ଅବହେଳିତ ପର୍ଯ୍ୟଟନ କ୍ଷେତ୍ର ପଥରଚକଡ଼ାର ନାରାୟଣୀ ପୀଠ, ଯେଉଁଠୁ ପାଣି ପିଅନ୍ତି ନାହିଁ ଗାଈଗୋରୁ, ନିସନ୍ତାନଙ୍କୁ ହୋଇଥାଏ ସନ୍ତାନ ପ୍ରାପ୍ତି

କଣ୍ଟିଲୋ : ନୟାଗଡ଼ ଜିଲ୍ଲାର ପର୍ଯ୍ୟଟନ ମାନଚିତ୍ରରେ ପ୍ରମୁଖ ସ୍ଥାନଗୁଡ଼ିକ ମଧ୍ୟରୁ କଂଟିଲୋ ନିକଟସ୍ଥ ପଥରଚକଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ନାରାୟଣୀ ପୀଠ ଅନ୍ୟତମ। ଅତ୍ୟନ୍ତ ରମଣୀୟ ପାହାଡ଼ ଘେରା ପ୍ରାକୃତିକ ପରିବେଶ ଭିତରେ ଅବସ୍ଥିତ ଏହି ପୀଠର ମହିମା ଅବର୍ଣ୍ଣନୀୟ। ମହାଭାରତ ବର୍ଣ୍ଣିତ ପୌରାଣିକ ତଥ୍ୟ ଅନୁସାରେ ଦ୍ବାପର ଯୁଗରେ ମହାପ୍ରତାପୀ ଗୋସିଂହ ଦୈତ୍ୟର ଇଷ୍ଟଦେବୀ ହେଉଛନ୍ତି ମା’ ନାରାୟଣୀ ଏବଂ ଦକ୍ଷିଣମୁଖୀ। ଏଣୁ ତନ୍ତ୍ର ପୀଠ ଭାବେ ପରିଚିତ ଏହି ପୀଠକୁ ନିଃସନ୍ତାନ ମହିଳାମାନେ ସନ୍ତାନ ପ୍ରାପ୍ତି ଆଶାରେ ମନସ୍କାମନା ପୂରଣ ପାଇଁ ଆସିଥାନ୍ତି। ଗୋସିଂହ ଦୈତ୍ୟ ଏହି ସ୍ଥାନରେ ମା’ଙ୍କୁ ସ୍ଥାପନା କରି ପୂଜାର୍ଚ୍ଚନା କରୁଥିଲା ମହାପ୍ରତାପୀ ହୋଇପାରିଥିଲା। ଏହାର ପ୍ରାମାଣିକ ତଥ୍ୟ ସ୍ବରୂପ ଏବେ ମଧ୍ୟ ଗୋସିଂହ ଦୈତ୍ୟର ଯଜ୍ଞକୁଣ୍ତ ମା’ଙ୍କ ମନ୍ଦିର ସମ୍ମୁଖରେ ପୁଷ୍କରିଣୀ ଭାବେ ଦଣ୍ତାୟମାନ। ଉକ୍ତ ପୁଷ୍କରିଣୀର ଜଳ ଅତ୍ୟନ୍ତ ସ୍ବଚ୍ଛ ହୋଇଥିବା ବେଳେ ଆଶ୍ଚର୍ଯ୍ୟର ବିଷୟ, ଏବେ ମଧ୍ୟ ସେଠାରୁ ଗାଈଗୋରୁଙ୍କ ସମେତ ପଶୁମାନେ ଏହାର ଜଳ ପାନ କରିନଥାଆନ୍ତି। ନିଃସନ୍ତାନମାନେ ଉକ୍ତ ପୁଷ୍କରିଣୀରେ ସ୍ନାନପୂର୍ବକ ନାରାୟଣୀଙ୍କୁ ପୂଜାର୍ଚ୍ଚନା କରି ସନ୍ତାନପ୍ରାପ୍ତ ହେଉଥିବା ବିଶ୍ବାସ ରହିଛି। ଖଣ୍ତପଡ଼ା ଦେବୋତ୍ତର ବିଭାଗ ପରିଚାଳନାଧୀନ ଉକ୍ତ ମନ୍ଦିର ଏ ପର୍ଯ୍ୟନ୍ତ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇପାରିନାହିଁ। ବର୍ଷର ପ୍ରାୟ ସମୟରେ ଉକ୍ତ ପୀଠକୁ ପର୍ଯ୍ୟଟକମାନେ ଆସୁଥିଲେ ମଧ୍ୟ ପୀଠରେ ପାନୀୟ ଜଳ ସମସ୍ୟା ରହିଛି। ପରିସରରେ ୨ଟି ନଳକୂପ ଥିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ନୁହେଁ ଏବଂ ସେଥି ମଧ୍ୟରୁ ଗୋଟିଏ ପାନୀୟ ଉପଯୋଗୀ ନୁହେଁ। ଉକ୍ତ ପୀଠକୁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବା ସହ ଉକ୍ତ ପୀଠର ବିକାଶ କରାଯିବା ପାଇଁ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ଖ୍ୟାତି ଅନୁସାରେ ପୀଠର ଭିତ୍ତିଭୂମିର ଉନ୍ନତି ହୋଇପାରିଲେ ଅଧିକରୁ ଅଧିକ ପର୍ଯ୍ୟଟକ ଆକୃଷ୍ଟ ହୋଇପାରନ୍ତେ।

ସମ୍ବନ୍ଧିତ ଖବର