କଟକ ପୁଲିସକୁ ‘ନାରାୟଣ’ ଅଡୁଆ, ସିବିଆଇ ତଦନ୍ତ ଦାବି କଲେ ପତ୍ନୀ

କୋର୍ଟରେ ଗୀତାଞ୍ଜଳିଙ୍କ ବୟାନ: ମୋ ସ୍ବାମୀ ଜଣେ ମାନସିକ ରୋଗୀ

କଟକ : ଓଏମ୍‌ପି ଛକରେ ଦୁଇଟି ହତ୍ୟାକାଣ୍ତ ଘଟଣାରେ ନାରାୟଣ ସାହୁକୁ ଅଭିଯୁକ୍ତ ଦର୍ଶାଇ ଗିରଫ କରିଥିବା କଟକ କମିସନରେଟ୍‌ ପୁଲିସ ପାଇଁ ଏବେ ଅଡୁଆ ବଢୁଛି। ଆଜି ଜେଏମ୍‌ଏଫ୍‌ସି ସିଟି କୋର୍ଟରେ ନାରାୟଣର ପତ୍ନୀ ଗୀତାଞ୍ଜଳି କମ୍ପ୍ଲେନ୍‌ କେସ୍‌ (୧ସିସି) ରୁଜୁ କରିଛନ୍ତି। ନାରାୟଣ ଜଣେ ମାନସିକ ରୋଗୀ ହୋଇଥିବା ବେଳେ ୨୦୧୯, ମେ ୧୧ ତାରିଖରେ କଟକ ବଡ଼ ମେଡିକାଲ୍‌ରେ ଚିକିତ୍ସିତ ହେବା ପାଇଁ ଆସିଥିଲେ। ମାନସିକ ରୋଗ ଯୋଗୁ ସେ ମେଡିକାଲ୍‌ରୁ କେଉଁଆଡେ଼ ଖସି ପଳାଇଥିବା ଘଟଣା ସମ୍ପର୍କରେ ବୟାନରେ କହିଛନ୍ତି ଗୀତାଞ୍ଜଳି। ଏ ହତ୍ୟାକାଣ୍ତରେ ନାରାୟଣଙ୍କ କୌଣସି ସମ୍ପୃକ୍ତି ନଥିବା ସେ କୋର୍ଟରେ ବୟାନ ଦେଇଛନ୍ତି। ମେଡିକାଲ୍‌କୁ ଚିକିତ୍ସା ପାଇଁ ଆସିବା ଏବ˚ ସାଲିଆସାହି, ସୁନାମୁହିଁର ସିସି କ୍ୟାମେରା ଫୁଟେଜ ଯାଞ୍ଚ କରିବାକୁ ବି ଦାବି କରିଛନ୍ତି। ଅନ୍ୟପଟେ ଏହି ତଦନ୍ତର ମାଜିଷ୍ଟ୍ରେଟ୍‌ ନିଜେ ତଦାରଖ କରନ୍ତୁ, ନଚେତ ସତ୍ୟାସତ୍ୟ ପଦାକୁ ଆଣିବା ପାଇଁ ସିବିଆଇକୁ ତଦନ୍ତ ଦାୟିତ୍ବ ଦିଆଯିବାକୁ କୋର୍ଟରେ ସେ ଆବେଦନ କରିଛନ୍ତି।

