ନାରାୟଣପାଟଣା ଏନ୍‌କାଉଣ୍ଟର : ମିଳିଲା ୪ ମହିଳା ମାଓବାଦୀଙ୍କ ଶବ

କୋରାପୁଟ : କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଡକରା ଘାଟିରେ ଗତକାଲି ହୋଇଥିବା ଏନ୍‌କାଉଣ୍ଟରରେ ପୁଲିସକୁ ମିଳିଛି ବଡ଼ ସଫଳତା। ପୁଲିସ ମାଓକ୍ୟାମ୍ପକୁ ଧ୍ୱସ୍ତ କରିଦେବା ସହ ୪ଜଣ ମହିଳା ମାଓବାଦୀଙ୍କ ଶବ ଉଦ୍ଧାର କରିଛି। ଘଟଣାସ୍ଥଳରୁ ବହୁ ବନ୍ଧୁକ, ଗୁଳି ସହ ବିଭିନ୍ନ ମାଓ ସାମଗ୍ରୀ ଉଦ୍ଧାର କରିଛି। ତେବେ ଏନ୍‌କାଉଣ୍ଟର ବେଳେ କ୍ୟାମ୍ପରେ ଥିବା ମାଓନେତ୍ରୀ ଅରୁଣା ଖସି ଯାଇଛି। ମୃତ ମାଓବାଦୀଙ୍କ ମଧ୍ୟରୁ ୩ଜଣକୁ ଚିହ୍ନଟ କରାଯାଇଥିବା ବେଳେ ଅନ୍ୟ ଜଣଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି।

କୋରାପୁଟ ଏସପି ଡଃ କନଓ୍ଵର ବିଶାଳ ସିଂହଙ୍କ ସୂଚନା ଅନୁସାରେ, ନାରାୟଣପାଟଣାରେ ମାଓ କ୍ୟାମ୍ପ ଚାଲିଥିବା ନେଇ କୋରାପୁଟ ପୁଲିସ ପାଖରେ ଖବର ପହଞ୍ଚିଥିଲା। ଏହା ପରେ ଏସ୍‌ପିଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍‌ ଗତକାଲି ଅପରେସନ୍‌ରେ ବାହାରିଥିଲା। ଏଥିରେ ଡିଭିଏଫ୍‌ ଓ ଏସ୍‌ଓଜି ଯବାନମାନେ ସାମିଲ ହୋଇଥିଲେ। ଯବାନଙ୍କୁ ଦେଖି ମାଓବାଦୀମାନେ ଆକ୍ରମଣ ଆରମ୍ଭ କରି ଦେଇଥିଲେ।

ପରେ ପୁଲିସ ମଧ୍ୟ ପାଲଟା ଆକ୍ରମଣ କରିଥିଲା। ରାତି ପ୍ରାୟ ୯ଟା ବେଳେ ଏହି ଗୁଳି ବିନିମୟ ଏକ ଘଣ୍ଟା ଧରି ଚାଲିଥିଲା। ଏଥିରେ ୪ଜଣ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ଏମାନଙ୍କ ମଧ୍ୟରେ ଜଣେ ଏରିଆ କମିଟି ମେମ୍ବର ରହିଛନ୍ତି। ସେ ହେଲେ ଛତିଶଗଡ ସୁକମା ଜିଲ୍ଲା ରାଗଡାକଟା ଗ୍ରାମର ଉଙ୍ଗି ଓରଫ ହାରତି। ସେହିପରି ଅନ୍ୟ ୨ଜଣ ମାଓବାଦୀ କୁମାରୀ ଏବଂ ରବିତା ବୋଲି ଚିହ୍ନଟ କରାଯାଇଛି। ଏମାନଙ୍କ ଘର ମଧ୍ୟ ଛତିଶଗଡ଼ରେ।

ପୁଲିସ ସହ ମାଓବାଦୀଙ୍କ ଏହି ଗୁଳି ବିନିମୟରେ କିଛି କ୍ୟାଡର ମାଓବାଦୀ ଆହତ ହୋଇଥିବା ଜଣାପଡିଛି। ଜଙ୍ଗଲରେ ଏବେ ବି ସର୍ଚ୍ଚ ଅପରେସନ ଚାଲିଛି। ଆଖପାଖ ଅଂଚଳରେ ଜୋରଦାର କମ୍ବିଂ ଚାଲିଛି। ମୃତାହତଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି। ତେବେ ଏଥିରେ କୌଣସି ଯବାନ ଆହତ ହୋଇନାହାନ୍ତି। ଅପରପକ୍ଷରେ କିଛି ଆଗ ଧାଡ଼ିର ମାଓବାଦୀ ଅଳ୍ପକେ ଖସି ଯିବାରେ ସମର୍ଥ ହୋଇଛନ୍ତି। କ୍ୟାମ୍ପରେ ମାଓନେତ୍ରୀ ଅରୁଣାଙ୍କ ସମେତ ପାଖାପାଖି ୧୫ଜଣ କ୍ୟାଡର ମାଓବାଦୀ ଥିଲେ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର