କରୋନା ପାଇଁ ବନ୍ଦ ହେଲା ୫୦ ବର୍ଷର ପରମ୍ପରା, ନାରାୟଣୀ ଯାତ୍ରା ପାଇଁ ଆଜି ହୋଇଥାନ୍ତା ଶୁଭସ୍ତମ୍ଭ ସ୍ଥାପନ

ଫୁଲବାଣୀ:କରୋନା ପାଇଁ ବନ୍ଦ ହେଲା ୫୦ ବର୍ଷର ପରମ୍ପରା ଯାତ୍ରା ଫୁଲବାଣୀର ପ୍ରସିଦ୍ଧ ନାରାୟଣୀ ଯାତ୍ରା। ନାରାୟଣୀ ଯାତ୍ରା ପାଇଁ ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତିରେ ହୋଇଥାଏ ଶୁଭସ୍ତମ୍ଭ ସ୍ଥାପନ। ଅର୍ଥାତ ଯାତ୍ରାର ଶୁଭାରମ୍ଭ ଆଜିଠାରୁ ଆରମ୍ଭ ହୋଇଥାଏ। ତାପରେ ଅକ୍ଷୟ ତୃତୀୟାଠାରୁ ଯାତ୍ରା ମହାସମାରୋହରେ ଆରମ୍ଭ ହୋଇ ମାସେ ପର୍ଯ୍ୟନ୍ତ ଚାଲିଥାଏ। ଏଥି ନିମନ୍ତେ ସମଗ୍ର ଫୁଲବାଣୀରେ ଆଧ୍ୟାତ୍ମିକ ପରିବେଶ ସାଙ୍ଗକୁ ପାର୍ବଣ ମାହୋଲ ସୃଷ୍ଟି ହୋଇଥାଏ। ହେଲେ କରୋନା ପାଇଁ ଏହା ଆଜି ଯାତ୍ରାର ଅୟମାରମ୍ଭ ଶୁଭସ୍ତମ୍ଭ ସ୍ଥାପନ ହୋଇ ପାରିନାହିଁ। ଯାହା ଫଳରେ ଚଳିତ ବର୍ଷ ନାରାୟଣୀ ଯାତ୍ରା ବନ୍ଦ ହେବା ଏକରକମ ନିଶ୍ଚିତ ହୋଇ ଯାଇଛି। କରୋନା ଲକ ଡାଉନ ପାଇଁ ଆଜି ମନ୍ଦିର ଖାଖାଁ ଥିବା ବେଳେ ଆଜିର ଦିନରେ କୋଳାହଳରେ କମ୍ପୁଥିବା ଯାତ୍ରା ପଡିଆ ଶୂନଶାନ ହୋଇ ପଡିଥିବା ଦେଖିବାକୁ ମିଳିଥିଲା।

ଫୁଲବାଣୀର ପ୍ରସିଦ୍ଧ ମା’ନାରାୟଣୀ ଯାତ୍ରା ଦୁଇ ବର୍ଷରେ ଥରେ ଏହି ଯାତ୍ରା ହୁଏ। ଏହାକୁ କେବଳ କନ୍ଧମାଳ କାହିଁକି ଯାତ୍ରାର ମଜା ଉଠାଇବାକୁ ବାହାର ଜିଲ୍ଲା ଓ ରାଜ୍ୟରୁ ବି ଲକ୍ଷାଧିକ ଲୋକ ଆସିଥାନ୍ତି। ପ୍ରତ୍ୟହ ସଂଧ୍ୟାରେ ମା’ କାଳୀଙ୍କ ସହ ପଞ୍ଚ ଠାକୁରାଣୀ ନଗର ପରିକ୍ରମା କରନ୍ତି। ସାହିସାହି ବୁଲି ମା ଭକ୍ତଙ୍କୁ ଦର୍ଶନ ଦେଇଥାଏ। ଯାତ୍ରା ଅବସରରେ ମୀନାବଜାର ପଡେ। ବିଭିନ୍ନ ନାମୀଦାମୀ ମେଲୋଡି ପାର୍ଟି ଆସିଥାନ୍ତି। ଏଥି ସହ ରାଜ୍ୟର ପ୍ରମୁଖ ବ୍ୟକ୍ତି ବିଶେଷ ବିଭିନ୍ନ ସଂଧ୍ୟାରେ ଅତିଥି ଭାବେ ଯୋଗ ଦେଇଥାଏ। ୨ ବର୍ଷରେ ଥରେ ଏହି ଯାତ୍ରା ହେଉଥିବାରୁ ଏହାକୁ ଉପଭୋଗ କରିବା ନିମନ୍ତେ ସମଗ୍ର ଜିଲ୍ଲାବାସୀ ଆଜିର ଦିନକୁ ଚାହିଁ ବସିଥାନ୍ତି।

