ନବରଙ୍ଗପୁର, : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ୍‌ର ପୂର୍ବତନ ବିଡିଓ ଅକ୍ଷମିତା କାର୍ତ୍ତିକ ନିଲମ୍ବିତ ହୋଇଛନ୍ତି। ଏ ନେଇ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସରକାରୀ ନିୟମକୁ ଉଲ୍ଲଂଘନ କରିଥିବାରୁ ତାଙ୍କ ବିରୋଧରେ ଶଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଉକ୍ତ ଆଦେଶ ପତ୍ରରେ ଉଲ୍ଲେଖ କରାଯାଇଛି।

Advertisment

ବର୍ତ୍ତମାନ ଅକ୍ଷମିତା କାର୍ତ୍ତିକ କୋରାପୁଟ ଜିଲ୍ଲା ନାରାୟଣପାଟଣା ବିଡିଓ ଭାବେ କାର୍ଯ୍ୟରତ ଅଛନ୍ତି। ଗତକାଲି ନିଲମ୍ବନ ସଂପର୍କିତ ଯେଉଁ ଆଦେଶ ଦିଆଯାଇଥିଲା, ସେଥିରେ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୋଗଦେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଆଜି ସେହି ନିର୍ଦ୍ଦେଶକୁ ସଂଶୋଧନ କରାଯାଇଛି। ନୂଆ ଚିଠି ଅନୁସାରେ କୋରାପୁଟ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଯୋଗଦେବାକୁ କୁହାଯାଇଛି। କେଉଁ କାରଣରୁ ଅକ୍ଷମିତାଙ୍କୁ ପଞ୍ଚାୟତିରାଜ ବିଭାଗ ନିଲମ୍ବନ କରାଗଲା, ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ। ନବରଙ୍ଗପୁର ଜିଲ୍ଲାରୁ ବଦଳି ହୋଇ ଯିବାପରେ ଏଭଳି କାର୍ଯ୍ୟାନୁଷ୍ଠାନ ଚର୍ଚ୍ଚାକୁ ସରଗରମ କରିଛି।

ସୂଚନା ଅନୁସାରେ, ନବରଙ୍ଗପୁର ଜିଲ୍ଲାର ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ କାଳେ ଅକ୍ଷମିତାଙ୍କ ବିବାଦ ରହିଥିଲା। ସେହି କାରଣରୁ ନିଲମ୍ବନ କରାଗଲା ବୋଲି ସରକରୀ କର୍ମଚାରୀଙ୍କ ମଧ୍ୟରେ ଆଲୋଚନା ହେଉଛି। ସେହିପରି କୋଭିଡ୍‌ ସମୟରେ କୌଣସି ଅନିୟମିତତା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ବୋଲି ବି କୁହାଯାଉଛି। ଏମିତି ଭିନ୍ନ ଭିନ୍ନ ମତ ମଧ୍ୟରେ ନିଲମ୍ବନ ଆଦେଶରେ କୌଣସି କାରଣ ଉଲ୍ଲେଖ ନ ହେବା ଦ୍ବନ୍ଦ୍ବକୁ ବଢ଼ାଉଛି।