ନାରାୟଣଙ୍କ ଭରସାରେ ନାରାୟଣପାଟଣା ରୋଗୀ: ପୁଣି ଆଖିବୁଜିଲେ ୨ଶିଶୁ

ନାରାୟଣପାଟଣା: ସରକାରୀ ଡାକ୍ତରଖାନା ଅଛି। କିନ୍ତୁ ନିର୍ଭର କରିପାରୁନାହାନ୍ତି ରୋଗୀ। ଏମିତି ସ୍ଥିତିରେ ଗତ ୪୮ଘଣ୍ଟା ମଧ୍ୟରେ ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ଖବର ମିଳିଛି। ତେଣୁ ନାରାୟଣଙ୍କ ଭରସାରେ ରହିଛନ୍ତି ନାରାୟଣପାଟଣା ବ୍ଲକ୍‌ର ରୋଗୀ। ଗତ ୧୦ଦିନ ମଧ୍ୟରେ ବ୍ଲକର ମୋଟ ୬ଜଣ ଶିଶୁଙ୍କ ମୃତ୍ୟୁ ହୋଇସାରିଲାଣି। ପୂର୍ବରୁ ୩ ଶିଶୁ ନିମୋନିଆ ଏବଂ ଜଣେ ଶିଶୁ ରକ୍ତଶିକୁଳିରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ। ଆଜି ମିଳିଥିବା ସୂଚନା ଅନୁସାରେ ବୋରିଗି ପଞ୍ଚାୟତ ଅନ୍ତର୍ଗତ ଜାମଡ଼ାବାଲସା ଗାଁର ସେଙ୍କରାଓ ତମ ତିଡ଼ିଙ୍ଗିଙ୍କ ୫ବର୍ଷର ପୁଅ ଇସାକ ତାଡ଼ିଙ୍ଗି ଗତକାଲି ବ୍ରହ୍ମପୁରରେ ମୃତ୍ୟୁବରଣ କରିଛନ୍ତି। ସେହିପରି ବିକ୍ରମପୁର ଗାଁର ସାଇବେଣୀ ପଞ୍ଚଡିଆଙ୍କ ୫ବର୍ଷର ଝିଅ ଗତକାଲି ଜ୍ବରରେ ଆକ୍ରାନ୍ତ ହୋଇଥିଲା। ଆଜି ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁକନ୍ୟାର ମୃତ୍ୟୁ ହୋଇଛି। ଶିଶୁଙ୍କ ମୃତ୍ୟୁ ସ୍ବାସ୍ଥ୍ୟ ବିଭାଗର ନିଦ ହଜାଇ ଦେଇଥିଲା ବେଳେ ଗୋଟିଏ ଟିମ୍‌ ଶିଶୁ ମୃତ୍ୟୁର କାରଣ ଖୋଜିବା ଜାରି ରଖିଛି।

ନାରାୟଣଙ୍କ ଭରସାରେ ନାରାୟଣପାଟଣା ରୋଗୀ
ଆବଶ୍ୟକ ୨୩, ଅଛନ୍ତି ୫ ଡାକ୍ତର

ନାରାୟଣପାଟଣା ବ୍ଲକ୍‌ର ୫୦ହଜାରରୁ ଅଧିକ ଲୋକଙ୍କ ପାଇଁ ଏଠାରେ ଯଦିଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। କିନ୍ତୁ ସେଥିରେ ବର୍ଷ ବର୍ଷ ଧରି ଡାକ୍ତର ମରୁଡ଼ି ପରିଲକ୍ଷିତ ହୋଇଛି। ଅଧିକାଂଶ ରୋଗୀଙ୍କୁ ୮୦ କିଲୋମିଟର ଦୂର କୋରାପୁଟ ଏସ୍‌ଏଲ୍‌ଏନ୍‌ ମେଡିକାଲ କଲେଜକୁ ପଠାଇ ଦିଆଯାଉଛି। ବିଶେଷଜ୍ଞ ଡାକ୍ତର ନଥିବାରୁ ରୋଗୀ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଘରୋଇ ଡାକ୍ତରଖାନା ଉପରେ ମଧ୍ୟ ନିର୍ଭର କରୁଛନ୍ତି। ସେହିପରି ଦୁର୍ଗମ ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ବିଭାଗର ଟିମ୍‌ ନିୟମିତ ଭାବେ ପହଞ୍ଚି ପାରୁନି। ତେଣୁ କିଛି କ୍ବାକ୍‌ ଡାକ୍ତର ସାଜି ରୋଗୀଙ୍କୁ ଚିକିତ୍ସା କରୁଛନ୍ତି। ୧୧ଶଯ୍ୟା ବିଶିଷ୍ଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ବି ବିଶେଜ୍ଞ ଡାକ୍ତର ନାହାନ୍ତି। ମୋଟ ୨୩ ପଦବି ମଧ୍ୟରୁ ମାତ୍ର ୫ଟି ଡାକ୍ତର ପଦବି ପୂରଣ ହୋଇପାରିଛି। ଏହାବ୍ୟତୀତ ୩ଟି ପୁରୁଷ ସ୍ବାସ୍ଥ୍ୟ ପରିଦର୍ଶକ ଓ ଦୁଇଟି ମହିଳା ସ୍ବାସ୍ଥ୍ୟ ପରିଦର୍ଶକ ପଦବି ଖାଲି ପଡ଼ିଛି।

ପୁଣି ଜଣେ ଡିପ୍‌ଥେରିଆ ଆକ୍ରାନ୍ତ ମୃତ, ଏମ୍‌କେସିଜିରେ ପୂର୍ବରୁ ୨ଜଣଙ୍କ ମୃତ୍ୟୁ ଘଟିଥିଲା

ବ୍ରହ୍ମପୁର: ବ୍ରହ୍ମପୁର ଏମ୍‌କେସିଜି ବଡ଼ ମେଡିକାଲରେ ପୁଣି ଜଣେ ଡିପ୍‌ଥେରିଆ ଆକ୍ରାନ୍ତ ଶିଶୁର ମୃତ୍ୟୁ ଘଟିଛି। ମୃତ ଶିଶୁ ଜଣକ ହେଲେ କୋରାପୁଟ ଜିଲ୍ଲା ନାରାୟଣପାଟଣା ଅଞ୍ଚଳର ଲେଙ୍କନ ତାଡ଼ିଙ୍ଗିଙ୍କ ପୁଅ ଇସାବ (୯)। ଶିଶୁଟି କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ରେଫର୍‌ ହୋଇ ଆସିଥିଲା। ତାଙ୍କ ଅବସ୍ଥା ଗୁରୁତର ଥିଲା। ଏମ୍‌କେସିଜିରେ ଭର୍ତ୍ତି ହେବା ପରେ ତୁରନ୍ତ ଶିଶୁର ଚିକିତ୍ସା ଆରମ୍ଭ କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଥିବା ଶିଶୁରୋଗ ବିଭାଗ ପ୍ରଫେସର ନରେନ୍ଦ୍ର ବେହେରା ସୂଚନା ଦେଇଛନ୍ତି। ପୂର୍ବରୁ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ଗତ ୧୩ ଓ ୧୯ରେ ଦୁଇଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର