ବିଜେଡି ଶିବିରରେ ନାରାୟଣ ସାହୁ

ବିଜେପୁର ରାଜନୀତି

ଭୁବନେଶ୍ୱର,: ୩ ଅକ୍ଟୋବର ୨୦୧୭। ସ୍ଥାନ, ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ବାସଭବନ। ବରଗଡ଼ ବିଜେପି ଜିଲ୍ଲା ସଭାପତି ନାରାୟଣ ସାହୁ ଗଣମାଧ୍ୟମକୁ କହିଲେ, ମୁଁ ବିଜେପିର ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା। ଦଳରେ ଥିଲି, ଅଛି ଓ ରହିବି। ବିଜେପୁର ଉପନିର୍ବାଚନରେ ବିଜେପିର ବିଜୟ ମୋର ପ୍ରାଥମିକତା ହେବ। ଦେଢ଼ ମାସ ପରେ। ୨୧ ନଭେମ୍ବର ୨୦୧୭। ସ୍ଥାନ, ନବୀନ ନିବାସ। ନାରାୟଣ ସାହୁ ଗଣମାଧ୍ୟମକୁ କହିଲେ, ବିଜେପିରେ ନୀତି, ନୈତିକତା ନାହିଁ। ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶ ମୋତେ ଅନୁପ୍ରାଣିତ କରିଛି। ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ବିଜୟ ପାଇଁ ମୁଁ କାମ କରିବି। ବିଜେପୁର ଉପନିର୍ବାଚନ ପୂର୍ବରୁ ବିଜେଡି ଓ ବିଜେପି ମଧ୍ୟରେ ଚାଲିଥିବା

ବଳ କଷାକଷିରେ ଆଉ ଏକ ଦୃଶ୍ୟ ଆଜି ଦେଖିବାକୁ ମିଳିଛି। ଅଶୋକ ପାଣିଗ୍ରାହୀଙ୍କୁ ଦଳରେ ମିଶାଇଲା ପରେ ରାଜ୍ୟ ନେତୃତ୍ୱ ଉପରେ ଅସନ୍ତୁଷ୍ଟ ଥିବା ଜିଲ୍ଲା ସଭାପତି ଶ୍ରୀ ସାହୁ ଶେଷରେ ବିଜେପିରୁ ଇସ୍ତଫା ଦେଇଛନ୍ତି। ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ବିଜେଡିରେ ମିଶିବେ ବୋଲି ସୂଚନା ଦେଇଛନ୍ତି। ୩ ତାରିଖରେ ବିଜେପୁରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇ ସେଠାରେ ସେ ବିଧିବଦ୍ଧ ଭାବେ ମିଶିବେ। ତେବେ ନାରାୟଣଙ୍କ ଇସ୍ତଫା ମିଳିନାହିଁ, ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି ବୋଲି ବିଜେପି ଯୁକ୍ତି ବାଢ଼ିଛି। ବରଗଡ଼ର ନୂଆ ଜିଲ୍ଲା ସଭାପତି ଡକ୍ଟର୍‌ ଅରୂପାନନ୍ଦ ସାହୁଙ୍କ ନାମ ବି ଘୋଷଣା କରାଯାଇଛି।

ଏହି ପ୍ରସଙ୍ଗରେ ବିଜେଡି-ବିଜେପି ବୟାନ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା ବେଳେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର କଟା ଘା’ରେ ଚୂନ ମାରିଛନ୍ତି। କହିଛନ୍ତି, ବିଜେପିକୁ ଅହଙ୍କାରର ଚକଡ଼ା ପୋକ ଲାଗିଛି। ଏଥିପାଇଁ ଦଳର ବହୁତ କ୍ଷତି ହେଉଛି। ପୂର୍ବରୁ ଦୁଇଟି ଜିଲ୍ଲାରେ ଜିଲ୍ଲା ସଭାପତି ପଦ ଛାଡ଼ିଥିଲେ। ଏବେ ବରଗଡ଼ ପାଳି ପଡ଼ିଲା। ତେଣୁ ଦଳ ଏହାର ଆତ୍ମସମୀକ୍ଷା କରିବାର ଆବଶ୍ୟକତା ରହିଛି। ବିଧାୟକ ସୁବଳ ସାହୁଙ୍କ ବିୟୋଗ ପରେ ବିଜେଡି ଓ ବିଜେପି ମଧ୍ୟରେ ଅନ୍ୟ ଦଳର ନେତାଙ୍କୁ ମିଶାଇବା ପ୍ରକ୍ରିୟା ଜାରି ରହିଛି। ସ୍ୱର୍ଗତ ସାହୁଙ୍କ ପତ୍ନୀ ରୀତା ସାହୁଙ୍କୁ ବିଜେଡି ନିଜ ଆଡ଼କୁ ନେଲା ପରେ ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀଙ୍କୁ ବିଜେପି ଆଦରି ନେଲା। ଶ୍ରୀ ପାଣିଗ୍ରାହୀଙ୍କ ମିଶ୍ରଣକୁ ବିରୋଧ କରି ଜିଲ୍ଲା ବିଜେପି ସଭାପତି ନାରାୟଣ ସାହୁ ଇସ୍ତଫା ଦେଇଥିଲେ। ତେବେ ଭୁବନେଶ୍ୱରରେ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ଘରେ ତାଙ୍କୁ ବୁଝାସୁଝା କରାଯାଇଥିଲା। ଏହା ପରେ ସେ ଇସ୍ତଫା ପ୍ରତ୍ୟାହାର କରିବା ସହ ଦଳ ଛାଡ଼ିବେନି ବୋଲି ଜୋର୍‌ ଦେଇଥିଲେ। ଦୁଇ ଦିନ ତଳେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଜିଲ୍ଲା ସଭାପତିମାନଙ୍କ ବୈଠକରେ ଶ୍ରୀ ସାହୁ ଯୋଗ ଦେଇଥିଲେ। ଚାଷୀଙ୍କ ସମସ୍ୟା ସମ୍ପର୍କିତ ଆଲୋନାରେ ଭାଗ ନେଇଥିଲେ। କିନ୍ତୁ ସେ ଦଳ ଛାଡ଼ିବା ନେଇ କେହି ସୁରାକ୍‌ ପାଇ ନ ଥିଲେ। ଆଜି ପୂର୍ବାହ୍ନରେ ହଠାତ୍‌ ଶ୍ରୀ ସାହୁଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିଥିଲା। ସାଙ୍ଗରେ ଥିଲେ ସାଂସଦ ନଗେନ୍ଦ୍ର ପ୍ରଧାନ ଓ ବିଧାୟକ ଦେବୀ ମିଶ୍ର। ନବୀନଙ୍କ ସହ ଆଲୋଚନା ସାରି ବାହାରିଲା ବେଳେ ଶ୍ରୀ ସାହୁ ବିଜେପିର କାର୍ଯ୍ୟଧାରା ନେଇ ଭୀଷଣ କ୍ଷୋଭ ପ୍ରକାଶ କରିଥଲେ। ସେ କହିଲେ, ବିଜେପିରେ ତ୍ୟାଗ, ତପସ୍ୟାର ମୂଲ୍ୟ ନାହିଁ। ୨୦ ବର୍ଷ ଧରି ଦଳ ପାଇଁ ତ୍ୟାଗ କରିଥିଲେ ବି ଦଳର ତା’ର ମୂଲ୍ୟ ବୁଝିଲା ନାହିଁ। ବିଜେପିର ଆଦର୍ଶ ବୋଲି କିଛି ନାହିଁ। ସେଠି ଅହଙ୍କାରର ରାଜୁତି ଚାଲିଛି। ମୁଁ ଅଣନିଃଶ୍ୱାସୀ ହୋଇ ଦଳ ତ୍ୟାଗ କଲି। କେନ୍ଦ୍ରରେ ବିଜେପି ସରକାର ଆସିଲା ପରେ ଚାଷୀଙ୍କ ପାଇଁ କିଛି ଭଲ କାମ କରିବେ ବୋଲି ଆଶା କରିଥିଲି। ତାହା ବି ହେଲା ନାହିଁ। ମୁଁ ପୂର୍ବରୁ ଜନତା ଦଳରେ ଥିଲି। ଏବେ ପୁଣି ଘରକୁ ବାହୁଡ଼ି ଆସିଲି।ଟିକେଟ୍‌ ପାଇଁ ଆଶାୟୀ କି ବୋଲି ପ୍ରଶ୍ନ ହେବାରୁ ଶ୍ରୀ ସାହୁ କହିଲେ, ସେମିତି ଆଶା ମୋର ନାହିଁ। ଶୃଙ୍ଖଳିତ ହୋଇ କାମ କରିବି। ବିଜେପୁରରେ ରୀତା ସାହୁଙ୍କ ବିଜୟ ହିଁ ମୋର ଲକ୍ଷ୍ୟ।

ଅପରପକ୍ଷରେ ଶ୍ରୀ ସାହୁଙ୍କୁ ଦଳରୁ ବହିଷ୍କାର କରାଯାଇଛି ବୋଲି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା। ଶ୍ରୀ ସାହୁଙ୍କ ଇସ୍ତଫାପତ୍ର ମିଳି ନାହିଁ। ତେବେ ସେ ଦଳ ଅନୁଶାସନ ଭଙ୍ଗ କରିଥିବା କାରଣରୁ ତାଙ୍କୁ ବହିଷ୍କାର କରାଯାଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଶ୍ରୀ ସାହୁ ଦଳରୁ ଗଲା ପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ବିଜେପି କୌଣସି ବ୍ୟକ୍ତିଙ୍କୁ ନେଇ ଚାଲେ ନାହିଁ, ଏଠି ଦଳ ଓ ଆଦର୍ଶ ବଡ଼ ବୋଲି ସେ କହିଛନ୍ତି। ବିଜେପି ମୁଖପାତ୍ର ସଜ୍ଜନ ଶର୍ମା ଆଉ ପାଦେ ଆଗେଇ ଯାଇ ନାରାୟଣ ସାହୁଙ୍କ ନାମରେ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଶ୍ରୀ ସାହୁଙ୍କ ପୁଅ ନାମରେ ଫୌଜଦାରୀ ମାମଲା ଅଛି। ସେଥିରୁ ସେ ବର୍ତ୍ତିବା ପାଇଁ ବିଜେଡିର ଶରଣ ପଶିଛନ୍ତି। ପାଲଟା ଜବାବ ଦେଇ ବିଜେଡି ମୁଖପାତ୍ର ପ୍ରଶାନ୍ତ ନନ୍ଦ କହିଛନ୍ତି, ଶ୍ରୀ ସାହୁ ବିଜେପିରେ ଥିଲା ବେଳେ ମାମଲା ସମ୍ପର୍କରେ କ’ଣ ସେମାନେ ଜାଣି ନ ଥିଲେ। ବରଗଡ଼ରେ ସ୍ଥିତି ଦୟନୀୟ ହୋଇଯାଇଥିବାରୁ ବିଜେପି ନେତାମାନେ ମନଇଚ୍ଛା ମନ୍ତବ୍ୟ ଦେଉଛନ୍ତି।

ସମ୍ବନ୍ଧିତ ଖବର