୨୪ ତାରିଖ ଭୋର ସମୟରେ ପାରଳା ମହାରାଜ ଉଦ୍ୟାନ ସାମନା ଏବ˚ ଓଏମ୍‌ପି ଓଭର ବ୍ରିଜ ତଳେ ଦୁଇଟି ହତ୍ୟାକାଣ୍ତ ଘଟଣାରେ ନୟାଗଡ଼ ସୁନାମୁହିଁ ଗ୍ରାମର ନାରାୟଣକୁ ଗିରଫ କରିଥିବା କମିସନରେଟ୍‌ ପୁଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି ଗୀତାଞ୍ଜଳି। ଭୁବନେଶ୍ବର ସାଲିଆସାହିର ସ୍ବାଇଁ ମଦ ଦୋକାନ ଏବ˚ ନୟାଗଡ଼ର ସୁନାମୁହିଁରେ ଥିବା ପିଏନ୍‌ବି ବ୍ୟାଙ୍କ ବାହାରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ ପାଇଁ ସେ ଗଲାକାଲି ଜେଏମ୍‌ଏଫ୍‌ସି ସିଟି କୋର୍ଟରେ ଆବେଦନ କରିଥିଲେ। ଶୁଣାଣି ଶେଷ ହୋଇ ରାୟ ସ˚ରକ୍ଷିତ ଥିବା ବେଳେ ଆଜି ପୁଣି କମ୍ପ୍ଲେନ୍‌ କେସ୍‌ ଫାଇଲ୍‌ କରିଛନ୍ତି ଗୀତାଞ୍ଜଳି। ଆଜି କୋର୍ଟରେ ତାଙ୍କ ବୟାନ ରେକର୍ଡ କରାଯାଇଛି। ୨୧ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ନାରାୟଣ ସାଲିଆସାହି ଏବ˚ ନୟାଗଡ଼ରେ ଥିବା ସମ୍ପର୍କରେ ସେ ବୟାନ୍‌ରେ ଦର୍ଶାଇଛନ୍ତି। ତାଙ୍କ ସ୍ବାମୀଙ୍କର ହତ୍ୟାକାଣ୍ତ ସହିତ କୌଣସି ସମ୍ପୃକ୍ତି ନଥିବାରୁ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି।

ନାରାୟଣଙ୍କ ପତ୍ନୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ କହିଛନ୍ତି, କଟକରେ ଘଟିଥିବା ହତ୍ୟାକାଣ୍ତ ସହିତ ନାରାୟଣର କୌଣସି ସମ୍ପୃକ୍ତି ନାହିଁ। ପୁଲିସ ତାକୁ ନୟାଗଡ଼ରୁ ଗିରଫ କରିଥିବା କହୁଥିବା ବେଳେ କେସ୍‌ ଡାଏରିରେ ଭୁବନେଶ୍ବର ଖଣ୍ତଗିରିରୁ ଗିରଫ କରାଯାଇଥିବା ଦର୍ଶାଯାଇଛି। ସିସି କ୍ୟାମେରାରୁ ନାରାୟଣ ଗାଁରେ ଥିବା ଜଣାପଡ଼ିଥିବା ବେଳେ ପୁଲିସ କହୁଛି କଟକରେ ମଣିଷ ମାରିଛି। ପୁଲିସ ଏବ˚ ନାରାୟଣ ସାହୁର ପରିବାର ମଧ୍ୟରେ ମାମଲା ଚାଲିଥିବା ବେଳେ ତାଙ୍କ ଜୀବନ ପ୍ରତି ବିପଦ ରହିଛି। ତେଣୁ ନାରାୟଣ ସାହୁଙ୍କ ପରିବାରକୁ ସୁରକ୍ଷା ଦେବାକୁ କୋର୍ଟରେ ଆବେଦନ କରାଯିବ। ନାରାୟଣ ଜଣେ ପାଗଳ ବୋଲି କୋର୍ଟରେ ଦର୍ଶାଯାଇଛି। ତାଙ୍କ ପରିବାର ଲୋକେ ମେଡିକାଲ୍‌କୁ ଚିକିତ୍ସା ପାଇଁ ଆଣିଥିଲେ। କିନ୍ତୁ ଡାକ୍ତରଙ୍କୁ ଦେଖାଇବା ପୂର୍ବରୁ କେଉଁଆଡେ଼ ଫେରାର ହୋଇଯାଇଥିବା କୋର୍ଟକୁ ଅବଗତ କରାଯାଇଥିବା ସମ୍ପର୍କରେ ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର