର ରାଜନୈତିକ ଅପରିପକ୍ବତା ବୋଲି ଅନେକ ମତ ରଖିଛନ୍ତି। ୪ ଦିନ ତଳେ ବିଜେଡିର ଅସନ୍ତୁଷ୍ଟ ଗୋଷ୍ଠୀ ତଥା ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାଶଙ୍କ ଏକାନ୍ତ ଅନୁଗତ କୁହାଯାଉଥିବା ପୂର୍ବତନ ପୌରାଧ୍ୟକ୍ଷ ଆଲୋକ ସାହୁଙ୍କୁ ରାଜ୍ୟ ନେତୃତ୍ବ ବୁଝାସୁଝା କରାଇବାରେ ସଫଳ ହୋଇଥିଲେ। ଭୁବନେଶ୍ବରରୁ ଫେରିବା ପରେ ଶ୍ରୀ ସାହୁ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଦଳ ଛାଡୁଥିବା ଖବର ମିଛ ଏବଂ ସେ ଦଳରେ ଅଛନ୍ତି ବୋଲି ପ୍ରତିକ୍ରିୟା ରଖିଥିଲେ। ଏହାପରେ ଜୀବନପ୍ରଦୀପଙ୍କ ଅନ୍ୟତମ ବିଶ୍ବସ୍ତ ସହଯୋଗୀ ନାରାୟଣଙ୍କ ଉପରେ ସମସ୍ତଙ୍କର ଦୃଷ୍ଟି କେନ୍ଦ୍ରୀଭୂତ ହୋଇଥିଲା। ଆଉ ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟାଇ ଗୋଟିଏ ଦିନ ପରେ ନାରାୟଣ ଦଳ ଛାଡ଼ି ବିଜେପିରେ ମିଶିଥିଲେ। ବର୍ତ୍ତମାନ ନାମାଙ୍କନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ସଦର ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ଚରମସୀମାରେ ପହଞ୍ଚିଛି। ଏବେ ଅପେକ୍ଷା ଟିକେଟ୍‌କୁ। ଏ କଥା ବି କୁହାଯାଉଛି, କାହାକୁ ଅସନ୍ତୁଷ୍ଟ ନ କରିବା ଲାଗି ଜଣେ ମହିଳାଙ୍କୁ ବିଜେଡି ଉପନିର୍ବାଚନରେ ପ୍ରାର୍ଥୀ କରିପାରେ।

ସମ୍ବନ୍ଧିତ ଖବର