ମନ୍ଦିର ଖାଁଖାଁ,କୋଳାହଳ ଯାତ୍ରା ପଡିଆ ଶୂନଶାନ

ଯାତ୍ରାର ଯଥେଷ୍ଟ ଅବ୍ୟବହିତ ପୂର୍ବରୁ ସୁପରିଚାଳନା ନିମନ୍ତେ ଯାତ୍ରା କମିଟି ଗଠନ କରାଯାଏ। କାର୍ଯ୍ୟକର୍ତ୍ତା ଚୟନ ପାଇଁ ନିର୍ବାଚନ ଅନୁଷ୍ଠିତ ହୁଏ। ପୁରୁଣା କମିଟି ଭାଙ୍ଗି ଚଳିତ ବର୍ଷ ପାଇଁ ଯାତ୍ରା ସୁପରିଚାଳନା ନିମନ୍ତେ ନୂତନ କର୍ମକର୍ତ୍ତା ନିର୍ବାଚନକୁ ପ୍ରଶାସନ ବାତିଲ କରି ଦେବା ଦିନଠୁ ନାରାୟଣୀ ଯାତ୍ରା ହେବା ନେଇ ଅନିଶ୍ଚିତତା ଦେଖା ଦେଇଥିଲା। ଆଜି ଶୁଭସ୍ତମ୍ଭ ସ୍ଥାପନ ହୋଇ ପାରି ନଥିବାରୁ ଏଥର ଫୁଲବାଣୀର ପ୍ରସିଦ୍ଧ ନାରାୟଣୀ ଯାତ୍ରା ହେବାର ନାହିଁ ବୋଲି ନିଶ୍ଚିତ ହୋଇ ଯାଇଛି। ଏ ନେଇ ଯାତ୍ରା କମିଟି ସଭାପତି ଅଶୋକ କୁମାର ପଟ୍ଟନାୟକ କହିଛନ୍ତି ଯେ ଲକଡାଉନ କଟକଣା ବଢା ଯାଇଥିବାରୁ ନାରାୟଣୀ ଯାତ୍ରା ହେବାର ନାହିଁ । କେବଳ ପରମ୍ପରା ବଜାୟ ରଖିବା ନିମନ୍ତେ ମନ୍ଦିରରେ ପୂଜକଙ୍କ ଦ୍ବାରା ପୁଜାର୍ଚ୍ଚନା କରାଯିବା ନିମନ୍ତେ ଚିନ୍ତା କରାଯାଉଛି। ଏନେଇ ସମସ୍ତଙ୍କ ପରାମର୍ଶ ଅନୁଯାୟୀ କରାଯିବ ବୋଲି ସେ କହିଛନ୍ତି। ଆଗେ ଜୀବନ। ପରେ ପାର୍ବଣ। ବର୍ତ୍ତମାନ ସମୟରେ କରୋନାକୁ ମୁକାବିଲା କରିବା ନିମନ୍ତେ ସମସ୍ତେ ଘରେ ରୁହନ୍ତୁ। ସୁସ୍ଥ ରୁହନ୍ତୁ ଆଉ ସାମାଜିକ ଦୂରତା ରକ୍ଷା କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ସମସ୍ତ ଫୁଲବାଣୀବାସୀଙ୍କୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର