କ୍ରିକେଟ୍‌ ନେଲା ଜୀବନ: ବାପା ଡାକ ଶୁଣିବା ଆଗରୁ ଚାଲିଗଲେ ନାରାୟଣ, ନବବଧୂ ରୀତାଙ୍କ ମଥାରୁ ଲିଭିଗଲା ସିନ୍ଦୂର 

ଏକ ମାତ୍ର ପୁଅକୁ ହରାଇ ବାପା ମା' ଚେତାଶୂନ୍ୟ

ବେଗୁନିଆପଡ଼ା: ଦଇବ ଦାଉ ସାଧିଲା। ଯେଉଁ କ୍ରିକେଟ୍‌ ଖେଳକୁ ସେ ଜୀବନଠୁ ଅଧିକ ଭଲ ପାଉଥିଲେ ସେହି ଖେଳ ହିଁ ତାଙ୍କ ପାଇଁ କାଳ ସାଜିଲା। କ୍ରିକେଟ୍‌ ଖେଳିବା ବେଳେ ଟଳି ପଡ଼ିଥିବା ନାରାୟଣଙ୍କ ବାହାଘରକୁ ପୂରି ଥିଲା ମାତ୍ର ୧୦ ମାସ। ହସଖୁସିରେ ଚାଲିଥିଲା ନୂଆ ସଂସାର। ମନରେ ଥିଲା ଅନେକ ଆଶା ଓ ସ୍ବପ୍ନ। ଆଉ ମାସେ ପ‌ରେ ଶୁଣିଥାନ୍ତେ ବାପା ଡାକ। ହେଲେ ବିଧିର ବିଧାନ କିଛି ଅଲଗା ଥିଲା। ନୂଆ ଅତିଥି ସଂସାରକୁ ଆସିବା ପୂର୍ବରୁ ବାପାର ଛାୟା ତା’ର ମୁଣ୍ଡ ଉପରୁ ଚାଲିଗଲା। ଆଉ ନବବିବାହିତା ପତ୍ନୀ ମଥାରୁ ମଧ୍ୟ ଲିଭିଗଲା ସିନ୍ଦୁର।

ସେହିପରି ଗୋଟିଏ ବୋଲି ପୁଅକୁ ହରାଇବା ପରେ ବାପାମା’ ମାନସିକ ଭାବେ ଭାଙ୍ଗି ପଡ଼ିଛନ୍ତି। କାରଣ ପୁଅ ଆଉ ସେହି ଅଫେରା ରାଇଜରୁ ଫେରିବନି ବୋଲି ଏହି ସତ୍ୟକୁ ସେମାନେ ଗ୍ରହଣ କରିବାକୁ ବାଧ୍ୟ ହୋଇଛନ୍ତି। ଗତକାଲି କ୍ରିକେଟ୍ ଖେଳୁଥିବା ବେଳେ ନାରାୟଣଙ୍କ ଅକାଳ ବିୟୋଗକୁ ପରିବାରବର୍ଗ କଣ, ଗ୍ରାମବାସୀ ବି ସହଜରେ ଗ୍ରହଣ କରିପାରୁନାହାନ୍ତି। ପୂରା ଗ୍ରାମ ସ୍ତବ୍ଧ। ସମସ୍ତଙ୍କ ମୁହଁରେ ଗୋଟିଏ କଥା, ଏତେବଡ଼ ଘଟଣା କେମିତି ଘଟଣା ଘଟିଲା ଓ ଦଇବ ଏମିତି କାହିଁକି ଦାଉ ସାଧିଲା ? ଆଜି ଶୋକାକୁଳ ପରିବେଶ‌ରେ ତାଙ୍କର ଅନ୍ତିମର ସଂସ୍କାର ସଂପନ୍ନ ହୋଇଛି।

ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଚିଙ୍ଗୁଡ଼ିଖୋଲ ଗ୍ରାମର ଗନ୍ତେଇ ଗୌଡ଼ ଓ ଭାନୁଙ୍କ ଏକ ମାତ୍ର ପୁଅ ଥିଲେ ନାରାୟଣ। ୩ ଭଉଣୀଙ୍କ ଭିତରେ ଗୋଟିଏ ମାତ୍ର ଭାଇ ହୋଇଥିବାରୁ ସେ ‌ପରିବାରର ଗେହ୍ଲା ପୁଅ ଥିଲେ। ୧୦ ମାସ ତଳେ ଉଜ୍ଜ୍ବଳପଲ୍ଲୀ ଗ୍ରାମର ରୀତାଙ୍କ ସହ ସେ ବିବାହ କରିଥିଲେ। ରୀତା ୯ ମାସର ଗର୍ଭବତୀ ଥିବାରୁ ବାପ ଘରକୁ ଚାଲି ଆସିଥିଲେ। ଦୁଇ ଦିନ ତଳେ ଶ୍ବଶୁର ଘର ଲୋକେ ପାରମ୍ପରିକ ପିଠା ନେଇ ରୀତାଙ୍କ ପାଖକୁ ଯାଇଥିଲେ। ମାସକ ପରେ ରୀତା ପ୍ରସବ ତାରିଖ ଥିବାରୁ ନାରାୟଣ ବେଶ୍ ଖୁସି ଥିଲେ।

ଗତକାଲି ନାରାୟଣ ତାଙ୍କ ସାଙ୍ଗମାନଙ୍କ ସହ ବୁରୁଝରୀ ସ୍ଥିତ ବାଲିବଣ ଠାରେ ଥିବା ପଡ଼ିଆକୁ ଟୁର୍ନାମେଣ୍ଟ୍ ଖେଳିବାକୁ ଆସିଥିଲେ। ବ୍ୟାଟିଂ କରୁଥିବା ବେଳେ ରନ୍ ସଂଗ୍ରହ ପାଇଁ କ୍ରିଜ୍‌ ଉପରେ ଦୌଡ଼ୁଥିବା ସମୟରେ ହଠାତ୍ ଭାରସାମ୍ୟ ହରାଇ ପଡ଼ିଯିବାରୁ ବ୍ୟାଟ୍ ହ୍ୟାଣ୍ଡେଲ୍ ତାଙ୍କ ଛାତିରେ ବାଜି ଯାଇଥିଲା। ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ସୁମଣ୍ଡଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ସେଠାରୁ ଖଲ୍ଲିକୋଟ ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ନାରାୟଣ ସେଠାରେ ଚିରଦିନ ପାଇଁ ଆଖି ବୁଜି ଦେଇଥିଲେ।

ଆଜି ଶବ ବ୍ୟବଚ୍ଛେଦ ହୋଇ ଚିଙ୍ଗୁଡ଼ିଖୋଲରେ ପହଞ୍ଚିବା ପରେ ‌ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଗୋଟିଏ ମାତ୍ର ପୁଅର ଶବକୁ ଦେଖି ବାପାମା’ ଓ ପତ୍ନୀ ରୀତା ‌ବେହୋସ୍ ହୋଇଯିବା ଦୃଶ୍ୟ ଅତି ହୃଦୟବିଦାରକ ଥିଲା। ଗ୍ରାମବାସୀ ବି କୋହ ସମ୍ଭାଳି ପାରି ନଥିଲେ। ବହୁ ସାଙ୍ଗ ଓ ଖେଳାଳି ନାରାୟଣଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ଅନ୍ତିମ ସତ୍କାର ସଂପନ୍ନ କରାଯାଇଥିଲା। ନାରାୟଣ ଜଣେ ଭଲ ଅଲରାଉଣ୍ଡର୍ ଭାବେ ପରିଚିତ ଥି‌ଳେ। ଜିଲ୍ଲାର ବିଭିନ୍ନ ସ୍ଥାନରେ କ୍ରିକେଟ୍ ଖେଳି ସେ ନାମ କମାଇଥିଲେ। ତାଙ୍କ ବିୟୋଗରେ କ୍ରୀଡ଼ାବିତଙ୍କ ମହଲ‌ରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର